ବାରଙ୍ଗ : ‘ଫନି’ ତାଣ୍ଡବ ପରେ ବନ୍ଦ ରହିଥିବା ନନ୍ଦନକାନନ ଆଜି ଖୋଲିଛି। ପ୍ରଥମ ଦିନରେ ୨୩୩୮ ଜଣ ପର୍ଯ୍ୟଟକ ନନ୍ଦନକାନନ ପରିସରରେ ବୁଲିଥିବା ଟିକେଟ୍ ବିକ୍ରିରୁ ଜଣାପଡ଼ିଛି ବୋଲି ଉପ-ନିର୍ଦେଶକ ଜୟନ୍ତ ଦାସ କହିଛନ୍ତି। ବାତ୍ୟା ପରେ ବିଭିନ୍ନ ଖୁଆଡ଼ରେ ପଶୁପକ୍ଷୀମାନେ ସୁରକ୍ଷିତ ଥିବା ଜାଣି ପର୍ଯ୍ୟଟକମାନେ ଯେତିକି ଖୁସି ହୋଇ ନଥିଲେ ତା’ଠାରୁ ଅଧିକ ଦୁଃଖିତ ହୋଇଥିଲେ ନନ୍ଦନକାନନର ଉଜୁଡ଼ା ଦୃଶ୍ୟ ଦେଖି। ପୂର୍ବ ସବୁଜିମା ଫେରିବାକୁ କେତେ ଦିନ ଲାଗିବ ତାହା ସମସ୍ତଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଥିଲା। ନନ୍ଦନକାନନ ପରିସରରେ ଅନେକ ଗଛ ଭାଙ୍ଗି ଯାଇଥିବାରୁ ପର୍ଯ୍ୟଟକମାନେ ଛାଇ ଟିକେ ପାଇଁ ହନ୍ତସନ୍ତ ହୋଇଥିବା ଦେଖାଯାଇଥିଲା। ଚାରିଆଡ଼େ କେବଳ ଥୁଣ୍ଟା ଗଛ ହିଁ ଥିଲା। ତେବେ କେତେକ ସ୍ଥାନରେ ଭାଙ୍ଗିଯାଇଥିବା ଗଛ ନୂଆ କରି କଅଁଳୁଥିବା ଦେଖିବାକୁ ମିଳିଥିଲା। ପ୍ରଚଣ୍ତ ରୌଦ୍ର ତାପ ପର୍ଯ୍ୟଟକମାନଙ୍କୁ ହାଲିଆ କରିଦେଉଥିଲା। ଦେହ ଜଳିଯିବା ଭଳି ଲାଗୁଥିଲା। ଫଳରେ କିଛି ପର୍ଯ୍ୟଟକ ଆଖପାଖ ଖୁଆଡ଼ ନିକଟ ଛାଇ ଓ ବିଶ୍ରାମସ୍ଥଳୀର ବିଶ୍ରାମ ନେଉଥିଲେ। ସେହିପରି ସକାଳ ୯ଟା ପରେ ଜୀବଜନ୍ତୁମାନେ ଛାଇ ଖୋଜୁଥିଲେ। ଖରାରେ ହାଲିଆ ହୋଇ ପାଣି କୁଣ୍ତ ଛାଇ କିମ୍ବା ଓ ଖୁଆଡ଼ ମଧ୍ୟରେ ଆଶ୍ରୟ ନେଉଥିଲେ। ବାଘ ଓ ଭାଲୁମାନେ ପାଣି କୁଣ୍ତ ଭିତରେ ଶୋଇ ଦେହକୁ ଥଣ୍ତା କରୁଥିବା ଦେଖିବାକୁ ମିଳିଥିଲା। ସିମ୍ପାଜି ଓ ଓରାଙ୍ଗଓଟାନ୍ ବାହାରକୁ ବାହାରି ନଥିଲେ। ଆଜି ପ୍ରଥମ ଦିନରେ ଟିକେଟ୍ ବିକ୍ରି ବାବଦରେ ୧ ଲକ୍ଷ ୬୦୦ ଟଙ୍କା ରାଜସ୍ବ ଆଦାୟ ହୋଇଥିବା ବେଳେ ରାଜ୍ୟ ଉଦ୍ଭିଦ ଉଦ୍ୟାନରୁ ୧୫୪ ଖଣ୍ତ ଟିକେଟ୍ ବାବଦକୁ ୫୫୪୮ ଟଙ୍କା ରାଜସ୍ବ ଆଦାୟ ହୋଇଛି।
ଖୋଲିଲା ନନ୍ଦନକାନନ : ପ୍ରଥମ ଦିନରେ ୨୩୩୮ ପର୍ଯ୍ୟଟକ, ଦୁଃଖ ଦେଲା ଉଜୁଡ଼ା ଦୃଶ୍ୟ
/sambad/media/post_attachments/wp-content/uploads/2019/05/barang-nandankanan2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)