ବିଏମ୍ସି କମିସନରଙ୍କୁ ବରଖାସ୍ତ କରାଯାଉ: ବିଜେପି
ବିଏମ୍ସି କାର୍ଯ୍ୟାନୁଷ୍ଠାନ ନେଇଥିବାରୁ ବିଜେପି ଉତ୍କ୍ଷିପ୍ତ ହୋଇଯାଇଛି: ବିଜେଡି
ସ୍ଥିତି ସ୍ବାଭାବିକ ହେଲେ ମଲ୍ର ସବୁ ଜବରଦଖଲ ଉଚ୍ଛେଦ ହେବ: ବିଏମ୍ସି କମିସନର
ଭୁବେନଶ୍ବର : ଉତ୍କଳ କନିକା ଗ୍ୟାଲେରିଆ ମଲ୍ର ବେଆଇନ ଜବରଦଖଲକୁ ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ବିଜେପି ଏହି ଜମି ଜବରଦଖଲ ଉଚ୍ଛେଦ ପାଇଁ ମଲ୍ ସମ୍ମୁଖରେ ଧାରଣା ଦେଇଥିଲା। ଏହାପରେ ବିଏମ୍ସି କରୋନା କଟକଣା ଉଲ୍ଲଂଘନ ହୋଇଥିବା ନେଇ ବିଜେପି ନେତା ଓ କର୍ମୀଙ୍କ ନାମରେ ବଡ଼ଗଡ଼ ଥାନାରେ ଏତଲା ଦେଇଥିଲା। ଏହାପରେ ବିଏମ୍ସିର କାର୍ଯ୍ୟାନୁଷ୍ଠାନକୁ ନେଇ ବିଜେପି ପ୍ରଶ୍ନ ଉଠାଇଛି।
ଆଜି ବିଜେପି ସାମ୍ବାଦିକ ସମ୍ମିଳନୀ କରି ବିଏମ୍ସି କମିସନରଙ୍କୁ ବହିଷ୍କାର କରିବାକୁ ଦାବି କରିଥିବା ବେଳେ ବିଜେଡି କହିଛି ଯେ କରୋନା କଟକଣା ଉଲ୍ଲଂଘନ କରିଥିବା ଭୁବନେଶ୍ବର ସାଂସଦ ଓ ବିଜେପି କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବାରୁ ବିଜେପି ଉତ୍କ୍ଷିପ୍ତ ହୋଇଯାଇଛି। ରାଜନୈତିକ ବୟାନବାଜିରେ ଉତ୍କଳ କନିକା ଗ୍ୟାଲେରିଆ ମଲ୍ ବିବାଦ ଏବେ ଘନେଇଛି।
ବିଜେପି ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂହ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ଉତ୍କଳ କନିକା ଗ୍ୟାଲେରିଆ ମଲ୍ କର୍ତ୍ତୃପକ୍ଷ କଳ୍ପନା ଛକ ଉପରେ ବହୁ ମୂଲ୍ୟର ସରକାରୀ ଜମି ଜବରଦଖଲ କରି ସୌନ୍ଦର୍ଯ୍ୟୀକରଣ କରିଥିଲେ ହେଁ ସରକାର ଚୁପ୍ ବସିଛନ୍ତି। ମଲ୍ର ସମସ୍ତ ଜବରଦଖଲ ଜମିକୁ ଉଚ୍ଛେଦ କରିବା ବଦଳରେ ବିଏମ୍ସି କମିସନର ମଲ୍ର ସୁରକ୍ଷାକବଚ ସାଜିଛନ୍ତି। ମଲ୍ର ଜବରଦଖଲକୁ ଛାଡ଼ି ବିଏମ୍ସି କାର୍ଯ୍ୟାଳୟ, ରାଜ୍ୟ ସଂଗ୍ରହାଳୟ, ଭଞ୍ଜକଳା ମଣ୍ଡପ ଓ ବିଜେବି କଲେଜର ଜମି ନେବାକୁ ମାପଚୁପ କରିଛନ୍ତି। ବିଏମ୍ସି କମିସନରଙ୍କ ଏହି ମନମୁଖୀ କାର୍ଯ୍ୟକୁ ପ୍ରତିବାଦ କରିବାରୁ ମହାମାରୀ ନିୟନ୍ତ୍ରଣର କଡ଼ା ଆଇନ ଲଗାଇ ଜନଆନ୍ଦୋଳନକୁ ଚାପି ଦେବାକୁ ଉଦ୍ୟମ କରିଛନ୍ତି। ଉତ୍କଳ କନିକା ଗ୍ୟାଲେରିଆ ମଲ୍କୁ ସୁରକ୍ଷା ଦେବା ପାଇଁ ନିଜର ଏକଛତ୍ରବାଦୀ ମାନସିକତାର ପରିଚୟ ଦେଇଥିବା ବିଏମ୍ସି କମିସନର ପ୍ରେମ ଚନ୍ଦ୍ର ଚୌଧରୀଙ୍କୁ ତୁରନ୍ତ ବହିଷ୍କାର କରାଯାଉ।
ଶ୍ରୀ ସିଂହ କହିଛନ୍ତି ଯେ ରାଜଧାନୀର ଛାତି ଉପରେ ଥିବା ଉତ୍କଳ ଗ୍ୟାଲେରିଆ ମଲ୍ର ବେଆଇନ ଜମି ଜବରଦଖଲର ସୁରକ୍ଷା କବଚ ଖୋଦ୍ ବିଏମ୍ସି କମିସନର ପ୍ରେମ ଚନ୍ଦ୍ର ଚୌଧରୀ ସାଜିଛନ୍ତି। କଳ୍ପନା ଛକରେ ଫ୍ଲାଏଓଭର ବା ରାସ୍ତା ପ୍ରଶସ୍ତୀକରଣ କାମ ହେଲେ ଏହି ମଲ୍କୁ ସୌନ୍ଦର୍ଯ୍ୟୀକରଣ ପାଇଁ ଦିଆଯାଇଥିବା ଜମିକୁ ଫେରାଇ ଆଣିବାକୁ ପୂର୍ବରୁ ନିର୍ଦ୍ଦେଶ ରହିଛି। ବିଏମ୍ସି କର୍ତ୍ତୃପକ୍ଷ ଏହି ଜବରଦଖଲ ଅଞ୍ଚଳକୁ ଭାଙ୍ଗିବା ବଦଳରେ କାହିଁକି ପଛଘୁଞ୍ଚା ଦେଉଛନ୍ତି ଜଣାପଡ଼ୁନି। ମଲ୍ ଦଖଲରେ ଥିବା ନୟନଯୋରି କିସମର ସମସ୍ତ ଜମିକୁ ରାସ୍ତା ସମ୍ପ୍ରସାରଣ ପାଇଁ ବ୍ୟବହାର କରିବା ବଦଳରେ ସରକାରୀ ପ୍ରତିଷ୍ଠାନର ଜମି ଭାଙ୍ଗିବାକୁ ମାପ କରି ଚିହ୍ନ ଦେଇଛନ୍ତି।
/sambad/media/post_attachments/wp-content/uploads/2020/07/utkal-kanika-300x169.jpg)
ଶ୍ରୀ ସିଂହ ଆହୁରି ଅଭିଯୋଗ କରିଛନ୍ତି ଯେ ବିଏମ୍ସି କମିସନର ଶ୍ରୀ ଚୌଧରୀଙ୍କର ମଲ୍ ପ୍ରେମର ପୁରୁଣା ଇତିହାସ ରହିଛି। ବିଡିଏ ରାଜଧାନୀରେ ମଲ୍ଗୁଡ଼ିକରେ ପାର୍କିଂ ଫି’ ଆଦାୟ ବେଆଇନ ବୋଲି ନିର୍ଦ୍ଦେଶନାମା ପ୍ରକାଶ କରିବା ପରେ ବି ଏସ୍ପ୍ଲାନେଡ୍ ମଲ୍ ହାଇକୋର୍ଟଙ୍କ ନିର୍ଦ୍ଦେଶର ବାହନା ଦେଖାଇ କୋଟିକୋଟି ଟଙ୍କା ପାର୍କିଂ ଫି’ ଆଦାୟ କଲା। ହେଲେ ବିଏମ୍ସି କମିସନର କି ବିଡିଏ ଉପାଧ୍ୟକ୍ଷ କିଛି କାର୍ଯ୍ୟାନୁଷ୍ଠାନ ନେଲେନି। ଏବେ ଏହି ପ୍ରୀତି ଉତ୍କଳ ଗ୍ୟାଲେରିଆ ମଲ୍କୁ ଦେଖାଉଛନ୍ତି। ଆଉ ଗଣତନ୍ତ୍ର କଣ୍ଠରୋଧ କରିବା ପାଇଁ ମହାମାରୀ ନିୟନ୍ତ୍ରଣ ଆଇନର ଅପବ୍ୟବହାର କରୁଛନ୍ତି।
ଆଜି ଏନେଇ ବିଏମ୍ସି କମିସନର ପ୍ରେମ ଚନ୍ଦ୍ର ଚୌଧରୀ କହିଛନ୍ତି ଯେ ଉତ୍କଳ କନିକା ଗ୍ୟାଲେରିଆ ମଲ୍ର ସମସ୍ତ ଜବରଦଖଲ ଜମିରୁ ଉଚ୍ଛେଦ ହେବ। ମଲ୍ କର୍ତ୍ତୃପକ୍ଷଙ୍କୁ କିଛି ଅନୁକମ୍ପା ଦେଖାଯିବନି। ହେଲେ ଏବେ କରୋନା ମୁକାବିଲା କରିବା ଆମର ପ୍ରଥମ ଲକ୍ଷ୍ୟ। ରାଜଧାନୀବାସୀଙ୍କ ସୁରକ୍ଷା ପାଇଁ ବିଏମ୍ସିର କର୍ମଚାରୀମାନେ ତିନି ମାସ ହେଲା ଲଗାତର କାର୍ଯ୍ୟ କରୁଛନ୍ତି। ସ୍ଥିତି ସ୍ବାଭାବିକ ହେଲେ ସବୁ ଉଚ୍ଛେଦ ହେବ। ଏବେ କୌଣସି ପ୍ରକାରର ଉଚ୍ଛେଦ ହେବନି।
ଏପଟେ ବିଜେପିର ସାମ୍ବାଦିକ ସମ୍ମିଳନୀ ପରେ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି ଯେ ଭୁବନେଶ୍ବର ବିଜେପି ସଂଗଠନରେ ଚାଲିଥିବା ଗୋଷ୍ଠୀ କନ୍ଦଳ ଓ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବେଆଇନ କାର୍ଯ୍ୟକୁ ଘଣ୍ଟ ଘୋଡ଼ାଇବା ପାଇଁ ବିଜେପି ନେତା ବାବୁ ସିଂହ ଆଗକୁ ଆସିଛନ୍ତି। କରୋନା ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କ ବିରୋଧରେ ବିଏମ୍ସି କମିସନର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ଏଥିରେ ଉତ୍କ୍ଷିପ୍ତ ହୋଇ ଶ୍ରୀ ସିଂହ ବିଏମ୍ସି କମିସନରଙ୍କ ବିରୋଧରେ ବିଷ ଓଗାଳିଛନ୍ତି।
ବାବୁ ସିଂହ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କର ଏକାନ୍ତ ଅନୁଗତ। ସାଂସଦ ରାଜନୈତିକ ସଭା ସମିତିମାନ କରି ଜାଣିଶୁଣି କୋଭିଡ୍ ପାଇଁ ଜାରି ହୋଇଥିବା କେନ୍ଦ୍ରୀୟ ମାର୍ଗଦର୍ଶିକାକୁ ଉଲ୍ଲଂଘନ କରୁଛନ୍ତି। ଯେଉଁଥିପାଇଁ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଭୁବନେଶ୍ବର ବିଜେପିର ଗୋଷ୍ଠୀକନ୍ଦଳ ଏବଂ କରୋନା ମାର୍ଗଦର୍ଶିକା ଉଲ୍ଲଂଘନରୁ ନଜର ହଟାଇବା ସହ ଶ୍ରୀମତୀ ଷଡ଼ଙ୍ଗୀଙ୍କ ବେଆଇନ କାର୍ଯ୍ୟକୁ ଘଣ୍ଟ ଘୋଡ଼ାଇବା ପାଇଁ ଶ୍ରୀ ସିଂହ ଆଜି ସାମ୍ବାଦିକ ସମ୍ମିଳନୀ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/06/utkal-g.jpg)