ମା’ଙ୍କ ଶବ ଉଦ୍ଧାର ବେଳେ ପାଣିକୁ ଡେଇଁଲା ଝିଅ, ପୁଲିସ ଓ ଅଗ୍ନିଶମ ବିଭାଗ ନୟାନ୍ତ

ବାରଙ୍ଗ: ପୁରୀ ମୁଖ୍ୟ କେନାଲରୁ ଆଜି ସଂଧ୍ୟାରେ ଜଣେ ମହିଳାଙ୍କ ଶବ ଉଦ୍ଧାର କରିବା ବେଳେ ପୁଲିସ ଓ ଅଗ୍ନିଶମ ବିଭାଗକୁ ନୟାନ୍ତ ହେବାକୁ ପଡ଼ିଛି। ପାଣିରୁ ଶବ ଉଦ୍ଧାର ବେଳେ ମହିଳାଙ୍କ ନାବାଳିକା ଝିଅ ପାଣିକୁ ଡେଇଁ ପଡ଼ିଥିଲେ। ‘ମରିଯିବ‌ି ପଛେ ବୋଉକୁ ଛାଡ଼ିବିନି’ କହି ମହିଳାଙ୍କ ଶବକୁ ଜାବୁଡ଼ି ଧରି ଜିଦି କରିବାରୁ ପୁଲିସ ଓ ଅଗ୍ନିଶମ ବିଭାଗର ଚିନ୍ତା ବଢ଼ି ଯାଇଥିଲା। ଅକାତକାତ ପାଣିରେ ନାବାଳିକାଜଣଙ୍କ ବୁଡ଼ି ଯାଉଥିଲେ ସୁଦ୍ଧା କାହାରି କଥା ଶୁଣି ନଥିଲେ। ତେବେ ପ୍ରାୟ ୧୫ ମିନିଟ୍‌ ଧରି ବୁଝାସୁଝା ପରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ମହିଳାଙ୍କ ଶବ ଓ ତାଙ୍କ ନାବାଳିକା ଝିଅକୁ ଜୀବନ୍ତ ଉଦ୍ଧାର କରିଥିଲେ।

ସୂଚନା ଅନୁଯାୟୀ, ଆଜି ସଂଧ୍ୟାରେ ପୁରୀ ମୁଖ୍ୟ କେନାଲର କାନପୁର ଓ ବାସୁଆ ସାଇଫନ୍‌ ବନ୍ଧ ମଝିରେ ଜଣେ ମହିଳାଙ୍କ ଶବ ଭାସୁଥିବା ଖବର ପାଇ ଅଗ୍ନିଶମ ବିଭାଗ ସହାୟତାରେ ଉଭୟ ବାରଙ୍ଗ ଓ ନନ୍ଦନକାନନ ଥାନା ପୁଲିସ ଶବକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚଳାଇଥିଲା। ଏହି ସମୟରେ ୧୭ ବର୍ଷୀୟା ଜଣେ ନାବାଳିକା ‘ମୋ ବୋଉ’ ବୋଲି କହି ପାଣିରେ ଭାସୁଥିବା ଶବ ପାଖକୁ ଡେଇଁ ପଡ଼ିଥିଲେ। ‘ପାଣିରୁ ଉଠି ଆସ ପୁଲିସ ତୁମ ମା’କୁ ଆଣିବ’ ବୋଲି ଅଗ୍ନିଶମ କର୍ମଚାରୀମାନେ ତାଙ୍କୁ କହିଥିଲେ ବି ସେ କିଛି ଶୁଣିନଥିଲେ। ତେବେ ବହୁ ବୁଝାସୁଝା ପରେ ବାରଙ୍ଗ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଏକ ଗାମୁଛା ସହାୟତାରେ ନାବାଳିକାଙ୍କୁ ଉଦ୍ଧାର କରିଥିଲେ। ପରେ ଶବଟିକୁ ଉଦ୍ଧାର କରାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ମୃତ ମହିଳାଜଣଙ୍କ ହେଲେ ସ୍ଥାନୀୟ କେନ୍ଦୁପାଟଣା ଗ୍ରାମର ରବି ଦାସ (୬୦)ଙ୍କ ପତ୍ନୀ ବିଦ୍ୟୁଲତା(୫୫)। ଶବଟିକୁ ନନ୍ଦନକାନନନ ଥାନା ପୁଲିସ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇବା ସହ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ପ୍ରାଥମିକ ତଦନ୍ତରୁ ପାରିବାରିକ ଅଶାନ୍ତିରୁ ମହିଳାଜଣଙ୍କ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର