‌ଫୋନ୍‌ ଇନ୍‌ ପ୍ଲିଜ: ରାଜ୍ୟ ପାଇଁ ଅସଲ ପରୀକ୍ଷାର ବେଳ

ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ୍‌ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିଛନ୍ତି। ବର୍ତ୍ତମାନର ସଂକଟ ସମୟରେ ଏହା ଦେଶର ମୁଦ୍ରାସ୍ଫୀତିକୁ ହ୍ରାସ କରିବାରେ ନିଶ୍ଚିତ ଭାବେ ସହାୟକ ହେବ। ତେବେ ରାଜ୍ୟ ସରକାର ବି ତେଲ ଉପରୁ ଭାଟ୍‌ କମାଇ ତାଙ୍କ ଦାୟିତ୍ବ ନିଭାନ୍ତୁ। ଏହାଦ୍ବାରା ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦର କମିବ ଓ ଗରିବ, ମଧ୍ୟବିତ୍ତମାନେ ଆଶ୍ବସ୍ତ ହୋଇପାରିବେ। ତେଲ ଦରବୃଦ୍ଧିକୁ ନେଇ ଓଡ଼ିଶା ସରକାର ସବୁବେଳେ କେନ୍ଦ୍ର ସରକାରଙ୍କୁ ଦୋଷ ଦେଇ ଆସୁଥିଲେ। କେନ୍ଦ୍ର ତ ତା’ କାମ କରିଦେଇଛି। ଏବେ ଓଡ଼ିଶା ସରକାରଙ୍କ ପାଇଁ ପରୀକ୍ଷାର ବେଳ। ରାଜ୍ୟବାସୀଙ୍କ ପାଇଁ ତାଙ୍କର ଦରଦ କେତେ, ଏବେ ଜଣାପଡ଼ିଯିବ। ଚଳିତଥରର ଫୋନ୍‌-ଇନ୍‌-ପ୍ଲିଜ୍‌ର ପ୍ରସଙ୍ଗ ‘ପେଟ୍ରୋଲ ଦର: କେନ୍ଦ୍ର କମାଇଲା, ଏବେ ରାଜ୍ୟ କୋର୍ଟରେ ବଲ୍‌’ରେ ପ୍ରତିକ୍ରିୟା ରଖି ଅଧିକାଂଶ ପାଠକ ଏପରି ମତାମତ ଦେଇଛନ୍ତି।

ବିଶ୍ବର ସବୁଠୁ ବଡ଼ ବିକଶିତ ଦେଶ ଭାବେ ଜଣାଶୁଣା ଆମେରିକାରେ ମୁଦ୍ରାସ୍ଫୀତି ୪୦ ବର୍ଷର ରେକର୍ଡ କାଟି ସାରିଲାଣି। ସେଠାକାର ସରକାର ବୁଝିପାରୁନାହାନ୍ତି, ଏହାକୁ ନିୟନ୍ତ୍ରଣ କରିବେ କେମିତି। ଖାଲି ଆମେରିକା ନୁହେଁ, ବିଶ୍ବର ବହୁ ବଡ଼ ବଡ଼ ଅର୍ଥନୀତି ଏହାଦ୍ବାରା ପ୍ରଭାବିତ ହୋଇସାରିଲାଣି। ତାଙ୍କ ଆଗରେ ଅନେକ ସମସ୍ୟା ରହିଛି। ଅର୍ଥନୀତି ବିଶାରଦଙ୍କ କହିବା କଥା, ବିଶ୍ବ ଏକ ବଡ଼ ମାନ୍ଦାବସ୍ଥା ଆଡ଼କୁ ଗତି କରୁଛି। କିନ୍ତୁ ଭାରତରେ ସେଭଳି ସ୍ଥିତି ନାହିଁ। କେବଳ ତୈଳ (ପେଟ୍ରୋଲ, ଡିଜେଲ୍‌) ଦର ନିୟନ୍ତ୍ରଣ କରିଦେଲେ, ଭାରତ ବଡ଼ ଆରାମରେ ଏଭଳି ସଂକଟରୁ ମୁକୁଳିପାରିବ ଓ ମୁଦ୍ରାସ୍ଫୀତିକୁ ହ୍ରାସ କରିହେବ। କେନ୍ଦ୍ର ସରକାର ତୈଳ ଦର ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରି ଅଧା‌ କାମ କରିଦେଇଛନ୍ତି। ଏବେ ରାଜ୍ୟ ସରକାର ମଧ୍ୟ ଭାଟ୍‌ ହ୍ରାସ କରି ତାଙ୍କ ଦାୟିତ୍ବ ନିଭାନ୍ତୁ।
-ଶ୍ରୀଦିଶା ମହାନ୍ତି, ଡୁମୁଡୁମା

କେନ୍ଦ୍ର ସରକାର ପେଟ୍ରୋଲ ଦର କମ୍‌ କରିଥିବାରୁ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରିବାକୁ ହେବ। ହେଲେ ରାଜ୍ୟ ସରକାରମାନେ ମଧ୍ୟ ନିଜ ଭାଟ୍ କମାଇବା ଆବଶ୍ୟକ।
-ଦିବ୍ୟଲୋଚନ ଭାରୀମଲ୍ଲ, ଖୋର୍ଦ୍ଧା

ଓଡ଼ିଶା ସରକାର ମଧ୍ୟ ଭାଟ୍ କମାଇବା ଆବଶ୍ୟକ। ତା’ହେଲେ ଯାଇ ସନ୍ତୁଳନ ରକ୍ଷା ହୋଇପାରିବ।
-ରମେଶ ଚନ୍ଦ୍ର ପାତ୍ର, ସତ୍ୟନଗର

କେନ୍ଦ୍ର ସରକାର ଦର କମାଇବା ପରେ ରାଜ୍ୟ ସରକାର ମଧ୍ୟ ପେଟ୍ରୋଲ ଦର କମାଇବା ଆବଶ୍ୟକ। ନଚେତ୍ ଆଗାମୀ ଦିନରେ ଲୋକଙ୍କ ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଦାୟୀ କରି ପାରିବେ ନାହିଁ।
-ବୁଲୁ ପଟ୍ଟନାୟକ, ରସୁଲଗଡ଼

ପେଟ୍ରୋଲ ଓ ଡିଜେଲ୍ ଦର କମ୍, ବୃଦ୍ଧିକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ରାଜନୀତି ଚାଲିଛି। କିଛି ସମୟ ପାଇଁ ଦର ହ୍ରାସ କରିବା ପରେ ପୁଣି ବିଭିନ୍ନ ଆଳ ଦେଖାଇ କମାଇଥିବା ଦରଠାରୁ ଦୁଇଗୁଣା ବୃଦ୍ଧି କରି ଦିଆଯିବ। ମୋତେ ତ ଲାଗୁଛି, ଆଗାମୀ ଦିନରେ ଅହେତୁକ ଦର ବଢ଼ାଇବା ପାଇଁ ଏବେ ଦର ହ୍ରାସ କରାଯାଇଛି। ଏହା ପଛରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କିଛି ବଡ଼ ଯୋଜନା ନାହିଁ ତ?
-ଶ୍ରୀଧର ବଳିୟାରସିଂ, ବରମୁଣ୍ଡା

ତେଲ ଦରବୃଦ୍ଧିକୁ ନେଇ ଓଡ଼ିଶା ସରକାର ସବୁବେଳେ କେନ୍ଦ୍ରକୁ ଦୋଷ ଦେଇ ଆସୁଥିଲେ। କେନ୍ଦ୍ର ସରକାର ତ କମ୍‌ କରି ନିଜ କର୍ତ୍ତବ୍ୟ ସାରି ଦେଇଛନ୍ତି। ଏବେ ଓଡ଼ିଶା ସରକାର ମଧ୍ୟ ନିଜ କର୍ତ୍ତବ୍ୟ ସଂପାଦନ କରିବା ଦରକାର।
-ଶିବସୁନ୍ଦର ମିଶ୍ର, ପୁରୀ

୪୦ ଟଙ୍କା ବଢ଼ାଇ ଦେଇ ୯ଟଙ୍କା କମାଇବା ସନ୍ତୋଷଜନକ ନୁହେଁ। ୨୦୧୭ ମସିହାର ପେଟ୍ରୋଲ ଦର ଲାଗୁ କରାଗଲେ ଭଲ ହେବ।
-ବୀରେନ୍ଦ୍ର ଭୂଷଣ ହୋତା, ପୁରୀ

ରାଜ୍ୟମାନଙ୍କ ପରାମର୍ଶକ୍ରମେ କେନ୍ଦ୍ର ଦର କମ୍‌ କରିଛନ୍ତି।
-ପ୍ରକାଶ ଚନ୍ଦ୍ର ବାରିକ, ପୁରୀ

ସହଭାଗିତା ଭିତରେ କେନ୍ଦ୍ର ଓ ରାଜ୍ୟ କାମ କରନ୍ତି। ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହିସାବରେ ମୁଖ୍ୟମନ୍ତ୍ରୀ ମଧ୍ୟ ଏ ଦିଗରେ କାମ କରିବା ଦରକାର।
-ସଚିତ୍ର କୁମାର ପାତ୍ର, ନୂଆପଲ୍ଲୀ
-ଅଜୟ କୁମାର ମିଶ୍ର, ୟୁନିଟ ୮

ତେଲ ଦର କମିବା ଫଳରେ ସାମାନ୍ୟ ଆଶ୍ୱସ୍ତି ମିଳିଛି, କିନ୍ତୁ ଏତିକି ଯଥେଷ୍ଟ ନୁହେଁ। ଜଣେ ମଧ୍ୟବିତ୍ତ ପରିବାର ୧୦୦ ଟଙ୍କା ଦେଇ ପେଟ୍ରୋଲ ପକାଇବା ସମ୍ଭବ ନୁହେଁ। ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ। ଏକ ନିର୍ଦ୍ଦିଷ୍ଟ ସୀମା ଭିତରେ ପେଟ୍ରୋଲ, ଡିଜେଲ୍‌ ଦର ରହିବା ଆବଶ୍ୟକ। ଗରିବ, ମଧ୍ୟବିତ୍ତଙ୍କ ପକେଟ୍‌କୁ ନ ବାଧିଲା ପରି ଦରଧାର୍ଯ୍ୟ ହେଉ।
-ସୁଧାକର ଦାସ, ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ
-ନୀଳମଣି ମିଶ୍ର, ସୁନ୍ଦରପଦା

ବିମୁଦ୍ରୀକରଣ ଯୋଗୁଁ ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ବ୍ରେକ୍‌ ଲାଗିଛି। ଅନ୍ୟ କ୍ଷେତ୍ରଗୁଡ଼ିକ ଭଳି ତୈଳ ଆମଦାନି ଓ ଶକ୍ତି ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଆର୍ଥିକ ସଂକଟ ଉଭା ହୋଇଛି। କେନ୍ଦ୍ର ସରକାର ୨୦୨୧ ନଭେମ୍ବର ୩ ତାରିଖରେ ପେଟ୍ରୋଲ୍‌ ଓ ଡିଜେଲ ଉପରୁ ଉତ୍ପାଦ ଶୁକ୍ଳ ହ୍ରାସ କରିଥିଲେ। ଏବେ ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧି ଯୋଗୁଁ ତାହାର ମୁକାବିଲା ପାଇଁ ଆଉ ଥରେ ବାଧ୍ୟ ହୋଇ ଉତ୍ପାଦ ଶୁକ୍ଳ ହ୍ରାସ କରିଛନ୍ତି। ଏହା ସ୍ବାଗତଯୋଗ୍ୟ ପଦକ୍ଷେପ।
-କମଳାକାନ୍ତ ସେନାପତି, ନାଗେଶ୍ବରଟାଙ୍ଗୀ, ଭୁବନେଶ୍ବର

ପେଟ୍ରୋଲ, ଡିଜେଲର ମୂଲ୍ୟ ବୃଦ୍ଧି ଯୋଗୁଁ ସାଧାରଣ ଲୋକ ଅଣନିଶ୍ବାସୀ ହୋଇ ପଡ଼ିଛନ୍ତି। ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଅହେତୁକ ମୂଲ୍ୟ ବୃଦ୍ଧି ଘଟିଛି। ଏବେ ତୈଳଦର ହ୍ରାସ ଫଳରେ ଅନ୍ୟ ଦରଦାମ୍‌ ହ୍ରାସ ହେବ। କେନ୍ଦ୍ର ସରକାର ଯେଉଁଭଳି ଭାବେ ତୈଳଦର ଉପରୁ ଟିକସ ହ୍ରାସ କରିଛନ୍ତି, ରାଜ୍ୟ ସରକାର ମଧ୍ୟ ଭାଟ୍‌ ହ୍ରାସ କରିବା ଦରକାର। ସାଧାରଣ ଲୋକମାନେ ଆହୁରି ଆଶ୍ବସ୍ତି ପାଇବେ।
-ବିଶ୍ବଜିତ୍‌ ଶତପଥୀ, କେନ୍ଦୁଝର
-ଶରତ କୁମାର ବଳିଆରସିଂହ, କଣାସ
-ନରେନ୍ଦ୍ରନାଥ ସେନାପତି, ଭୁବନେଶ୍ବର

୨ମାସ ତଳେ କେନ୍ଦ୍ର ସରକାର ତେଲ ଦର ୧୦ଟଙ୍କା ବୃଦ୍ଧି କରିଥିଲେ। ଏବେ ୯ଟଙ୍କା ୫୦ପଇସା ହ୍ରାସ କରି ସାଧାରଣଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରିବା ଛଡ଼ା ଆଉ କିଛି ନୁହେଁ। କିନ୍ତୁ କେନ୍ଦ୍ର ସରକାର ସବୁବେଳେ ତୈଳ କମାଇବା ବେଳେ ରାଜ୍ୟ ସରକାର ଚୁପ୍‌ ରହୁଛନ୍ତି। ରାଜ୍ୟ ସରକାର ବି ଯଦି କେନ୍ଦ୍ର ଭଳି ତୈଳଦର ଉପରୁ ଭାଟ୍‌ ହ୍ରାସ କରନ୍ତେ, ତେବେ ଦରଦାମ୍‌ ବୃଦ୍ଧିରୁ ଲୋକମାନେ ଆଶ୍ବସ୍ତି ପାଇବେ।
-ଆହ୍ବାନ କୁମାର ପାଇକରାୟ, ୟୁନିଟ-୩

ଉତ୍ପାଦ ଶୁକ୍ଳ ହ୍ରାସ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ରାଜ୍ୟର ବିରୋଧୀ ଦଳମାନେ ଦାବି କରୁଥିଲେ। ଏବେ ପେଟ୍ରୋଲ୍‌ ଓ ଡିଜେଲ୍‌ ଉପରେ ଭାଟ୍‌ ହ୍ରାସ କରିବା ପାଇଁ ରାଜ୍ୟ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ଦରକାର। ଫଳରେ ଆହୁରି ଦର ହ୍ରାସ ହୋଇପାରିବ।
-ଛାୟାକାନ୍ତା ନାୟକ, ବାଲିଘାଟ, ପୁରୀ
-ନଗେନ୍ଦ୍ରନାଥ ମିଶ୍ର, ସାମନ୍ତରାପୁର
-ଜ୍ୟୋତି ପ୍ରକାଶ ମହାନ୍ତି, ବାଲିପାଟଣା

ପେଟ୍ରୋଲ ଓ ଡିଜେଲ୍‌ ଦାମ୍‌ ବୃଦ୍ଧି ହୋଇଥିବାରୁ ସାରା ଦେଶର ଲୋକମାନେ ବହୁତ ହଇରାଣ ହେଉଥିଲେ। ଏହାକୁ ନଜରରେ ରଖି କେନ୍ଦ୍ର ଉତ୍ପାଦ ଶୁକ୍ଳ କମାଇବା ପରେ ମଧ୍ୟ ଦର ୧୦୦ଟଙ୍କା ଉପରେ ରହିଛି। ତେଣୁ ଏବେ ରାଜ୍ୟ ସରକାରଙ୍କ କର୍ତ୍ତବ୍ୟ ଭାଟ୍‌ କମାଇ ଏହାକୁ ଶହେ ତଳକୁ ଆଣନ୍ତୁ। ପରିବହନ ଖର୍ଚ୍ଚ କମିଲେ ଅତ୍ୟାବଶ୍ୟକ ସାମଗ୍ରୀର ଦର ମଧ୍ୟ କମିବ।
-ସେକ୍‌ ୟାକୁବ୍‌, ଗୋପ, ପୁରୀ

ବିଜୁ ଜନତା ଦଳ ସବୁବେଳେ ତୈଳ ଦର ଓ ଦରଦାମ୍‌ ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦିବାରେ ଅଭ୍ୟସ୍ତ। ଏବେ କେନ୍ଦ୍ର ସରକାର ତ ଉତ୍ପାଦ ଶୁକ୍ଳ ହ୍ରାସ କରିଛନ୍ତି। ତେଣୁ ରାଜ୍ୟ ସରକାର ବି ଭାଟ୍‌ କମାନ୍ତୁ।
-ରମେଶ ଚନ୍ଦ୍ର ପଟ୍ଟନାୟକ, ନୂଆପଲ୍ଲୀ

କେନ୍ଦ୍ର ସରକାର ତୈଳ ଦର ଉପରୁ ଆହୁରି ଉତ୍ପାଦ ଶୁକ୍ଳ ହ୍ରାସ କରିବା ଦରକାର। କାରଣ ତୈଳ ଦର କମ୍‌ ରହିଲେ, ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦର ମଧ୍ୟ କମ୍‌ ରହିବ। ଏଥିରେ ରାଜ୍ୟ ସରକାର ମଧ୍ୟ ସମାନ ଭାବେ ତୈଳଦର ଉପରୁ ଭାଟ୍‌ ହ୍ରାସ କରିବା ଦରକାର।
-ଶ୍ରୀବତ୍ସ ମହାନ୍ତି, ଯାଁଳା

ନିକଟରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କୁ ଭେଟିବା ସମୟରେ ପେଟ୍ରୋଲ ଓ ଡିଜେଲ ଦର ଉପରୁ ଭାଟ୍‌ ହ୍ରାସ କରିବା ପାଇଁ ଆହ୍ବାନ ଦେଇଥିଲେ। ତେଣୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତୈଳ ଦର ଉପରୁ ଭାଟ୍‌ ହ୍ରାସ କଲେ ଲୋକମାନେ ଉପକୃତ ହେବେ ଏବଂ ସମସ୍ତ ଦରଦାମ୍‌ କମିବ।
-ଦୀନନାଥ ଦାସ, ଲକ୍ଷ୍ମୀସାଗର

ପେଟ୍ରୋଲ ଓ ଡିଜେଲ ଉପରୁ କେନ୍ଦ୍ର ସରକାର ଉତ୍ପାଦ ଶୁକ୍ଳ କମାଇଛନ୍ତି। ରାଜ୍ୟ ସରକାରଙ୍କ ମଧ୍ୟ ଦାୟିତ୍ବ, ଭାଟ୍‌ ହ୍ରାସ କରନ୍ତୁ। ଏହାଦ୍ବାରା ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ଦର କମିବ।
-ଅକ୍ଷୟ କୁମାର ନାୟକ, ନିମାପଡ଼ା, ପୁରୀ

ସମ୍ବନ୍ଧିତ ଖବର