‌‌କୋଉଠି ଶୁଖିଲା, କୋଉଠି ବନ୍ୟା

ଭୁବନେଶ୍ବର: ରାଜଧାନୀ‌ରେ ଆଜି ଏକ ବିଚିତ୍ର ସ୍ଥିତି ଦେଖିବାକୁ ମିଳିଥିଲା। ସ୍ଥାନେ ସ୍ଥା‌‌ନେ ପ୍ରବଳ ବର୍ଷା ହୋଇ ବନ୍ୟାର ଭ୍ରମ ସୃଷ୍ଟି କରିଥିବା ବେଳେ ଆଉ କିଛି ସ୍ଥାନରେ ପାଗ ଶୁଖିଲା ରହିଥିଲା। ଅପରାହ୍‌ଣ ପ୍ରାୟ ୩ଟା ବେଳେ ନୂଆପଲ୍ଲୀ, ୟୁନିଟ୍‌-୮, ବରମୁଣ୍ଡା, ପୁରୁଣା ଭୁବନେଶ୍ୱର, ପଟିଆ ଓ ଏୟା‌ରପୋର୍ଟ ଆଦି ଅଞ୍ଚଳରେ ହଠାତ୍‌ କଳାହାଣ୍ଡିଆ ମେଘ ଘୋଟି ଆସି ପ୍ରବଳ ବର୍ଷା ହୋଇଥିଲା। ବିଶେଷକରି ନୂଆପଲ୍ଲୀ ଓ ୟୁନିଟ୍‌-୮ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ଘରେ ପାଣି ପଶି ଯାଇଥିଲା। ବେହେରା ସାହି ଓ ଇସ୍କନ୍‌ ମନ୍ଦିର ସମ୍ମୁଖରେ ଅଣ୍ଟାଏ ଉଚ୍ଚର ପାଣି ଜମି ଯାଇଥିଲା। ସେହିପରି ଜୟଦେବ ବିହାର, ଆଚାର୍ଯ୍ୟ ବିହାରରେ ମଧ୍ୟ ବର୍ଷା ହୋଇଥିଲା। କିନ୍ତୁ ବାଣୀବିହାରରୁ ରସୁଲଗଡ଼, ପଳାସୁଣି ଆଦି ଅଞ୍ଚଳରେ ବର୍ଷାର ନା ଗନ୍ଧ ନଥିଲା। ଆକାଶ ଆଂଶିକ ମେଘୁଆ ଥିଲେ ହେଁ ଟୋପାଏ ବି ବର୍ଷା ହୋଇନଥିଲା।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ଆଜି ରାଜଧାନୀର ପାଗ ମୁଖ୍ୟତଃ ଖରାଟିଆ ରହିଥିଲା। ଅପରାହ୍‌ଣରେ କିଛି ସ୍ଥାନରେ ବର୍ଷା ହୋଇଥିଲା। ସଂଧ୍ୟା ସାଢ଼େ ୫ଟା ସୁଦ୍ଧା ପଟିଆରେ ୧ ମିମି, ଏୟାରପୋର୍ଟ ଅଞ୍ଚଳରେ ୧.୨ ମିମି, ବାଲିପାଟଣାରେ ୨ ମିମି ବର୍ଷା ହୋଇଯାଇଛି। ସିଆର୍‌ପି, ଜୟଦେବ ବିହାର ଓ ଆଚାର୍ଯ୍ୟ ବିହାରରେ ଟିକେ ଅଧିକ ବର୍ଷା ହୋଇଥିଲେ ‌ବି ସେଠାରେ ବର୍ଷାର ପରିମାଣ କେତେ, ଜଣାପଡ଼ିନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର