ଭୁବନେଶ୍ବର: ପରିତ୍ୟକ୍ତ କୁଣ୍ଡରେ ପରିଣତ ହେଲାଣି ଐତିହ୍ୟ କୂଅ। ଯେଉଁ କୂଅ ଦିନେ କାଚକେନ୍ଦୁ ପାଣିରେ ଭରି ରହିଥିଲା ତାହା ଏବେ ଶୁଖିଲା ପଡ଼ିଛି। ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପରିସରରେ ଥିବା ପୁରାତନ ଐତିହ୍ୟ କୂଅ ମୃତପ୍ରାୟ ଅବସ୍ଥାରେ ପହଞ୍ଚିଲାଣି। ଅଥଚ ଏହାକୁ ପୁନରୁଦ୍ଧାର କରିବା ତ ଦୂରର କଥା ମୃତ୍ୟୁମୁଖରୁ ବଞ୍ଚାଇବା ପାଇଁ ବି ସାମାନ୍ୟତମ ଉଦ୍ୟମ ହୋଇନାହିଁ। ଦିନେ ଏଇ କୂଅର ପାଣିକୁ ଲିଙ୍ଗରାଜ ମନ୍ଦିରକୁ ପ୍ରବେଶ ପୂର୍ବରୁ ପାଦ ପ୍ରକ୍ଷାଳନ ପାଇଁ ବ୍ୟବହାର ହେଉଥିଲା। କାଳକ୍ରମେ ଏହି କୂଅରୁ ମୋଟର୍ ଯୋଗେ ପାଣି ଉଠାଇ ପାଦ ପ୍ରକ୍ଷାଳନରେ ବିନିଯୋଗ କରାଗଲା। ଭକ୍ତ, ବ୍ୟବସାୟୀ ଓ ସ୍ଥାନୀୟ ବାସିନ୍ଦାମାନେ ମଧ୍ୟ ଏହି କୂଅର ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରୁଥିଲେ। କିନ୍ତୁ ଯେବେଠୁ ପୂର୍ତ ବିଭାଗ ପକ୍ଷରୁ ପାଣିଟାଙ୍କିର ବ୍ୟବସ୍ଥା ହେଲା, ସେବେଠୁ ଏହାର ଆଉ ଆବଶ୍ୟକ ପଡ଼ିଲା ନାହିଁ। କୂଅର ମହତ୍ତ୍ବକୁ କେହି ହୃଦୟଙ୍ଗମ କରିବାପାଇଁ ମଧ୍ୟ ଚେଷ୍ଟା କଲେ ନାହିଁ। ଏ ଅବସ୍ଥା ଆଜିର ନୁହେଁ, ଦୀର୍ଘଦିନ ହେବ କୂଅଟି ଏଭଳି ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ଏ ଅଞ୍ଚଳର କିଛି ବାସିନ୍ଦାଙ୍କ କହିବା ମୁତାବକ, ବାପା ଜେଜେ ଅମଳରେ କୂଅଟି ଥିଲା ଏଇ ଆଖପାଖ ଅଞ୍ଚଳର ସାହା ଭରସା। ଆଜି କିନ୍ତୁ ଏହା କୋଣଠେସା ହୋଇଯାଇଛି। ଏନେଇ ସାମାଜିକ କର୍ମୀ ସୁଶାନ୍ତ ସାହୁ କୁହନ୍ତି, କୂଅଟି ଆବର୍ଜନା, ପଲିଥିନ୍ମୟ ହେଲାଣି। କାଳକ୍ରମେ ଯେ ଏହା ପୋତି ହୋଇ ନଯିବ ତାହା କହିହେବ ନାହିଁ। ଜଳସଙ୍କଟ ଆସିଲେ ହିଁ ଏହି କୂଅ କଥା କହି ଅନେକ ବାହୁନନ୍ତି। କିନ୍ତୁ କେବେ ପୁନରୁଦ୍ଧାର ପାଇଁ କେହି ସ୍ବର ଉଠାନ୍ତି ନାହିଁ। ଯଦି ଏହାକୁ କୌଣସିମତେ ପୁନରୁଦ୍ଧାର କରାଯାଇପାରନ୍ତା ତେବେ ଆଉ ପୂର୍ତ ବିଭାଗକୁ ପାଦ ପ୍ରକ୍ଷାଳନ ପାଇଁ ହଜାର ହଜାର ଲିଟର ପାଣି ଯୋଗାଇବାକୁ ପଡ଼ନ୍ତା ନାହିଁ। ଏହାକୁ ପାନୀୟ ଜଳ ଭାବେ ମଧ୍ୟ ବ୍ୟବହାର କରାଯାଇପାରନ୍ତା ବୋଲି ଶ୍ରୀ ସାହୁ କହିଛନ୍ତି। ଏନେଇ ଶ୍ରୀ ସାହୁ ଲିଙ୍ଗରାଜ ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ପୁନରୁଦ୍ଧାର ପାଇଁ ଦାବି କରିଛନ୍ତି।
ଐତିହ୍ୟ କୂଅ ପରିତ୍ୟକ୍ତ
/sambad/media/post_attachments/wp-content/uploads/2019/03/Untitled-25-10.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)