ଭୁବନେଶ୍ବର : ଆଧ୍ୟାତ୍ମିକ ଚେତନାର ଜାଗରଣ ବ୍ୟକ୍ତିର ଚରିତ୍ର ନିର୍ମାଣ କରିବା ସହ ସମାଜରେ ସକାରାତ୍ମକ ପରିବର୍ତନ ଆଣେ ବୋଲି କହିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ। ଶିବାନନ୍ଦ ଶତବାର୍ଷିକ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଥିବା ୩ ଦିନିଆ ଦିବ୍ୟଜୀବନ ସଂଘ ପ୍ରଶିକ୍ଷଣ ସାଧନା ଶିବିରକୁ ଉଦ୍ଘାଟନ କରି ଗଜପତି ଏହା କହିଛନ୍ତି।
କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ କହିଲେ, ସମଗ୍ର ସାଧନାର ମୂଳ ଲକ୍ଷ୍ୟ ମନକୁ ସଫା ରଖିବା। ଏହା ହିଁ ଆନ୍ତରିକ ପ୍ରଗତିରେ ସହାୟକ ହୁଏ। ସେ ଏକଥା ବି କହିଲେ, ସମାଜରେ ଧନୀମାନୀଙ୍କ ଅଭାବ ନାହିଁ, ବରଂ ଦାୟିତ୍ୱପୂର୍ଣ୍ଣ ନାଗରିକଙ୍କର ଘୋର ଅଭାବ ରହିଛି। ତେଣୁ କେବଳ ଜ୍ଞାନ ଅର୍ଜନ କଲେ ହେବ ନାହିଁ, ଜ୍ଞାନକୁ ବିତରଣ ମଧ୍ୟ କରିବାକୁ ପଡ଼ିବ ବୋଲି ସେ କହିଥିଲେ। କିସ୍ ବିଶ୍ବବିଦ୍ୟାଳୟର କୁଳପତି ଡ. ହରେକୃଷ୍ଣ ଶତପଥୀ ଓ ବିଦ୍ୟାଳୟର ଉପସଭାପତି ଚୌଧୁରୀ ଗୌରହରି ମିଶ୍ର ଉଦ୍ବୋଧନ ଦେଇ ଆଧ୍ୟାତ୍ମିକ ଚେତନା ମହକରେ ସମାଜକୁ ମହକାଇବାକୁ ଉପଦେଶ ଦେଇଥିଲେ।
ଏହି ଅବସରରେ ସ୍ବାମୀ ଜଗନ୍ନାଥାନନ୍ଦ ସରସ୍ବତୀ ମହାରା, ସ୍ବାମୀ ଧର୍ମ ନିଷ୍ଠାନନ୍ଦ ସରସ୍ବତୀ ମହାରାଜ, ସ୍ବାମୀ ଶିବଚିଦାନନ୍ଦ ସରସ୍ବତୀ ପ୍ରମୁଖ ଆଶୀର୍ବଚନ ରଖିଥିଲେ। ପ୍ରାରମ୍ଭରେ ସତ୍ୟେନ୍ଦ୍ର ନାରାୟଣ ତ୍ରିପାଠୀ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ମୁଖ୍ୟ ସଂଗଠକ ଜୟଚନ୍ଦ୍ର ନାୟକ ଅତିଥି ପରିଚୟ ଦେଇଥିଲେ। ୩ ଦିନିଆ ପ୍ରଶିକ୍ଷଣ ଶିବିରରେ ୨୫୦ରୁ ଅଧିକ ସାଧକ, ସାଧିକା ଯୋଗଦେଇ ଶାରୀରିକ ଶୁଦ୍ଧତା, ମାନସିକ ବିକାଶ, ଆତ୍ମୋନ୍ନତି ଲାଭ କରିବା ସଙ୍ଗେସଙ୍ଗେ ସଦାଚାରୀ ହେବାର ଦିବ୍ୟ ଜ୍ଞାନ ଲାଭ କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/adhyatmika-shibira-photo-satya.jpeg.jpg)