ଭୁବନେଶ୍ବର: ଗତକାଲି ରାଜ୍ୟରେ ପ୍ରଥମ ଡେଙ୍ଗୁ ମୃତ୍ୟୁ ହୋଇଛି। ରାଜଧାନୀର ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀ ଏଥିରେ ପ୍ରାଣ ହରାଇଛନ୍ତି। ହେଲେ ସରକାରୀ ଭାବେ ଏହି ମୃତ୍ୟୁକୁ ଗ୍ରହଣ କରାଯିବ କି ନାହିଁ, ତାହାକୁ ନେଇ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯେଉଁ ଘରୋଇ ହସ୍ପିଟାଲରେ ସଂପୃକ୍ତ ଅଧିକାରୀଜଣକ ଚିକିତ୍ସିତ ହେଉଥିଲେ, ସଂପୃକ୍ତ ହସ୍ପିଟାଲ ଡେଙ୍ଗୁ ପାଇଁ ଏଲିସା ବଦଳରେ କାର୍ଡ ଟେଷ୍ଟ କରିଥିବା କୁହାଯାଉଛି। ସରକାରୀ ଭାବେ ଏଲିସା ଟେଷ୍ଟରେ ଚିହ୍ନଟ ବ୍ୟକ୍ତିଙ୍କୁ ଡେଙ୍ଗୁରେ ଆକ୍ରାନ୍ତ ବୋଲି ଗଣନା କରାଯାଉଛି। ତେଣୁ ଚଳିତବର୍ଷର ଏହି ଡେଙ୍ଗୁ ମୃତ୍ୟୁକୁ ଗତବର୍ଷ ଭଳି ସରକାରୀ ସ୍ବୀକୃତି ମିଳି ନ ପାରେ ବୋଲି ସନ୍ଦେହ ପ୍ରକାଶ ପାଇଛି।
ଏଲିସା ବଦଳରେ କାର୍ଡ ଟେଷ୍ଟ କରିଛି ଘରୋଇ ହସ୍ପିଟାଲ
ସ୍ବାସ୍ଥ୍ୟ ବିଭାଗ-ଘରୋଇ ହସ୍ପିଟାଲ/କ୍ଲିନିକ୍ ଭିତରେ ସମନ୍ବୟ ଅଭାବ
ଗତବର୍ଷ ଚନ୍ଦ୍ରଶେଖପୁର ଅଞ୍ଚଳର ଜଣେ ଯୁବତୀଙ୍କ ଡେଙ୍ଗୁରେ ମୃତ୍ୟୁ ହୋଇଥିଲା। ମାତ୍ର ସଂପୃକ୍ତ ଯୁବତୀଜଣକ ଏକ ଘରୋଇ ଡାଏଗ୍ନୋଷ୍ଟିକ ସେଣ୍ଟର୍ରେ ଡେଙ୍ଗୁ ପରୀକ୍ଷା କରିଥିବାରୁ ସ୍ବାସ୍ଥ୍ୟ ବିଭାଗ ଏହାକୁ ଗ୍ରହଣ କରି ନଥିଲା। ଫଳରେ ଗତବର୍ଷ ରାଜ୍ୟରେ ୭୫୪୮ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ ହେଁ ସରକାରୀ ଭାବେ ଜଣଙ୍କର ଏଥିରେ ମୃତ୍ୟୁ ହୋଇ ନଥିବା ରେକର୍ଡରେ ଦର୍ଶାଯାଇଥିଲା।
ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଡେଙ୍ଗୁର ପରୀକ୍ଷା ପାଇଁ ଖୋର୍ଧା ଜିଲ୍ଲାରେ ରାଜ୍ୟ ସରକାରଙ୍କ ୪ଟି ସେଣ୍ଟିନାଲ ସାଇଟ୍ ରହିଛି। ଖୋର୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ କ୍ୟାପିଟାଲ ହସ୍ପିଟାଲ, ଏମ୍ସ ଓ ଆରଏମ୍ଆରସିକୁ ଡେଙ୍ଗୁ ପରୀକ୍ଷାର ସୁବିଧା ରହିଛି। ଘରୋଇ ହସ୍ପିଟାଲ/ଡାଏଗ୍ନୋଷ୍ଟିକ୍ ସେଣ୍ଟର୍ରେ ଡେଙ୍ଗୁ ପାଇଁ କାର୍ଡ ଟେଷ୍ଟ କରାଯାଉଛି, ଯାହାକୁ ନେଇ ବିବାଦ ଦେଖାଦେଉଛି। ଘରୋଇ ହସ୍ପିଟାଲମାନଙ୍କୁ ଡେଙ୍ଗୁ ଆକ୍ରାନ୍ତଙ୍କ ନମୁନା ସେଣ୍ଟିନାଲ ସାଇଟ୍କୁ ପଠାଇବାକୁ ନିର୍ଦ୍ଦେଶ ଥିଲେ ବି କେହି ମାନୁନାହାନ୍ତି। ସ୍ବାସ୍ଥ୍ୟ ବିଭାଗ ଓ ଘରୋଇ ହସ୍ପିଟାଲ/କ୍ଲିନିକ୍ ମଧ୍ୟରେ ସମନ୍ବୟର ଅଭାବ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି। ଏଭଳି ବିବାଦକୁ ରୋକିବା ଲାଗି ଡେଙ୍ଗୁ ରୋଗ ବ୍ୟାପୁଥିବା ଅଞ୍ଚଳରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଡେଙ୍ଗୁ ପରୀକ୍ଷା କେନ୍ଦ୍ର ଖୋଲିବା ଲାଗି ସାଧାରଣରେ ଦାବି ହୋଇଛି।
ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ଏଲିସା ପଦ୍ଧତି ଦ୍ବାରା ଡେଙ୍ଗୁର ଠିକ୍ ରିପୋର୍ଟ ମିଳି ପାରିବ। ମୃତକଙ୍କ ଘରୋଇ ହସ୍ପିଟାଲରେ କାର୍ଡ ଟେଷ୍ଟ ହୋଇଥିବାରୁ ତାହାକୁ ଡେଙ୍ଗୁ ମୃତ୍ୟୁ ବୋଲି ଗ୍ରହଣ କରାଯାଇ ପାରିବ ନାହିଁ। ଘରୋଇ ହସ୍ପିଟାଲଗୁଡ଼ିକୁ ସଂକ୍ରମିତଙ୍କ ନମୁନା ପଠାଇବାକୁ ପୁଣିଥରେ ସୂଚନା ଦିଆଯିବ। ଏହାସହ ଆଜି ସବୁ ଜିଲ୍ଲାର ସିଡିଏମ୍ଓମାନଙ୍କ ସହ ଡେଙ୍ଗୁକୁ ନେଇ ସତର୍କ ରହିବା ଲାଗି ଆଲୋଚନା ହୋଇଛି। ତେବେ ଲୋକମାନେ ଗୋଟିଏ ସ୍ଥାନରେ ଦୀର୍ଘ ଦିନ ପର୍ଯ୍ୟନ୍ତ ପାଣି ଜମିବାକୁ ଦିଅନ୍ତୁ ନାହିଁ ବୋଲି ଅଧିକାରୀଜଣକ ସଚେତନ କରାଇଛନ୍ତି।
ଅପରପକ୍ଷେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଡେଙ୍ଗୁ ସଂକ୍ରମଣ ବ୍ୟାପିବା ପରେ ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଏମ୍ସି ଅଧିକାରୀଙ୍କ ସହିତ ଆଲୋଚନା କରାଯାଇଛି। ସଂକ୍ରମଣକୁ ରୋକିବା ଲାଗି କି’ କି’ ପଦକ୍ଷେପ ଗ୍ରହଣ କରାଯିବ, ତାହାର ଏକ ରୋଡ୍ମ୍ୟାପ୍ ପ୍ରସ୍ତୁତ ଉପରେ ଅଧିକାରୀମାନେ ବିସ୍ତୃତ ଆଲୋଚନା କରିଛନ୍ତି।