ବୈଷ୍ଣବ ପରିଡ଼ା ଜୟନ୍ତୀ ସମାରୋହ: ଭାଷା ସୁରକ୍ଷା ଆନ୍ଦୋଳନ ପାଇଁ ମନେ ରହିବେ

ଭୁବନେଶ୍ବର: ମାତୃଭାଷା ଗୋଟିଏ ଜାତିର ପରିଚୟ। ଏହା ନିଜ ଭିତରେ ସ୍ବାଭିମାନ ସୃଷ୍ଟି କରିବା ସହ ସମାଜକୁ ସମୃଦ୍ଧ କରିଥାଏ। କିନ୍ତୁ ଏବେ ଓଡ଼ିଆ ଭାଷା ଅସୁରକ୍ଷିତ ହୋଇପଡ଼ିଛି। ଓଡ଼ିଆର ବ୍ୟବହାର କମିବାରେ ଲାଗିଛି। ଏହା ଆଦୌ ଶୁଭଙ୍କର ନୁହେଁ। ଏହାଦ୍ବାରା ଓଡ଼ିଆଙ୍କ ସ୍ବାଭିମାନ ମଧ୍ୟ କ୍ଷୁଣ୍ଣ ହେଉଛି। ତେବେ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ସ୍ୱର୍ଗତ ବୈଷ୍ଣବ ପରିଡ଼ା ଯେଉଁ ଆନ୍ଦୋଳନର ବହ୍ନି ଜାଳିଥିଲେ, ତାହା ଓଡ଼ିଆମାନଙ୍କ ଜାତୀୟ ଚେତନା ବୃଦ୍ଧି କରିଥିଲା। ଏଥିପାଇଁ ଓଡ଼ିଆ ଜାତି ସ୍ୱର୍ଗତ ପରିଡ଼ାଙ୍କୁ ସବୁଦିନ ପାଇଁ ମନେ ରଖିବ। ଆଜି ଜୟଦେବ ଭବନଠାରେ ଅନୁଷ୍ଠିତ ସ୍ବର୍ଗତ ବୈଷ୍ଣବ ପରିଡ଼ାଙ୍କ ୭୯ତମ ଜୟନ୍ତୀ ସମାରୋହରେ ଯୋଗ ଦେଇଥିବା ଅତିଥିମାନେ ଏଭଳି ମତବ୍ୟକ୍ତ କରିଛନ୍ତି। ବରିଷ୍ଠ ସାମ୍ବାଦିକ ରବି ଦାସଙ୍କ ସଭାପତିତ୍ୱ‌ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଫେସର ଆନନ୍ଦ କୁମାର ମୁଖ୍ୟବକ୍ତା, ପୂର୍ବତନ ସାଂସଦ ଶିବାଜୀ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ପୂର୍ବତନ ସାଂସଦ ଐରଖାରବେଳ ସ୍ୱାଇଁ, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ବରିଷ୍ଠ ସାହିତ୍ୟିକ ସାତକଡ଼ି ହୋତା ଓ ବିଶିଷ୍ଟ ଭାଷାବିତ୍ ଡ. ଦେବୀ ପ୍ରସନ୍ନ ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଭାଷା ସୁରକ୍ଷା ଆନ୍ଦୋଳନ ସ୍ବର୍ଗତ ପରିଡ଼ାଙ୍କର ସର୍ବଶ୍ରେଷ୍ଠ ଆନ୍ଦୋଳନ ଥିଲା ବୋଲି କହିଥିଲେ।

ବରିଷ୍ଠ ସାହିତ୍ୟିକ ଡ. ବାସୁଦେବ ଦାସ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଡ. ମାନସ ବେହେରା ଅତିଥିଙ୍କୁ ଆମନ୍ତ୍ରଣ କରିଥିଲେ। ମହେଶ୍ୱର ଦାସ ଧନ୍ୟବାଦ ଦେଇଥିଲେ। ପଦ୍ମାକର ଗୁରୁ, ସକିତ୍ ରତେ, ବାଳକୃଷ୍ଣ ଷଣ୍ଢ, ଅର୍ଚ୍ଚନା ନନ୍ଦୀ, ଦଣ୍ଡପାଣି ମହାପାତ୍ର, ଲକ୍ଷ୍ମୀଧର ବେହେରା ପ୍ରମୁଖ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଯୁବ ସାହିତ୍ୟିକ ଅମିତାଭ ଖିଲାର, ବିଶ୍ୱନାଥ ବେହେରା, ଅକ୍ଷୟ ପ୍ରସାଦ ବେହେରା, ଆକାଶ ପଟ୍ଟନାୟକ, ଦୀପକ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର