କୈବଲ୍ୟ କଣ୍ଠଙ୍କ ଜନ୍ମ ଦିନରେ, ଗୋଲାପ କଢ଼ିରୁ ମିଛମାୟା ଭରା…

0

ଭୁବନେଶ୍ବର: ଭକ୍ତି ସଂଗୀତ ହେଉ କି ପଲ୍ଲୀ ଗୀତ। ଦୁଇଟିଯାକ ଧାରାକୁ ଯେ ଗୋଟିଏ କଣ୍ଠରେ ଆୟତ୍ତ କରାଯାଇପାରେ ତା’ର ଉଦାହରଣ ଥିଲେ କୈବଲ୍ୟ କଣ୍ଠ ଅର୍ଜୁନ ଚରଣ ସାମଲ। ସେ କଣ୍ଠଶିଳ୍ପୀ ଥିଲେ ବୋଲି ଅନେକ ଜାଣନ୍ତି, ମାତ୍ର ତାଙ୍କ ମଧ୍ୟରେ କଳାର ଉନ୍ମେଷ ଯେ ଚିତ୍ରକଳାରୁ ହୋଇଥିଲା ତାହା କ୍ବଚିତ ଲୋକ ଜାଣିଥିବେ। ଭଦ୍ରକ ହାଇସ୍କୁଲ୍‌ରେ ପଢ଼ିବା ବେଳେ ବିଦ୍ୟାଳୟରୁ ପ୍ରକାଶିତ ପୁସ୍ତିକାରେ ଅର୍ଜୁନଙ୍କ ଚିତ୍ରକଳା ପୃଷ୍ଠା ମଣ୍ଡନ କଲା। ଏଗୁଡ଼ିକ ଏତେ ଆକର୍ଷଣୀୟ ଥିଲା ଯେ ବିଦ୍ୟାଳୟର ତତ୍କାଳୀନ ପରିଦର୍ଶକ ଅର୍ଜୁନଙ୍କ କଳାରେ ମୁଗ୍ଧ ହୋଇ ତାଙ୍କୁ ସେ ସମୟରେ ୧୦୦ ଟଙ୍କା ପୁରସ୍କାର ଦେଇଥିଲେ। ସେ କିନ୍ତୁ ଚିତ୍ରକଳା ଅପେକ୍ଷା ସଂଗୀତରେ ମଜ୍ଜିଗଲେ। ଅବର୍ତମାନରେ ତାଙ୍କ ଜନ୍ମଦିନରେ କୈବଲ୍ୟ କଣ୍ଠଙ୍କୁ ମନେ ପକେଇବା ପାଇଁ ଏହି ଅବତାରଣା।

ସଂଗୀତର ମୂଳଦୁଆ ପଡ଼ିଥିଲା ସ୍କୁଲ୍‌ରୁ। ଭଦ୍ରକରେ ଅନୁଷ୍ଠିତ ନିଖିଳ ଓଡ଼ିଶା ସଂଗୀତ ସମାରୋହରେ ସେ ଉଭୟ ହିନ୍ଦୁସ୍ତାନୀ ଓ ସୁଗମ ସଂଗୀତରେ ପ୍ରଥମ ସ୍ଥାନ ଅଧିକାର କଲେ। ୧୯୬୦ରେ ରେଭେନ୍ସାରେ ପ୍ରଥମ ବର୍ଷର ଛାତ୍ର ଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୀତ ଗାଇ ସଂଗୀତଜ୍ଞ ଅକ୍ଷୟ ମହାନ୍ତି, ରଘୁନାଥ ପାଣିଗ୍ରାହୀ, ବଂଶୀବାଦକ ହରିପ୍ରସାଦ ଚୌରାସିଆଙ୍କ ଦ୍ବାରା ଉଚ୍ଚ ପ୍ରଶଂସିତ ହେଲେ। ପରବର୍ତୀ ସମୟରେ ସେ ଓଏଫ୍‌ଏସ ହୋଇ ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ଅଧିକାରୀ ଭାବେ ଯୋଗ ଦେଇଥିଲେ। ମାତ୍ର ସଂଗୀତକୁ କେବେ ଅବହେଳା କରିନଥିଲେ। ଆକାଶବାଣୀରେ ‘କିସ ମୁଁ ଳେଖିବି ଗୋଲାପ କଢ଼ି.. ଗୀତ ଗାଇ ସଂଗୀତ ଦୁନିଆରେ ପରିଚୟ ସୃଷ୍ଟି କଲେ। ତେବେ ମଂଚରେ ତାଙ୍କ ଭାବ ରସର ଭଜନ ତାଙ୍କୁ ଏକ ସମୟରେ ସଂଗୀତର ଶୀର୍ଷରେ ପହଞ୍ଚାଇଲା। କଣ୍ଠ ସ୍ବରରେ ଭାବର ମାଧୁର୍ଯ୍ୟ ପାଇଁ ତାଙ୍କୁ ପୁରୀର ଶ୍ରୀକ୍ଷେତ୍ର କଳା ପ୍ରକାଶନୀ ସଂସ୍ଥା ‘କୈବଲ୍ୟ କଣ୍ଠ’ ଉପାଧି ପ୍ରଦାନ କଲା। ‘ତୋ ଗାଁଆକୁ ଯିବା ବାଟ କେତେ ଅଙ୍କାବଙ୍କାଲୋ.., କାଳିଆ କୁକୁର ହଳେ.., ଚଷାପୁଅ ଭୂଇଁ ଚିରି.., ସରମିଲତା ଗୋ ସେନେହ ଜାଣିବ.., ସୁଲି କାନ୍ଦେ ଫୁଲି ଫୁଲି.., ଗଲାସନ ତମ ଚଣ୍ଡୀମନ୍ଦିରରେ.. ଆଦି ଗୀତରେ ତାଙ୍କ କଣ୍ଠସ୍ବରର ମହକ ତାଙ୍କୁ ସଦା ଅମର କରି ରଖିବ।

ସମ୍ବନ୍ଧିତ ଖବର