ନିରାଡ଼ମ୍ବର ହେବ ମୃତ୍ତିକା ଆନୟନ ପର୍ବ, ୪ ଜଣରେ ସୀମିତ ରଖିବାକୁ ଶାନ୍ତି କମିଟିର ନିବେଦନ
ଭୁବନେଶ୍ବର: ଘଣ୍ଟଘଣ୍ଟାରେ କମ୍ପିବନି ନଦୀ ଘାଟ। ଜମିବନି ପୂଜା କମିଟି କର୍ମକର୍ତ୍ତାଙ୍କ ସମାବେଶ। ନିରାଡ଼ମ୍ବର ସହକାରେ ଏଥର ପାଳିତ ହେବ ମା’ ଦୁର୍ଗାଙ୍କ ମାଟି ଅନୁକୂଳ ପର୍ବ। ଜନ୍ମାଷ୍ଟମୀରେ ଦୁର୍ଗାପୂଜାର ଶୁଭ ଶଙ୍ଖ ବାଜିବ। ଜନ୍ମାଷ୍ଟମୀରେ ମା’ ଯୋଗମାୟା ରୂପରେ ଆବିର୍ଭାବ ହୋଇଥିବାରୁ ଏହି ଦିନ ମା’ଙ୍କ ମୃଣ୍ମୟ ମୂର୍ତି ପାଇଁ ପୂଜାର୍ଚ୍ଚନା ସହ ମାଟି ଅଣାଯିବ। ମାତ୍ର ମା’ଙ୍କ ଏହି ଆଦ୍ୟ ପର୍ବ ଏଥର ଆଉ ଜାକଜମକରେ ହେବ ନାହିଁ। ବିଏମ୍ସି ପକ୍ଷରୁ ଏନେଇ କୌଣସି ନିର୍ଦେଶନାମା ଜାରି ହୋଇନଥିଲେ ହେଁ ସୀମିତ କର୍ମକର୍ତାରେ ମାଟି ଅନୁକୂଳ ପର୍ବ କରିବାକୁ ବିଭିନ୍ନ ପୂଜା କମିଟି ପକ୍ଷରୁ ଆୟୋଜନ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ରାଜଧାନୀରେ ୧୭୦ ସ୍ଥାନରେ ପୂଜା ଅନୁଷ୍ଠିତ ହୋଇ ଆସୁଥିବା ବେଳେ ଏଥର କରୋନା ପାଇଁ ପାର୍ବଣ ଋତୁ ଫିକା ପଡ଼ିବା ସ୍ପଷ୍ଟ ହୋଇଛି। ଯଦିଓ ଏଥର ଜାକଜମକ ଦେଖିବାକୁ ମିଳିବନାହିଁ, କିନ୍ତୁ ମା’ଙ୍କ ପୂଜା ବିଧିରେ କୌଣସି ଊଣା କରାଯିବ ନାହିଁ ବୋଲି ପୂଜା କମିଟିମାନେ କହିଛନ୍ତି। ଦୁର୍ଗାପୂଜା ପୂର୍ବରୁ ଗଣେଶ ପୂଜା ଆୟୋଜନ ହେବାକୁ ଥିବାରୁ କମ୍ ଦିନ ମଧ୍ୟରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ ବୋଲି ବିଏମ୍ସିର ଜଣେ ଅଧିକାରୀ କହିଛନ୍ତି।
ଷ୍ଟେସନ୍ ବଜାର ଦୁର୍ଗାପୂଜା କମିଟି ସମ୍ପାଦକ ଦୀପକ କୁମାର ଜେନା କହିଛନ୍ତି, ପୂଜାକୁ ନେଇ ସେମିତି ଉତ୍ସାହ ନାହିଁ କି ଆଡ଼ମ୍ବର ପାଇଁ ଏ ପରିସ୍ଥିତି ଅନୁମତି ଦେବ ନାହିଁ। ତେଣୁ ସୀମିତ ଲୋକଙ୍କୁ ନେଇ ମାଟି ଅନୁକୂଳ ପର୍ବ ଆୟୋଜନ କରିବାକୁ ଲକ୍ଷ୍ୟ ରଖିଛୁ। ନୂଆପଲ୍ଲୀ ଦୁର୍ଗାପୂଜା କମିଟିର ଉପଦେଷ୍ଟା ନବକିଶୋର ବେହେରା କହିଛନ୍ତି, ଆମେ ସରକାରଙ୍କ ସମସ୍ତ କୋଭିଡ୍ ନିୟମକୁ ପାଳନ କରିବୁ। ଆଡ଼ମ୍ବର କଥା ଚିନ୍ତା କରିବା ତ ଦୂରର କଥା କିଭଳି ମା’ଙ୍କ ଏହି ଆଦ୍ୟ ପର୍ବରେ ମାଟି ଅନୁକୂଳ ବେଳେ ମାତ୍ର ୪ ଜଣଙ୍କୁ ନେଇ ଏହା ତୁଲାଯିବ ସେନେଇ ସମସ୍ତ କର୍ମକର୍ତାଙ୍କ ସହଯୋଗ ଲୋଡ଼ା ଯାଇଛି।
ସହିଦନଗର ଦୁର୍ଗାପୂଜା ସମିତିର ସମ୍ପାଦକ ନାରାୟଣ ମହାପାତ୍ର କହିଛନ୍ତି, କରୋନା ଯେଭଳି କାୟା ମେଲାଉଛି ଏଥିରେ ଆଉ କାହା ମନ ପାର୍ବଣ ମୁଖର ନାହିଁ। କେବଳ ମା’ଙ୍କୁ ଆବାହନ କରି ଦୁଃଖ ଜଣାଇବୁ। ସେଥିପାଇଁ ମାଟି ଅନୁକୂଳ ପର୍ବକୁ ସୀମିତ କର୍ମକର୍ତାରେ ପାଳନ କରିବାକୁ ଚିନ୍ତା କରିଛୁ। ଯଦିଓ ପୂଜା ସଂକ୍ରାନ୍ତରେ ପ୍ରଶାସନ କୌଣସି ନିଷ୍ପତ୍ତି ନେଇନାହିଁ, ମାତ୍ର ପୂଜା ବେଳକୁ ଯେ ପରିସ୍ଥିତିରେ ସୁଧାର ଆସିଯାଇଥିବ ତାହା ମଧ୍ୟ ଏବେଠୁ କହିବା ମୁସ୍କିଲ୍। ତେଣୁ ଏଥର ମା’ କେବଳ ପୂଜା ମଣ୍ଡପକୁ ସିନା ବିଜେ କରିବେ କିନ୍ତୁ ଭକ୍ତଙ୍କ ଦର୍ଶନ ନେଇ କ’ଣ ନିଷ୍ପତ୍ତି ହେବ ତା’ ଉପରେ ପ୍ରଶାସନର ନିଷ୍ପତ୍ତିକୁ ଅପେକ୍ଷା ରହିଛି।