‘ଶ୍ରୀ‌କ୍ଷେତ୍ରରେ ମଠାନୁଷ୍ଠାନର ଉତ୍ପତ୍ତି ଓ କ୍ରମବିକାଶ’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ବର: ସୁପ୍ରତିଷ୍ଠିତ ପ୍ରାବନ୍ଧିକ ଭାସ୍କର ମିଶ୍ରଙ୍କ ‘ଶ୍ରୀ‌କ୍ଷେତ୍ରରେ ମଠାନୁଷ୍ଠାନର ଉତ୍ପତ୍ତି ଓ କ୍ରମବିକାଶ’ ଗ୍ରନ୍ଥ ଆଜି ଶ୍ରୀୟା ଛକସ୍ଥିତ ଆମ ଓଡ଼ିଶା କାର୍ଯ୍ୟାଳୟଠାରେ ଉନ୍ମୋଚିତ ହୋଇଯାଇଛି। ଜଗନ୍ନାଥଙ୍କ ସମ୍ପର୍କରେ ଶ୍ରୀ ମିଶ୍ରଙ୍କ ଦ୍ବାରା ରଚିତ ଏହା ୫୨ତମ ପୁସ୍ତକ। ଅଷ୍ଟମ ଶତାବ୍ଦୀଠାରୁ ଶ୍ରୀପୁରୁଷୋତ୍ତମ ଧାମରେ ମଠମାନଙ୍କର ଉତ୍ପତ୍ତି ହୋଇଥିବା ଜଣାଯାଏ। ସର୍ବପ୍ରଥମେ ଆଚାର୍ଯ୍ୟ ଶଙ୍କର ତାଙ୍କର ପ୍ରିୟ ଶିଷ୍ୟ ପଦ୍ମପାଦାଚାର୍ଯ୍ୟଙ୍କୁ ଗୋବର୍ଦ୍ଧନ ମଠର ପୀଠାଧୀଶ ରୂପେ ଅଧିଷ୍ଠିତ କରିଥି‌ଲେ। ଏହାପରେ ରାମାନୁଜ, ରାମାନନ୍ଦ, ଶ୍ରୀଚୈତନ୍ୟ, କବୀର, ନାନକ, ବଲ୍ଲଭାଚାର୍ଯ୍ୟ ପଞ୍ଚଶଖା, ଆଚାର୍ଯ୍ୟ ହରିଦାସ ଠାକୁର ପ୍ରମୁଖ ଅନେକ ଆଚାର୍ଯ୍ୟ, ସାଧୁସନ୍ଥ ଏହି କ୍ଷେତ୍ରକୁ ଆଗମନ କରି ମଠମାନ ସ୍ଥାପନ କରିଥିଲେ। ସଂପ୍ରତି ୧୦୦ରୁ ଅଧିକ ମଠ ଶ୍ରୀକ୍ଷେତ୍ରରେ ପ୍ରତିଷ୍ଠିତ ହୋଇଥିଲେ ହେଁ ନିକଟରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ୭୫ ମିଟର ଉଚ୍ଛେଦ ପ୍ରକ୍ରିୟାରେ କେତେକ ମଠର ବିଜେସ୍ଥଳୀର ଅଧିକାଂଶ ସ୍ଥାନ ଲୋପ ପାଇଯାଇଛି।

ଅତୀତରେ ମଠଗୁଡ଼ିକ ବୈଷ୍ଣବ ଧର୍ମର ପ୍ରଚାର, ପ୍ରସାର ଓ ଶ୍ରୀମନ୍ଦିର ନୀତି, ରୀତି ସହ ଓତଃପ୍ରୋତ ଭାବେ ଜଡ଼ିତ ରହିଆସିଥିଲା। ମଠାନୁଷ୍ଠାନମାନଙ୍କର ଉତ୍ପତ୍ତି ଓ କ୍ରମବିକାଶ ସମ୍ପର୍କରେ କେତେକ ଅନାଲୋଚିତ ତଥ୍ୟ ଏହି ଗ୍ରନ୍ଥରେ ପ୍ରଦାନ କରାଯାଇଛି ବୋଲି ପ୍ରାବନ୍ଧକ ଶ୍ରୀ ମିଶ୍ର ପୁସ୍ତକ ବିଷୟରେ ସାମ୍ୟକ ବିବରଣୀ ଦେଇ କହିଛନ୍ତି। ଗ୍ରନ୍ଥ ପ୍ରକାଶନରେ ବିଶିଷ୍ଟ ସାହିତ୍ୟିକ ପୀତବାସ ରାଉତରାୟ, ପୁଲକ ମିଶ୍ର, ଅସିତ ମହାନ୍ତି, ଅଜିତାଭ ମିଶ୍ର, ରୁନୁ ମିଶ୍ର ଓ ଅନୀଶା ମିଶ୍ର ପ୍ରମୁଖ ସହଯୋଗ କରିଥିବାରୁ ପ୍ରାବନ୍ଧିକ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଉଦ୍‌ଘାଟନୀ ଅବସରରେ ପୌରୁଷର ସମ୍ପାଦକ ଅସିତ ମହାନ୍ତି, ଆମ ଓଡ଼ିଶାର ସମ୍ପାଦକ ‌ସ୍ବରାଜ ମିଶ୍ର ଓ ‘ସମ୍ବାଦ’ର ଉପମହାପ୍ରବନ୍ଧକ (ବାର୍ତା) ଭବାନୀଶଙ୍କର ତ୍ରିପାଠୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର