ଭୁବନେଶ୍ବର: ସାହିତ୍ୟ ଅବକ୍ଷୟ ହେଉଥିବା ନେଇ ଯେଉଁ ଚର୍ଚ୍ଚା ରହିଛି, ତାହା ପଛର ପ୍ରମୁଖ କାରଣ ହେଉଛି ଅନୁଭବର ଘୋର ଅଭାବ। ଏବେ ଲୋକଙ୍କ ପାଖରେ ଲେଖିବା କିମ୍ବା ପଢ଼ିବା ପାଇଁ ଆଉ ସମୟ ନାହିଁ। ଅଳ୍ପରେ ସାରିଦେବା ପାଇଁ ସମସ୍ତେ ବସିଛନ୍ତି। ଆସନ୍ତା ୧୦ରୁ ୧୫ବର୍ଷ ଭିତରେ ଗୋପୀନାଥ ମହାନ୍ତିଙ୍କ ଭଳି ଚରିତ୍ର ଦୁର୍ଲଭ ହୋଇଯିବେ। ସେଭଳି ଏକ କାଳରେ ‘ଗାଁର ନାଁ ସୁଜନପୁର’ ଉପନ୍ୟାସ ଲେଖିବା ଏବଂ ତାହା ଇଂରାଜୀରେ ଅନୁବାଦ ହେବା ସ୍ବାଗତଯୋଗ୍ୟ ବୋଲି କହିଛନ୍ତି ଖଣ୍ଡପଡ଼ା ବିଧାୟକ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ।

Advertisment

ଆଜି ସନ୍ଧ୍ୟାରେ କମିସନରେଟ୍‌ ପୁଲିସ ସମ୍ମେଳନ କକ୍ଷରେ ବିଶିଷ୍ଟ କଥାକାର, ସ୍ତମ୍ଭକାର ତଥା ପୂର୍ବତନ ପୁଲିସ ଡିଜି ବିପିନ ବିହାରୀ ମିଶ୍ରଙ୍କର ଉପନ୍ୟାସ ‘ଗାଁର ନାଁ ସୁଜନପୁର’ର ଇଂରାଜୀ ଅନୁବାଦ ‌‘ଏ ଭିଲେଜ୍‌ ନେମ୍‌ଡ ସୁଜନପୁର’ ଉନ୍ମୋଚିତ ହୋଇଛି। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଥିଲେ, ପୁସ୍ତକରେ ଏକ କଲେଜରେ ନାଁ ଲେଖାଇବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ଦେବା କଥା ଉଲ୍ଲେଖ ରହିଛି। ଅଧ୍ୟକ୍ଷ ଦାୟିତ୍ବରେ ଥିବା ଜଣେ ଓଡ଼ିଆ ଅଧ୍ୟାପକ ଏହି ଲାଞ୍ଚ ନେଉଛନ୍ତି। ଯେଉଁ ଭାଷା ପାଇଁ ଆମେ ଲଢ଼େଇ କରୁଛୁ, ସେହି ଭାଷାର ଜଣେ ଅଧ୍ୟାପକ ଏହି ଦୁର୍ନୀତି କରୁଛନ୍ତି। ବହିଟି ଏହି ଦୁର୍ନୀତି ପ୍ରସଙ୍ଗରୁ ଆରମ୍ଭ ହୋଇଛି। ଏହାକୁ ଲେଖକ ଗ୍ରହଣ କରି ଯାଇଛନ୍ତି। ତେବେ ଦୁର୍ନୀତିକୁ ନୀତି କରିଦେଲେ ସମସ୍ୟା ସମାଧାନ ହୋଇଯିବା ପ୍ରସଙ୍ଗକୁ ଗ୍ରହଣ କରିଯିବା‌ ଉଚିତ ନୁହେଁ ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିବା ସହ ସଂସ୍କାର ପାଇଁ ସାହିତ୍ୟରେ ପ୍ରତିବାଦର ସ୍ବର ଉଠୁନାହିଁ ବୋଲି କ୍ଷୋଭ ପ୍ରକାଶ କରିଥିଲେ।

ପୁସ୍ତକର ଅନୁବାଦକ ପ୍ରଫେସର ବସନ୍ତ କୁମାର ତ୍ରିପାଠୀ ଗ୍ରାମ୍ୟ ସଂସ୍କୃତିକୁ ଜୀବନ୍ତ ଭାବରେ ଏହି ପୁସ୍ତକରେ ଉପସ୍ଥାପନ କରାଯାଇଥିବା ସୂଚନା ଦେଇଥିଲେ। ଲେଖାଗୁଡ଼ିକରେ ଓଡ଼ିଆ ଭାଷାର ରୁଢ଼ି ପ୍ରୟୋଗ ସହ ଓଡ଼ିଶାର କେତେକ ମୌଳିକ କଥାକୁ ଉପସ୍ଥାପନ କରାଯାଇଥିବାରୁ ଅନୁବାଦ ବେଳେ ତାଙ୍କୁ କାଠିକାର ପାଠ ହୋଇଥିବା କହିଥିଲେ। ଅନ୍ୟତମ ଅତିଥି ତଥା ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଯୋଗଦେଇ କହିଥିଲେ, ଏବେ ଇଂରାଜୀ ଓ ଓଡ଼ିଆ ଭାଷାରେ ପାଣ୍ଡିତ୍ୟ ରଖିବା ଲୋକଙ୍କର ସଂଖ୍ୟା ଅତି ନଗଣ୍ୟ ରହିଛି। ଏଭଳି ସ୍ଥିତିରେ ଏହି ପୁସ୍ତକର ଇଂରାଜୀ ଅନୁବାଦ ହେବା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। ସଭାରେ ବିଶିଷ୍ଟ କଥାକାର ସଞ୍ଜୀବ ହୋତା ସଭାପତିତ୍ବ କରିବା ସହ ପୁସ୍ତକର ବିଶ୍ଳେଷଣ କରିଥିଲେ। କଥାକାର ସୂର୍ଯ୍ୟମଣି ତ୍ରିପାଠୀ ଅତିଥିମାନଙ୍କୁ ସ୍ବାଗତ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଅନେକ ସାହିତ୍ୟିକ, ପୂର୍ବତନ ପ୍ରଶାସକ, ବିଭିନ୍ନ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରମୁଖ ଉପସ୍ଥିତ ଥିଲେ।