ଶୀତ ରାତିରେ ମଝି ପାହାଚରେ ନିରବ, ଅଧାରେ ରହିଗଲା ଭଲ ଚଳଚ୍ଚିତ୍ରର ଭୋକ..

ଭୁବନେଶ୍ବର: ତାଙ୍କ ସିନେମାରେ ଝଡ଼ ବି ନିରବରେ ଆସେ। ସ୍ବପ୍ନମାନଙ୍କୁ ନିଷିଦ୍ଧ ଘୋଷଣା କରାଯାଏ। ତାଙ୍କ ଚଳଚ୍ଚିତ୍ରରେ ‘ଭିନ୍ନ ସମୟ’ର କଥାକୁ ହଜମ ନ କରୁଣୁ ‘ଅନ୍ଧ ଦିଗନ୍ତ’ ଭେଟ ହୁଏ। ବୋ‌ଧେ ସେଇଥିପାଇଁ ମନମୋହନ ମହାପାତ୍ର ଥିଲେ ଜଣେ ନିଆରା ନିର୍ମାତା। ଚଳଚ୍ଚିତ୍ରରେ ସବୁବେଳେ ବିସ୍ମୟ ଭେଟି ଦେଉଥିବା ଏଇ ନିରବ ଝଡ଼ର ସ୍ରଷ୍ଟା ଯେ ଶୀତରାତିରେ ଓଡ଼ିଆ ସିନେମାକୁ ମଝି ପାହାଚରେ ଛାଡ଼ି ଭିଜାମାଟିର ସ୍ବର୍ଗରେ ଲୀନ ହୋଇଯି‌ବେ, ତାହା କାହାକୁ ମାଲୁମ ନଥିଲା। ମାତ୍ର ଦୁନିଆର ଅବଧାରିତ ନିୟମ ଆଗରେ ସେ ବି ହାର୍‌ ମାନିଲେ। ଅଧା ରହିଗଲା ଭଲ ଚଳଚ୍ଚିତ୍ର କରିବାର ଭୋକ। ସେ ଯେ ସତରେ ଚାଲି ଯାଇଛନ୍ତି, ତାହା ଏବେ ବି କେହି ବିଶ୍ବାସ କରିପାରୁନାହାନ୍ତି। କରିବେ ବା କେମିତି? ଏଇ ଡାକ୍ତରଖାନାରେ ପଡ଼ିଥିବା ବେଳେ ସେ କୁଆଡ଼େ ପୁଅକୁ ଡାକି କହିଲେ, ଟିକେ ଖାତା ପେନ୍‌ ଆଣିଲୁ। ମୋ’ ମନକୁ ଗୋଟେ ଭଲ କାହାଣୀ ଆସୁଛି। ମାତ୍ର ସେ ଯେ ନିଜେ କିଛି ଦିନ ପରେ ଏକ କାହାଣୀ ହୋଇଯିବେ ଜାଣି ନ ଥିଲେ।

ଅଭିନୟ ବାସ୍ତବ ହେବ ବୋଲି ଗାଁରେ ରଖେଇଥିଲେ
ପ୍ରଥମ ଚଳଚ୍ଚିତ୍ର ‘ଶୀତ ରାତି’ର ସୁଟିଂ ପାଇଁ ମନମୋହନ ମହାପାତ୍ର ବ୍ରହ୍ମପୁର ଯିବା ବାଟରେ ବାଲିଆ ନାମକ ଏକ ଗାଁକୁ ବାଛିଥିଲେ। ମାତ୍ର ସେଠି ଗେଷ୍ଟ ହାଉସ୍‌ଟିଏ ବି ନଥିଲା। ପୂରା ଫିଲ୍ମ ୟୁନିଟ୍‌କୁ ଗାଁରେ ଜଣକ ଘରେ ରହିବାକୁ ପଡ଼ିଥିଲା। ଅଧିକାଂଶ ଘରେ ବିଦ୍ୟୁତ ସଂଯୋଗ ନଥିଲା, ପୁଣି ତଳେ ଚଟାଣରେ ଶୋଇବା, ବାହାରକୁ ଶୌଚ ହେବାକୁ ଯିବା ସବୁ କିଛି ଗାଁ’ ଲୋକଙ୍କ ଭଳି କରିବାକୁ ପଡ଼ୁଥିଲା ବୋଲି କହିଛନ୍ତି ବିଶିଷ୍ଟ ଅଭିନେତ୍ରୀ ମହାଶ୍ବେତା ରାୟ। ତାଙ୍କ କହିବା ଅନୁଯାୟୀ, ମୁନା ଭାଇ (ମନମୋହନ ମହାପାତ୍ର) ଥିଲେ ସମସ୍ତଙ୍କଠୁ ନିଆରା। ସେ କେବଳ ଅଭିନେତା ଅଭିନେତ୍ରୀଙ୍କୁ ସ୍କ୍ରିପ୍ଟ ବୁ‌ଝେଇ ଦେଇ ଅଭିନୟ ପାଇଁ ଛାଡ଼ି ଦେଉଥିଲେ। ତେବେ ମୁଁ ଶେଷ ଶ୍ରାବଣ ଚଳଚ୍ଚିତ୍ରରେ ନୂଆ କରି ଅଭିନୟ କରି ଆସିଥିବାରୁ ଦ୍ବିତୀୟ ଚଳଚ୍ଚିତ୍ରରେ ଏପରି ପରିବେଶରେ ରହି କାମ କରିବାକୁ ଟିକେ ଅଡ଼ୁଆ ଲାଗିଲା। କିନ୍ତୁ ପରେ ମୁଁ ସେଇ ପରିବେଶକୁ‌ ବେଶ ଉପଭୋଗ କଲି। ଏକ ନିଆରା ପରିବେଶ ମିଳି ଯିବାରୁ ଅଭିନୟ ବି ଗାଁ ଲୋକଙ୍କ ଭଳି ଜୀବନ୍ତ ହୋଇଥିଲା। ମୁନା ଭାଇ ହୁଏତ ଚାଲି ଯାଇଛନ୍ତି କିନ୍ତୁ ତାଙ୍କ ବ୍ୟକ୍ତିତ୍ବ ସବୁବେଳେ ହୃଦୟରେ ସାଇତା ହୋଇ ରହିବ।

ଅଧା ରହିଗଲା ‘କୁହୁଡ଼ି’
ସେ ସିନା ୧୨ଟି ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି ବୋଲି ରେକର୍ଡ କହୁଛି କିନ୍ତୁ ସେ ଆଉ ୨ଟି ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରିଥିଲେ। ତାଙ୍କ ସହ ଅଧିକାଂଶ ଚଳଚ୍ଚିତ୍ରରେ ସିନେମାଟୋଗ୍ରାଫର ସାଜିଥିବା ଦିଲ୍ଲୀପ ରାୟଙ୍କ କହିବା ମୁତାବକ, ‘ଶୀତରାତି’ ପୂର୍ବରୁ ସେ ‘କାଠୁରିଆ’ ନାମକ ଏକ ଚଳଚ୍ଚିତ୍ର କରିଥିଲେ। କିନ୍ତୁ ତାହା ଅଧାରେ ବନ୍ଦ ହେଇଗଲା। ସେହିଭଳି ସେ ‘କୁହୁଡ଼ି’ ନାମରେ ଆଉ ଏକ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରିଥିଲେ। ସେଇ ଚଳଚ୍ଚିତ୍ରରେ ଅଭିନୟ କରିଥିବା ସଂଗୀତ ନିର୍ଦେଶକ ସ୍ବରୂପ ନାୟକଙ୍କ କହିବା ମୁତାବକ, ଚଳଚ୍ଚିତ୍ରର ୯୫ଭାଗ ସୁଟିଂ ସରିଥିଲା। ମାତ୍ର ପରେ ଏହା ବନ୍ଦ ହୋଇଗଲା। ତେବେ ‘ଶେଷ ପ୍ରତୀକ୍ଷା’ରେ ତାଙ୍କ ନିର୍ଦେଶନାରେ କାମ କରି ବହୁତ ଆନନ୍ଦ ପାଇଥିଲି। କଟକ ସେକ୍‌ ବଜାର ଢୋଲାମିଆ ଲେନ୍‌ରେ ତାଙ୍କର ଏଡିଟିଂ ଟେବୁଲ୍‌ ପାଇଁ ଯେବେ ବିଦ୍ୟୁତ୍‌ ସଂଯୋଗର ଆବଶ୍ୟକତା ପଡ଼ିଲା, ସେ ସମୟରେ ସେ ମୋର ସହଯୋଗ ଲୋଡ଼ିଥିଲେ। ମୋ’ଠୁ ସାନ ଥିଲେ କିନ୍ତୁ ସେଇ ଘଟଣା ପରଠୁ ତାଙ୍କ ଭିତରର ବନ୍ଧୁପଣ ମତେ ବାନ୍ଧି ରଖିଥିଲା। ମୁଁ ମୋର ଜଣେ ଭଲ ବନ୍ଧୁଙ୍କୁ ହରାଇଲି।

୧୨ ବର୍ଷ ପରେ ସିନେମାକୁ ଫେରିଥିଲେ, ‘ଭିଜାମାଟିର ସ୍ବର୍ଗ’ର ସ୍ବତନ୍ତ୍ର ସ୍କ୍ରିନିଂ ହେବ
୧୧ଟା ଚଳଚ୍ଚିତ୍ର ନିର୍ମାଣ କରି ସାରିଥିଲେ ହେଁ ୧୨ତମ ଚଳଚ୍ଚିତ୍ର କରିବାକୁ ତାଙ୍କୁ ୧୨ବର୍ଷ ସମୟ ଲାଗିଗଲା। ପ୍ରଯୋଜକ ଅକ୍ଷୟ ପରିଜା ମନମୋହନଙ୍କୁ ଢେର୍‌ ଦିନ ଅନୁରୋଧ କରି ଆସୁଥିବା ବେଳେ ଶେଷରେ ସେ ରାଜି ହୋଇ ଚଳଚ୍ଚିତ୍ର ନିର୍ମାଣ କଲେ। ଅକ୍ଷୟଙ୍କ କହିବା ଅନୁଯାୟୀ, ସେ କରୁଥିବା ଚଳଚ୍ଚିତ୍ର ଦେଖିବା ବେଳେ ୧୯୭୦ ମସିହାର କାହାଣୀ ଭଳି ଲାଗିବ, କିନ୍ତୁ ଯିଏ ଶେଷ ପର୍ଯ୍ୟନ୍ତ ଦେଖିବ ସେ ତା’ର ମିଠା ଅନୁଭବ କରିପାରିବ। ତାଙ୍କୁ ଶ୍ରଦ୍ଧାଞ୍ଜଳି ସ୍ବରୂପ ‘ଭିଜାମାଟିର ସ୍ବର୍ଗ’ ଚଳଚ୍ଚିତ୍ରର ସ୍ବତନ୍ତ୍ର ସ୍କ୍ରିନିଂ ମନମୋହନ ମହାପାତ୍ରଙ୍କ ଦଶାହ ମଧ୍ୟରେ ଆୟୋଜନ କରିବୁ ବୋଲି ଶ୍ରୀ ପରିଜା କହିଛନ୍ତି।

‘ଉପସଂହାର’ ଦର୍ଶକଙ୍କ ଉପରେ ଛାଡ଼ି ଦେଉଥିଲେ
ସାମାଜିକ ଓ ଅର୍ଥନୈତିକ ପୃଷ୍ଠଭୂମି ଉପରେ ଆଧାରିତ ତାଙ୍କର ଚଳଚ୍ଚିତ୍ରର ପରିଣତିକୁ ସେ ସବୁବେଳେ ଦର୍ଶକଙ୍କ ଉପରେ ଛାଡ଼ି ଦିଅନ୍ତି ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ଅଶୋକ ପାଲିତ୍‌। ଏହା ବ୍ୟତୀତ ତାଙ୍କର ଅଧିକାଂଶ ଚଳଚ୍ଚିତ୍ରରେ ଏକ ଚରିତ୍ରର ନାଁ ରହୁଥିଲା ‘ଆଦିକନ୍ଦ’। ସେହିପରି ତାଙ୍କର ଏକ ଚଳଚ୍ଚିତ୍ର ଶ୍ରେଷ୍ଠ କଳାଧଳା ସିନେମାଟୋଗ୍ରାଫି ପୁରସ୍କାର ମଧ୍ୟ ଲାଭ କରିଥିଲା। ଅନେକ ହୁଏତ ଜାଣିନଥିବେ, ସେ ଏକମାତ୍ର ଓଡ଼ିଆ ନିର୍ଦେଶକ ଭାବେ ୨୦୧୮ ଦାଦା ସାହେବ ଫାଲ୍‌କେ ପୁରସ୍କାର ମନୋନୟନ କମିଟିର ସଦସ୍ୟ ରହିଥିଲେ। ସେଇବର୍ଷ ବିନୋଦ ଖାନ୍ନା ସେଇ ପୁରସ୍କାର ଗ୍ରହଣ କରିଥିଲେ।
ପ୍ରସ୍ତୁତି: ସତ୍ୟନାରାୟଣ ରାଉତରାୟ

ଭୁଲ୍‌କୁ ବି ଭାରି ସୁନ୍ଦର ଭାବେ ବୁଝେଇ ଦିଅନ୍ତି
ଅଭିନୟରେ ଟିକେ ଭୁଲ୍‌ ହେଲେ ବିରକ୍ତ ହୁଅନ୍ତି ନାହିଁ। ଭୁଲ୍‌କୁ ବି ଏତେ ସୁନ୍ଦର ଭାବେ ବୁଝେଇ ଦିଅନ୍ତି, ତାହା ଗୋଟେ ଟେକ୍‌ରେ ଓକେ ହେଇଯାଏ। ଏହା ଥିଲା ତାଙ୍କ ନିର୍ଦେଶକ ବ୍ୟକ୍ତିତ୍ବର ବଡ଼ପଣ। ମନମୋହନଙ୍କ ନିର୍ଦେଶିତ ମଝି ପାହାଚ, ଅନ୍ଧ ଦିଗନ୍ତ, କିଛି ସ୍ମୃତି କିଛି ଅନୁଭୂତି ଓ ଭିଜାମାଟିର ସ୍ବର୍ଗରେ କାମ କରିଥିବା ବିଶିଷ୍ଟ ଅଭିନେତା ମିହିର ଦାସ କହିଛନ୍ତି ଯେ ଢେର୍‌ ଦିନ ପରେ ମୁଁ ପୁଣି ’ଭିଜାମାଟିର ସ୍ବର୍ଗ’ ଭଳି ଚଳଚ୍ଚିତ୍ରରେ ମନ ଲାଖି ଅଭିନୟ କରି ଢେର୍‌ ଶାନ୍ତି ପାଇଥିଲି। ମାତ୍ର ତାଙ୍କ ସାଙ୍ଗରେ ଏଇ ନିକଟରେ ଚଳଚ୍ଚିତ୍ରଟି କରିଥିବା ବେଳେ ସେ ହଠାତ୍‌ ବିଦାୟ ନେଇଯିବାଟା ଗ୍ରହଣ କରିହେଉନି।

ସମ୍ବନ୍ଧିତ ଖବର