ନୃତ୍ୟଶାଳାର ବାର୍ଷିକୋତ୍ସବ

ଭୁବ‌ନେଶ୍ବର: ପ୍ରେକ୍ଷାଳୟରେ ସଞ୍ଚରି ଯାଇଥିଲା ଭକ୍ତି ଭାବନା। ଭକ୍ତମାନେ ଏକ ମନ ପ୍ରାଣ ହୋଇ ନିଜକୁ ସମର୍ପି ଦେଇଥିଲେ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ। ‘ଆହେ ନୀଳ ଶୈଳ…’ ଗୀତରେ ଓଡ଼ିଶୀ ନୃତ୍ୟ ମଙ୍ଗଳାଚରଣ ଓ ପରେ ପରେ ‘ଜଗନ୍ନାଥ ସ୍ବାମୀ ନୟନପଥଗାମୀ’ ଶ୍ଳୋକରେ ନୃତ୍ୟଶିଳ୍ପୀଙ୍କ ନୃତ୍ୟ ଦର୍ଶକଙ୍କୁ ମହାପ୍ରଭୁଙ୍କ ଭକ୍ତିରେ ଲୀନ କରିଥିଲା। ଅବସର ଥିଲା ‘ନୃତ୍ୟଶାଳା’ର ୧୬ତମ ବାର୍ଷିକୋତ୍ସବ ଅବସରରେ ଆୟୋଜିତ ନୃତ୍ୟ ଉତ୍ସବ। ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୃତ୍ୟଶିଳ୍ପୀମାନେ ମା’ ସରସ୍ବତୀଙ୍କ ବନ୍ଦନା, ଶିବସ୍ତୁତି, ରାଧାକୃଷ୍ଣଙ୍କ ପ୍ରେମମୟ ଗାଥା ‘ଝୁମୁରୁ ଝୁମୁରୁ…’, ଆମ ପରମ୍ପରା, ସଂସ୍କୃତି ଓ ଚଳଣିକୁ ନେଇ ‘ଓଡ଼ିଶା ମୋ ଓଡ଼ିଶା…’ ନୃତ୍ୟ ସହ ଲୋକନୃତ୍ୟ ଢେମ୍‌ସା ଓ ସମ୍ବଲପୁରୀ ଆଦି ନୃତ୍ୟ ପରିବେଷଣ ଦର୍ଶକଙ୍କ ଆନମନା କରିଥିଲା। କାର୍ଯ୍ୟକ୍ରମରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ସଚିବ ବିଜୟ କୁମାର ଜେନା, ଓଡ଼ିଶୀ ନୃତ୍ୟଗୁରୁ ନିରଞ୍ଜନ ରାଉତ, ଓଡ଼ିଶୀ ନୃତ୍ୟଗୁରୁ ପ୍ରଫେସର ନବକିଶୋର ମିଶ୍ର, ପ୍ରତିଷ୍ଠିତ ଛଉ ନୃତ୍ୟ ଗୁରୁ ସଦାଶିବ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ନୃତ୍ୟଶାଳାର ନିର୍ଦେଶକ ଗୁରୁ ଅଶୋକ କୁମାର ଘୋଷାଲ ଏଥିରେ ଉପସ୍ଥିତ ଥିଲେ। ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର