ଭୁବନେଶ୍ବର: ଶ୍ରୀକ୍ଷେତ୍ରରେ ଜଗା ପାଖେ ଚୁଟି ପକେଇବୁ। ପାରା ଉଡ଼େଇବୁ। ଯେବେ ପୁଅ ପେଟରେ ଥିଲା ସେବେଠୁ ବାପା ମା’ ଦୁହେଁ ଏମିତି ମାନସିକ କରିଥିଲେ। ପୁଅ ଭଲରେ ଭଲରେ ଜନ୍ମ ହୋଇଗଲେ ମାନସିକ ପୂରଣ କରିବେ ବୋଲି ସଂକଳ୍ପ ନେଇଥିଲେ। ମାତ୍ର ସମୟ ତାଙ୍କୁ ସହାୟ ହୋଇନଥିଲା। ପୁଅ ୪ ବର୍ଷର ହେବା ପରେ ସେ ପଶ୍ଚିମବଙ୍ଗ ମେଦିନିପୁରରୁ ଟ୍ରେନ୍ ଯୋଗେ ସପରିବାର ବାହାରି ଆସିଥିଲେ ପୁରୀ ଅଭିମୁଖେ। ଭୁବନେଶ୍ବରରେ ପହଞ୍ଚିଛନ୍ତି, ଶୁଣିବାକୁ ପାଇଲେ ପ୍ରଧାନମନ୍ତ୍ରୀ ମୋଦିଜୀ କାଳେ ଘୋଷଣା କରିଛନ୍ତି ଯେ ୨୧ ଦିନ ଲକ୍ଡାଉନ ହେବ। ଟ୍ରେନ୍, ବସ୍ କିଛି ଚାଲିବନି। ଏହା ଶୁଣିବା ପରେ ତାଙ୍କ ବୁଦ୍ଧି ହଜିଯାଇଥିଲା। ତେଣୁ ଉପାୟ ନପାଇ ସେଇଠି ପଡ଼ି ରହିବାକୁ ସ୍ଥିର କଲେ। ଇତିମଧ୍ୟରେ ମାସେ ବିତିଗଲାଣି। ସାଙ୍ଗରେ ୧୬୦୦ ଟଙ୍କା ଆଣିଥିଲେ ଯେ ତାହା ବି ସରିଆସିଲାଣି। ମାସେ ହେଲାଣି ମାଷ୍ଟରକ୍ୟାଣ୍ଟିନ ବସଷ୍ଟାଣ୍ଡରେ ପଡ଼ି ରହିଥିବା ଏହି ପରିବାରକୁ ସାହା ହୋଇଛି ପ୍ରଶାସନ ପକ୍ଷରୁ ମଧ୍ୟାହ୍ନରେ ଯୋଗାଇ ଦିଆଯାଉଥିବା ମାଗଣା ଖାଦ୍ୟ। କିଛିଦିନ ହେବ ବିନା ଜଳଖିଆରେ ଦିନ କଟୁଛି। ଏତେ କଲବଲ ହେଉଥିବା ସତ୍ତ୍ବେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବାର ଝୁଙ୍କ ମନରୁ ଯାଇନି। ଜଗା ପାଖେ ପୁଅର ଚୁଟି ନପକେଇବା ଯାଏ ଘରକୁ ଫେରିବୁନି ବୋଲି କହିଛନ୍ତି ପଶ୍ଚିମବଙ୍ଗ ମେଦିନିପୁର ମଇଧରାର ବାସିନ୍ଦା ଧରମ ମହାଲି। ଯେଉଁଦିନ ଟ୍ରେନ୍ ଆସି ଭୁବନେଶ୍ବରରେ ଲାଗିଲା, ଲକ୍ଡାଉନ ଯୋଗୁଁ ସେମାନଙ୍କୁ ସେଇ ପ୍ଲାଟଫର୍ମରେ ଦିନ କାଟିବାକୁ ପଡ଼ିଲା। ୨୧ ଦିନ ଲକ୍ଡାଉନ କଥା ଶୁଣି, ସେମାନେ ପ୍ଲାଟଫର୍ମରେ ରୋଷେଇ କରିବାକୁ ପ୍ରୟାସ କରିଥିଲେ। ମାତ୍ର ରେଲୱେ ପୁଲିସ ସେମାନଙ୍କୁ ବିଦା କରିଦେଇ ମାଷ୍ଟରକ୍ୟାଣ୍ଟିନ ବସଷ୍ଟାଣ୍ଡ ପରିସରକୁ ଚାଲିଯିବାକୁ କହିଥିଲା। ସେବେଠୁ ସେମାନେ ସେଇଠି ୧୦ ପ୍ରାଣୀ ପଡ଼ି ରହିଛନ୍ତି। ଧରମଙ୍କ କହିବା ମୁତାବକ, ତାଙ୍କ ପତ୍ନୀ ପାଞ୍ଚାଳି ମହାଲି ଓ ସେ ପୁଅ ପେଟରେ ଥିବା ଦିନଠୁ ମାନସିକ ରଖିଥିଲେ। ଆସିବେ ଆସିବେ ବୋଲି ଶ୍ରୀକ୍ଷେତ୍ର ଆସିପାରୁନଥିଲେ। ମାତ୍ର ଯେବେ ଘରୁ ବାହାରି ଆସିଥିଲେ ତା’ପରେ ଲକ୍ଡାଉନ ଘୋଷଣା ହେଇଗଲା। ଫଳରେ ପୁରୀ ଯିବା ସମ୍ଭବ ହେଲା ନାହିଁ। ୧୦ ଜଣ ଆସିଥିବାରୁ ପାଖରେ ଆଣିଥିବା ଟଙ୍କା ସରିଆସିଲାଣି। ପେଟର ଭୋକ ଓ ମନର ବ୍ୟଥାକୁ ମାରି ସଭିଏଁ ଏବେ ମାଷ୍ଟରକ୍ୟାଣ୍ଟିନ ବସଷ୍ଟାଣ୍ଡ ମଧ୍ୟରେ ଦିନ କାଟୁଛନ୍ତି। ମାତ୍ର ଜଗନ୍ନାଥଙ୍କୁ ଦର୍ଶନ କରିବାର ଅଭିଳାଷ ଛାଡ଼ିନାହାନ୍ତି।
ଧରମ କହିଛନ୍ତି, ମୁଁ ସାଧାରଣ କୃଷକଟିଏ। ଥରେ ଆସିଛୁ ମାନେ ଫେରିଗଲେ ଆଉ କେବେ ଆସିବୁ ତାହା କହିବା ସମ୍ଭବ ନୁହେଁ। ଏତେ ବାଟରୁ ଜଗାର ଦର୍ଶନ ପାଇଁ ଆସିଛୁ ମାନେ ନଦେଖି ଫେରିବୁନି। ଆହୁରି ୧୭ ଦିନ କେମିତି ବିତିବ ଜାଣିନାହୁଁ। ହେଲେ ଘରୁ ବାହାରିଛୁ ମାନେ ପୁଅର ଚୁଟି ପକେଇ, ପାରା ଉଡ଼େଇ ଘରକୁ ବାହୁଡ଼ିବୁ। ପାଖରେ ଟଙ୍କା ନଥିବାରୁ କେମିତି ଯିବାକୁ ସାହସ କରୁଛନ୍ତି ବୋଲି ପଚାରିବାରୁ ସେମାନଙ୍କ ମୁହଁରୁ ବାହାରି ଆସିଥିଲା, ଦେଖିବା ଜଗା ଯାହା କରିବ। ଖୋଲା ମେଲାରେ ପଡ଼ିପଡ଼ି ଦିନ କଟୁଥିଲେ ବି ସେଥିପ୍ରତି ତାଙ୍କର ନିଘା ନାହିଁ। ଧରମ ଓ ପାଞ୍ଚାଳିଙ୍କ କଥାରୁ ଲାଗୁଥିଲା, ଭଗବାନ ବି ବୋଧେ ପରୀକ୍ଷା ନେଉଛନ୍ତି।