ଭୁବନେଶ୍ୱର : ଅନ୍ଲାଇନ୍ରେ କ୍ୟାବ୍ ସୁବିଧା ଯୋଗାଇ ଦେବା ଲାଗି ଆଗେଇ ଆସିଛନ୍ତି କେତେଜଣ ଯୁବକ। ସେମାନେ ନିଜସ୍ୱ ଉଦ୍ୟମରେ ଆରମ୍ଭ କରିଛନ୍ତି ‘ଜେଏପିବି ସର୍ଭିସ୍ ପ୍ରାଇଭେଟ୍ ଲିମିଟେଡ୍’। ଗ୍ରାହକଙ୍କୁ ସୁବିଧାରେ ତଥା କମ୍ ମୂଲ୍ୟରେ ଗାଡ଼ି ସେବା ଯୋଗାଇ ଦେବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଏହି ବ୍ୟବସ୍ଥାକୁ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି। ପଳାସୁଣିଠାରେ ସଂସ୍ଥାର କାର୍ଯ୍ୟାଳୟକୁ ଉଦ୍ଘାଟନ କରି ଶ୍ରୀ ପଟ୍ଟନାୟକ ଯୁବକମାନଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହ ରାଜଧାନୀବାସୀ ଏହାଦ୍ୱାରା ଉପକୃତ ହେବେ ବୋଲି କହିଥିଲେ।
‘ଜେଏପିବି ସର୍ଭିସ୍ ପ୍ରାଇଭେଟ୍ ଲିମିଟେଡ୍’ର ସଦସ୍ୟ ଅଜିତ୍ ଅଂଶୁମାନ ରାଉତ କହିଛନ୍ତି ଯେ ଗ୍ରାହକଙ୍କୁ ଅଟୋ ଏବଂ ଚାରି ଚକିଆ ଯାନ ଭଡ଼ାରେ ମିଳିବ। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୩୦ଟି ଗାଡ଼ି ବ୍ୟବସ୍ଥା ହୋଇଛି। ଆସନ୍ତା ସପ୍ତାହରେ ‘ଜେଏପିବି’ର ଅପ୍ଲିକେସନ୍ ଅନ୍ଲାଇନ୍ରେ ଉପଲବ୍ଧ ହେବ। ୧୫ କିମି ପର୍ଯ୍ୟନ୍ତ ଯିବା ଲାଗି ବେସ୍ ପ୍ରାଇସ୍ ୫୦ ଟଙ୍କା ରଖାଯାଇଛି। ଏହାପରେ କିମି ପିଛା ‘ସିଟି ଏମ୍’ରେ ୬ ଟଙ୍କା ଏବଂ ‘ସିଟି ଏଲ୍’ରେ ୯ ଟଙ୍କା ଲେଖାଏ ରଖାଯାଇଛି। ୮୦ କିମି ପର୍ଯ୍ୟନ୍ତ ୪ ସିଟ୍ ବିଶିଷ୍ଟ ଗାଡ଼ି ଲାଗି ୯୩୯ ଟଙ୍କା ଏବଂ ୬ ସିଟ୍ ବିଶିଷ୍ଟ ଗାଡ଼ି ପାଇଁ ୧୧୩୯ ଟଙ୍କା ରହିଛି। ୧୨ ଘଣ୍ଟା ପାଇଁ ୪ ସିଟ୍ରେ ୧୧୯୫ ଏବଂ ୬ ସିଟ୍ରେ ୧୩୪୫ ଟଙ୍କା ରଖାଯାଇଛି। ୨୪ ଘଣ୍ଟା ଭଡ଼ା ଲାଗି ୪ ସିଟ୍ ବିଶିଷ୍ଟ ଗାଡ଼ି ପିଛା ୧୫୯୫ ଏବଂ ୬ ସିଟ୍ ଗାଡ଼ି ୧୯୯୫ ଟଙ୍କାରେ ଉପଲବ୍ଧ ହେବ ବୋଲି ସେ କହିଛନ୍ତି। ଉଦ୍ଘାଟନୀ ଉତ୍ସବରେ ବିଶ୍ୱାସ କୁମାର ଲେଙ୍କା, ଜଗନ୍ନାଥ ଦାସ, ପରେଶ ଦଳବେହେରା, ନିକାଶ ଗୋଚ୍ଛାୟତ ପ୍ର୍ରମୁଖ ଉପସ୍ଥିତ ଥିଲେ।