ବାରଙ୍ଗ: ଡକାୟତି ଯୋଜନା କରୁଥିବା ବେଳେ କୁଆଖାଇ ନଦୀପଠାରେ ୬ ଡକାୟତଙ୍କୁ କାବୁ କରିଛି କମିସନରେଟ୍‌ ପୁଲିସ। ଗତକାଲି ରାତିରେ ସ୍ଥାନୀୟ କଲ୍ୟାଣପୁର ଗାଁର ଏହି ଗ୍ୟାଙ୍ଗ୍‌ ନନ୍ଦନକାନନ ଥାନା ପୁଲିସ ପଞ୍ଝାରେ ପଡ଼ିଛି। ସେମାନେ ହେଲେ ସୁଶୀଲ୍‌ ସାହୁ ଓରଫ ଗଣେଶ(୩୪), ସନ୍ତୋଷ ବେହେରା ଓରଫ ସନ୍ତୁ(୩୨), ଜିତେନ୍ଦ୍ର ସ୍ୱାଇଁ ଓରଫ ଜିତୁ(୩୫), ମନୋଜ ସ୍ୱାଇଁ ଓରଫ ମଣ୍ଟୁ(୨୮), ପ୍ରତାପ ସ୍ୱାଇଁ(୪୫) ଓ ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ବାଣପୁର ଗାଁର ଗଣେଶ ଜେନା(୨୩)। ସେମାନଙ୍କଠାରୁ ଗୋଟିଏ ଦେଶୀ ପିସ୍ତଲ, ୬ଟି ଗୁଳି, ୨ଟି ଖଣ୍ଡା ଓ ରଡ୍‌ ଭଳି ମାରଣାସ୍ତ୍ର ସହ ଗୋଟିଏ ସ୍କର୍ପିଓ, ୩ ବାଇକ୍‌ ଜବତ କରାଯାଇଛି। ଏହି ଗ୍ୟାଙ୍ଗ୍‌କୁ ଠାବ କରିବାକୁ ପୁଲିସ ବହୁଦିନ ହେଲା ପିଛା କରୁଥିଲା ଏବଂ ଗତକାଲି ରାତିରେ ସଫଳତା ମିଳିଛି ବୋଲି ପୁଲିସ ସୂଚନା ଦେଇଛି। ଏହି ଗ୍ୟାଙ୍ଗ୍‌ ବିଳମ୍ବିତ ରାତିରେ ରାସ୍ତାରେ ଲୋକଙ୍କୁ ଜଗି ଛିନ୍‌ତାଇ କରୁଥିବା ନେଇ ଅଭିଯୋଗ ହୋଇଆସୁଥିଲା। 
ସାମ୍ବାଦିକଙ୍କୁ ସୂଚନା ଦେଇ ଏସିପି ସୋନାଲି ସିଂ ପର୍‌ମାର୍‌ କହିଛନ୍ତି ଯେ ଗତକାଲି ରାତିରେ ଏହି ଡକାୟତ ଗ୍ୟାଙ୍ଗ୍‌ କୁଆଖାଇ ନଦୀ ପଠାରେ ଏକାଠି ହୋଇଥିବା ନେଇ ପୁଲିସକୁ ଖବର ମିଳିଥିଲା। ଡକାୟତମାନେ ବନ୍ଧୁକ, ଖଣ୍ଡା ଭଳି ମାରଣାସ୍ତ୍ରରେ ସଜ୍ଜିତ ଥିବା ଖବର ପାଇ ପୁଲିସ ଟିମ୍‌ ସତର୍କତାର ସହ ଚଢ଼ଉ କରିଥିଲା। ଆଇଆଇସି ସମିତା ମିଶ୍ରଙ୍କ ତତ୍ତ୍ବାବଧାନରେ ଏକ ସ୍ବତନ୍ତ୍ର ଟିମ୍‌ ଏହି ଟିମ୍‌ ଚଢ଼ଉ କରିଥିଲା। ଡକାୟତମାନେ ମଦ ପିଉଥିବା ବେଳେ ହିଁ ପୁଲିସ ଟିମ୍‌ ସେମାନଙ୍କୁ ଘେରି ଯାଇଥିଲା। ହଠାତ୍ ପୁଲିସକୁ ଦେଖି ସେମାନେ ଅପ୍ରସ୍ତୁତ ହୋଇପଡ଼ିଥିଲେ। ଏମିତିକି ସେମାନେ ମାରଣାସ୍ତ୍ର ଉଠାଇବାକୁ ସୁଯୋଗ ପାଇନଥିଲେ। ପୁଲିସ ଟିମ୍‌ ସେମାନଙ୍କୁ କାବୁ କରିବା ସହ ମାରଣାସ୍ତ୍ରଗୁଡ଼ିକ ଜବତ କରିଥିଲା। ସେମାନଙ୍କୁ ଥାନାକୁ ଆଣି ପଚରାଉଚରା କରିବା ବେଳେ ସେମାନେ ମ‌ଞ୍ଚେଶ୍ବର ଅଞ୍ଚଳରେ ଏକ ବଡ଼ଧରଣର ଡକାୟତି କରିବାକୁ ଯୋଜନା କରୁଥିଲେ ବୋଲି ମାନିଯାଇଥିଲେ। କୌଣସି ଜଣେ ବଡ଼ ବ୍ୟବସାୟୀଙ୍କ ଘରକୁ ସେମାନେ ଟାର୍ଗେଟ୍‌ କରିଥିଲେ ବୋଲି ସୂଚନା ଦେଇଥିଲେ।  ଏହି ଗ୍ୟାଙ୍ଗ୍‌ର ମଙ୍ଗୁଆଳ ସୁଶୀଲ ଓ ପ୍ରତାପ ନାଁରେ ପୂର୍ବରୁ ମାମଲା ରହିଛି। ଚୋରା ପିସ୍ତଲ ରଖିଥିବା ସୁଶୀଲ ନାଁରେ ୪ଟି ଓ ପ୍ରତାପ ନାଁରେ ୫ ମାମଲା ରହିଛି। ଏସିପି ପର୍‌ମାର୍‌ଙ୍କ ସୂଚନାନୁସାରେ ଗ୍ୟାଙ୍ଗ୍‌ର ସର୍ଦ୍ଦାର ସୁଶୀଲ କେଉଁଠୁ ପିସ୍ତଲ ପାଇଛି, ସେନେଇ ଖୋଳତାଡ଼ ଚାଲିଛି। ସେହିଭଳି ଏହି ଗ୍ୟାଙ୍ଗ୍‌ ପୂର୍ବରୁ ଆଉ କେଉଁକେଉଁ ମାମଲାରେ ସମ୍ପୃକ୍ତ, ସେନେଇ ମଧ୍ୟ ଅଧିକ ତଦନ୍ତ ଚାଲିଛି।