ହାଇକୋର୍ଟଙ୍କ ରାୟରେ ବଳି ପଡ଼ିଲା ଆଦିବାସୀଙ୍କ ସ୍ବାର୍ଥ

ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଆଇନଗତ ଓ ବୈଧାନିକ ନିରାକରଣ କରନ୍ତୁ

ଭୁବନେଶ୍ବର: ୧୯୫୬ ଜନଜାତିଙ୍କ ଜମି ହସ୍ତାନ୍ତର ନିଷେଧ ଆଇନ-୨୦୦୦ ସଂଶୋଧିତ ଧାରାକୁ ଓଡ଼ିଶା ହାଇକୋର୍ଟ ଅବୈଧ ଘୋଷଣା କରିବା ଆଇନର ମୂଳ ଲକ୍ଷ୍ୟକୁ ବିଚ୍ୟୁତ କରିଛି। ରାଜ୍ୟ ସରକାର ଏହି ମାମଲାରେ ପକ୍ଷଭୁକ୍ତ ହୋଇଥିବା ବେଳେ ରାୟ ପ୍ରକାଶ ପାଇବା ପରେ ମଧ୍ୟ ଚୁପ୍ ବସିଛନ୍ତି। ଏହି ରାୟ ବିରୋଧରେ ସରକାର ସର୍ବୋଚ୍ଚ ନ୍ୟାୟାଳୟକୁ ଯିବା କିମ୍ବା ପୁଣିଥରେ ହାଇକୋର୍ଟରେ ରିଭ୍ୟୁ ପିଟିସନ୍ ଦାଖଲ କରିବା ନଚେତ୍ ରାଜ୍ୟପାଳଙ୍କ କ୍ଷମତା ପ୍ରୟୋଗ କରି ସାମ୍ବିଧାନିକ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି କରିଛି ଲୋକଶକ୍ତି ଅଭିଯାନ।

ଆଜି ଅଭିଯାନ ପକ୍ଷରୁ ଲୋହିଆ ଏକାଡେମିଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷ ପ୍ରଫୁଲ୍ଲ ସାମନ୍ତରା କହିଲେ,୨୦୦୦ ମସିହାର ସଂଶୋଧିତ ଧାରା ୩(ବି)ରେ ୧୯୫୬ରୁ ୨୦୦୦ ମସିହା ପର୍ଯ୍ୟନ୍ତ ମୂଳ ଆଇନକୁ ଉଲ୍ଲଂଘନ କରି ହସ୍ତାନ୍ତର ହୋଇଥିବା ଆଦିବାସୀଙ୍କ ଜମିକୁ ଅଣଆଦିବାସୀଙ୍କଠାରୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା ରହିଛି। ୨୦୦୨ ମସିହାରେ ଏହା ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଥିଲା। ଏହି ଆଇନ ଦ୍ବାରା ଜମି ମାଲିକମାନଙ୍କୁ ୨ବର୍ଷର ମହଲତ ଦିଆଯାଇଥିଲା। ହେଲେ ୧୦୫ଜଣ ସାହୁକାରଙ୍କ ସମେତ ଅଣଆଦିବାସୀ ଜମି ମାଲିକମାନେ ଦଲିଲ ଦାଖଲ କରିବାରେ ଅସମର୍ଥ ହେବା ପରେ ୨୦୦୬ ମସିହାରେ ହାଇକୋର୍ଟରେ ରିଟ୍ ପିଟିସନ୍ ଦାଖଲ କରିଥିଲେ। ଦୀର୍ଘ ୧୩ବର୍ଷ ପରେ ହାଇକୋର୍ଟରେ ଏହି ଆଇନର ମୂଳ ଉଦ୍ଦେଶ୍ୟକୁ ଧ୍ୟାନ ନ ଦେଇ ଏହି ଆଇନ ସଂଶୋଧନ ପୂର୍ବ ସମୟରୁ ଲାଗୁ ହେବ ନାହିଁ ବୋଲି ନିର୍ଦେଶ ଦେଇଛନ୍ତି। ଯାହାଫଳରେ ଏହି ଆଇନ ଆଦିବାସୀଙ୍କ ସ୍ବାର୍ଥ ଓ ନ୍ୟାୟ ପାଇଁ ଥିବା ଆଇନକୁ ବଳି ପକାଇ ଦେଇଛି। ଏହି ପରିପ୍ରେକ୍ଷୀରେ ଅଭିଯାନ ପକ୍ଷରୁ ଆଜି ରାଜ୍ୟପାଳଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ରାଜ୍ୟପାଳ ଏହାକୁ ଗୁରୁତ୍ବର ସହିତ ଗ୍ରହଣ କରିବା ସହିତ ଆଇନ ଅନୁସାରେ ରାଜ୍ୟପାଳ ଏ ନେଇ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଶ୍ରୀ ସାମନ୍ତରା କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ମକରନ୍ଦ ମୁଦୁଲି ଓ ଯୁବନେତା ମାନସ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର