ରେଳ କୌଶଳ ବିକାଶ ଯୋଜନାର ଶୁଭାରମ୍ଭ: ୩ ବର୍ଷରେ ତାଲିମ ନେବେ ୫୦ ହଜାର

୭୫ଟି ରେଳ ପ୍ରଶିକ୍ଷଣ ସଂସ୍ଥାନରେ ଦିଆଯିବ ପ୍ରଶିକ୍ଷଣ
ଭୁବନେଶ୍ବର, ଅନୁଗୁଳ, ରାଉରକେଲାରେ ତାଲିମ ସୁବିଧା

ଭୁବନେଶ୍ବର : ଶିଳ୍ପ ଅନୁକୂଳ କୌଶଳ ବିକାଶ କ୍ଷେତ୍ରରେ ପ୍ରବେଶସ୍ତରୀୟ ପ୍ରଶିକ୍ଷଣ ପ୍ରଦାନ କରି ଯୁବପିଢ଼ିଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ରେଳ କୌଶଳ ବିକାଶ ଯୋଜନା(ଆରକେଭିଓ୍ବାଇ)ର ଶୁଭାରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା(ପିଏମକେଭିଓ୍ବାଇ) ଅନ୍ତର୍ଗତ ଏକ କାର୍ଯ୍ୟକ୍ରମ ଭାବେ ଏହା କାର୍ଯ୍ୟକାରୀ ହେବ। ନୂଆଦିଲ୍ଲୀସ୍ଥିତ ରେଳ ଭବନଠାରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ଯୋଜନାର ଶୁଭାରମ୍ଭ କରି କହିଲେ, ଆଜି ଏକ ପବିତ୍ର ଦିନ। ଦେଶରେ ବିଶ୍ବକର୍ମା ପୂଜା ପାଳନ କରାଯାଉଛି। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ଏହି ଅବସରରେ ରେଳ କୌଶଳ ବିକାଶ ଯୋଜନାକୁ ଉପହାର ଭାବେ ଦିଆଯାଉଛି। କୌଶଳ ବିକାଶ ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପର ଏକ ଅଭିନ୍ନ ଅଙ୍ଗ। ଏହି ଯୋଜନା ମାଧ୍ୟମରେ ୫୦ ହଜାର ଯୁବକଯୁବତୀଙ୍କୁ ତାଲିମ ଦିଆଯିବ। ଉପାନ୍ତ ଅଞ୍ଚଳର ପିଲାଙ୍କୁ ଅଧିକ ଗୁରୁତ୍ବ ଦିଆଯିବ। ତେଣୁ ଯୁବପିଢ଼ି ଏହି ଦକ୍ଷତା ବିକାଶ ତାଲିମକୁ ଉପଯୋଗ କରିବାକୁ ସେ ଆହ୍ବାନ ଦେଇଥିଲେ।

ପ୍ରଶିକ୍ଷଣ ଯୋଗାଇଦେବା ପାଇଁ ୭୫ଟି ସଂସ୍ଥାନକୁ ଚୟନ କରାଯାଇଛି। ସେଥିରେ ଓଡ଼ିଶାରୁ ୩ଟି ପ୍ରଶିକ୍ଷଣ ସଂସ୍ଥାନ ରହିଛି। ସେଗୁଡ଼ିକ ହେଲା, ମଞ୍ଚେଶ୍ବରସ୍ଥିତ ରେଳଡବା ମରାମତି କାରଖାନାରେ ଥିବା ବିଟିଏସ, ଅନୁଗୁଳ ରାଣୀଗୋଡ଼ାରେ ଥିବା ଇଲେକ୍ଟ୍ରିକ ଲୋକୋସେଡ୍ ଓ ରାଉରକେଲାରେ ଥିବା ଇଲେକ୍ଟ୍ରିକାଲ ସିଷ୍ଟମ ଟ୍ରେନିଂ ସେଣ୍ଟର। ଏହି ଯୋଜନା ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ ବୃଦ୍ଧି କରିବା ସହ ସ୍ବାବଲମ୍ବୀମାନଙ୍କ କୌଶଳକୁ ଅଧିକ ଉନ୍ନତ କରିବାରେ ସହାୟକ ହେବ। ସେହିପରି ବିଭିନ୍ନ ଠିକାଦାରଙ୍କ ସହ କାମ କରୁଥିବା କର୍ମଜୀବୀମାନଙ୍କୁ ରି-ସ୍କିଲିଂ ଓ ଅପ-ସ୍କିଲିଂ ସୁବିଧା ଯୋଗାଇ ଦେଇ ସ୍କିଲ ଇଣ୍ଡିଆ ମିସନ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଦେବ। କାର୍ଯ୍ୟକ୍ରମ ଅବସରରେ ପୂର୍ବତଟ ରେଳପଥର ଜେନେରାଲ ମ୍ୟାନେଜର ବିଦ୍ୟାଭୂଷଣ ମଞ୍ଚେଶ୍ବର ରେଳଡବା ମରାମତି କାରଖାନାରେ ଉପସ୍ଥିତ ରହି ତାଲିମପ୍ରାପ୍ତ ବ୍ୟକ୍ତିଙ୍କ ସହ କଥା ହୋଇଥିଲେ।

ଏହି ଯୋଜନାରେ ଆସନ୍ତା ତିନି ବର୍ଷରେ ୫୦ହଜାର ପ୍ରାର୍ଥୀଙ୍କୁ ପ୍ରଶିକ୍ଷଣ ଦିଆଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ହଜାରେ ଜଣଙ୍କୁ ପ୍ରଶିକ୍ଷଣ ଦିଆଯିବ। ପ୍ରଶିକ୍ଷାର୍ଥୀମାନେ ଇଲେକ୍ଟ୍ରିସିଆନ, ୱେଲ୍‌ଡର, ମେସିନିଷ୍ଟ ଓ ଫିଟର ଟ୍ରେଡ୍‌ରେ ଶହେ ଘଣ୍ଟାର ପ୍ରଶିକ୍ଷଣ ପାଇବେ। ତେବେ ଆଞ୍ଚଳିକ ଚାହିଦା ଓ ଆବଶ୍ୟକତାକୁ ଆକଳନ କରି କ୍ଷେତ୍ରୀୟ ରେଳବାଇ ଓ ଉତ୍ପାଦନ ୟୁନିଟଗୁଡ଼ିକ ଅନ୍ୟ ଟ୍ରେଡ୍‌ରେ ପ୍ରଶିକ୍ଷଣ ପାଇଁ ବ୍ୟବସ୍ଥା କରିବେ। ପ୍ରଶିକ୍ଷଣ ସମ୍ପୂର୍ଣ୍ଣ ମାଗଣାରେ ଦିଆଯିବ। ଏଥିପାଇଁ ପ୍ରାର୍ଥୀମାନେ ଅନଲାଇନ୍‌ ଆବେଦନ କରିପାରିବେ। ମାଟ୍ରିକ୍‌ ମାର୍କକୁ ଆଧାର କରି ପ୍ରାର୍ଥୀ ଚୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ବଚ୍ଛତା ଭାବେ କରାଯିବ। ମାଟ୍ରିକ ପାସ୍‌ କରିଥିବା ୧୮ରୁ ୩୫ବର୍ଷର ଯେକୌଣସି ବ୍ୟକ୍ତି ଆବେଦନ କରିପାରିବେ। ତେବେ ପ୍ରଶିକ୍ଷଣ ପରେ ପ୍ରାର୍ଥୀମାନେ ରେଳବାଇରେ ନିଯୁକ୍ତି ପାଇଁ କୌଣସି ଦାବି କରିପାରିବେ ନାହିଁ। ପୂର୍ବତଟ ରେଳପଥ ଅଧୀନରେ ୨୫୦୦ଯୁବକଙ୍କୁ ଏହି ସୁଯୋଗ ପ୍ରଦାନ କରିବାକୁ ଯୋଜନା କରିଛି। ୱେଲଡିଂ, ବୈଦ୍ୟୁତିକ କାର୍ଯ୍ୟ ଓ ଫିଟର କାର୍ଯ୍ୟରେ ପ୍ରଶିକ୍ଷଣ ପାଇଁ ବିଶାଖାପାଟଣାରେ ଡିଜେଲ ଲୋକୋସେଡ, ଅନୁଗୁଳ ଓ ବିଶାଖାପାଟଣା ଇଲେକ୍ଟ୍ରିକ୍ ଲୋକୋସେଡ୍ ଓ ମଞ୍ଚେଶ୍ୱର ରେଳଡବା ମରାମତି କାରଖାନାରେ ପ୍ରତ୍ୟେକ ସ୍ଥାନରେ ୨୦ଟି ସ୍ଲଟ୍ ସହିତ ତାଲିମ ଦିଆଯିବ। ଏହି ଯୋଜନାରେ ପୂର୍ବତଟ ରେଳପଥ ପ୍ରାୟ ୯୦୦ ପ୍ରାର୍ଥୀଙ୍କଠାରୁ ଦରଖାସ୍ତ ଗ୍ରହଣ କରିଛି।

ବନାରସ ଲୋକୋମୋଟିଭ ୱାର୍କର୍ସ ଏହି ଯୋଜନାର ନୋଡାଲ୍ ପିୟୁ ଭାବେ ପ୍ରଶିକ୍ଷଣର ପାଠ୍ୟସୂଚୀ ବିକଶିତ କରିଛି। ଯୋଜନା ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ଯୋଗାଇଦେବା ପାଇଁ ଏକ ୱେବ୍‌ସାଇଟ୍‌ ବିକଶିତ କରାଯାଉଛି। ସେଥିରେ ପ୍ରଶିକ୍ଷଣ ପାଠ୍ୟସୂଚୀ, ଆବେଦନ, ଚୟନ ହୋଇଥିବା ପ୍ରାର୍ଥୀ, ଚୟନର ଫଳ, ଚୂଡ଼ାନ୍ତ ଆକଳନ, ପାଠ୍ୟ ସାମଗ୍ରୀ ଆଦି ବିବରଣୀ ରହିବ। ଅନ୍‌ଲାଇନ ଆବେଦନ ପାଇଁ ଖୁବ୍‌ଶୀଘ୍ର ୱେବସାଇଟ ଖୋଲାଯିବ। ପ୍ରଶିକ୍ଷଣ ପରେ ପ୍ରଶିକ୍ଷାର୍ଥୀମାନଙ୍କୁ ସାର୍ଟିଫିକେଟ ଓ ନିଜ ଟ୍ରେଡ୍ ପାଇଁ ଆବଶ୍ୟକ ଟୁଲକିଟ୍ ଯୋଗାଇ ଦିଆଯିବ।

ସମ୍ବନ୍ଧିତ ଖବର