ଜଟଣୀ: ଆଜି ଜଟଣୀ ପ୍ରାଣନାଥ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଅଭିନବ କାର୍ଯ୍ୟକ୍ରମ ‘ଆମ ସ୍କୁଲ: ଆମର ସ୍ମୃତି, ଆମର ସ୍ବପ୍ନ’ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାରସ୍ବତ ସାଧକ ବିଭୂତି ପଟ୍ଟନାୟକ ଉଦ୍ଘାଟକ ଭାବେ ଯୋଗ ଦେଇ କହିଥିଲେ ଯେ ଆଦର୍ଶ ଶିକ୍ଷକ ହିଁ ଭଲ ସମାଜ ଗଢ଼ି ପାରିବେ। କେବଳ ବହି ପାଠରେ ନୁହେଁ, ଅଭିନୟ, କଳା ସାହିତ୍ୟ ପ୍ରତି ମଧ୍ୟ ଶିକ୍ଷକମାନେ ଉତ୍ସାହିତ କରି ସମାଜ ଗଠନରେ ସହଯୋଗ କରିପାରିବେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବରିଷ୍ଠ ସିନେ ଅଭିନେତା ବିଜୟ ମହାନ୍ତି ଯୋଗଦେଇ ନିଜ ପିଲାଦିନର ସ୍ମୃତି ରୋମନ୍ଥନ କରି କହିଥିଲେ ଯେ ଜଣେ ଛାତ୍ର ତା’ କଲେଜ ଜୀବନର ଅଧ୍ୟାପକଙ୍କୁ ହୁଏତ ଭୁଲି ଯାଇପାରେ, ମାତ୍ର କେବେ ସେ ତା’ର ହାଇସ୍କୁଲ ଶିକ୍ଷକଙ୍କୁ ଭୁଲିପାରିବ ନାହିଁ। ‘ଟାଟା ଷ୍ଟିଲ୍’ର ଭାଇସ୍ ପ୍ରେସିଡେଣ୍ଟ୍ ପାର୍ଥସାରଥୀ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜ ଜୀବନର ବିଭିନ୍ନ ଘଟଣାର ଉଦାହରଣ ଦେଇ କହିଥିଲେ ଯେ ଆମେ ସତ କହିଲେ ହିଁ ଆମ ପିଲାମାନେ ସତ କହିବା ଶିଖିବେ। ତେଣୁ ସମସ୍ତେ ଏହାକୁ ନିଜ ବ୍ୟକ୍ତିଗତ ଜୀବନରେ ଅନୁପାଳନ କରିବା ଆବଶ୍ୟକ। ବିଶିଷ୍ଟ ସାହିତ୍ୟିକ ତଥା ‘ସମ୍ବାଦ’ ସମ୍ପାଦକ(ଫିଚର୍) ଡ. ଗୌରହରି ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ ଗାନ୍ଧୀ, ବିବେକାନନ୍ଦ, ଉତ୍କଳମଣି ଗୋପବନ୍ଧୁଙ୍କ ଉଦାହରଣ ଦେଇ କହିଥିଲେ ଯେ ଶବ୍ଦ ହେଉଛି ଶବ ପରି ନିଷ୍ପ୍ରାଣ। ମାତ୍ର ଏହି ମହାପୁରୁଷମାନେ ନିଜ ଅଙ୍ଗୀକାର ଦ୍ବାରା ନିଜ ନିଜ ଶବ୍ଦକୁ ମନ୍ତ୍ରରେ ରୂପାନ୍ତରିତ କରି ପାରିଥିଲେ। ଏହି ଅବସରରେ ପୁରାତନ ଛାତ୍ର ରାମଅବତାର ଅଗ୍ରୱାଲ, ପ୍ରଧାନଶିକ୍ଷକ ରାମଚନ୍ଦ୍ର ଦାସ, ପୁରାତନ ଛାତ୍ର ସଂସଦ(୧୮୮୩ ଜୁନିୟର ବ୍ୟାଚ୍) ସଭାପତି ସଞ୍ଜୟ ଅଗ୍ରୱାଲ ପ୍ରମୁଖ ବକ୍ତବ୍ୟ ଦେଇଥିଲେ। ସମ୍ପାଦକ ସୁନିଲ ଅଗ୍ରୱାଲ ନିଜ ବକ୍ତବ୍ୟରେ ଆସନ୍ତା ବର୍ଷ ପାଳିତ ହେବାକୁ ଯାଉଥିବା ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲିର ସଫଳତା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଅଧ୍ୟାପକ ମୃତ୍ୟୁଞ୍ଜୟ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅବସରରେ ବିଦ୍ୟାଳୟର ପୁରାତନ ଶିକ୍ଷକ, ବର୍ତ୍ତମାନର ଶିକ୍ଷକ/ଶିକ୍ଷୟିତ୍ରୀ, କର୍ମଚାରୀଙ୍କ ସହିତ ଜଟଣୀ ଥାନା ଇନ୍ସପେକ୍ଟର ବିଶ୍ବରଞ୍ଜନ ସାହୁଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପୁରାତନ ଛାତ୍ର ମହେନ୍ଦ୍ର ପ୍ରସାଦ ପରିଚାଳନା କରିଥିଲେ। ସୂଚନାଯୋଗ୍ୟ ଯେ ୧୯୪୫ ମସିହାରେ ପ୍ରତିଷ୍ଠିତ ଜଟଣୀ ହାଇସ୍କୁଲକୁ ୧୯୯୨ ମସିହାରେ ପ୍ରାଣନାଥ ହାଇସ୍କୁଲ ନାମରେ ନାମିତ କରାଯାଇଥିଲା। ଚଳିତବର୍ଷ ଏହି ବିଦ୍ୟାଳୟ ତାର ପ୍ଲାଟିନମ୍ ଜୁବୁଲି ପାଳନ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/65z4gsf8574h98sf4hsf9854h96-1.jpg)