ଦୀପ୍ତିମୟୀ ହତ୍ୟା ମାମଲା, ୩୬ ଘଣ୍ଟା ପରେ ବି ପୁଲିସ ହାତ ଖାଲି

0

ପୁରୁଣା ଭୁବନେଶ୍ବର: ପଳାସପଲ୍ଲୀ ଲେନ୍‌-୧୦ରେ ରହୁଥିବା ମହିଳା ଦୀପ୍ତିମୟୀ ଷଡ଼ଙ୍ଗୀ(୩୮)ଙ୍କୁ ତଣ୍ଟି କାଟି ହତ୍ୟା କରାଯିବା ଘଟଣା ବେଗୁନିଆ ପୁଲିସର ନିଦ ହଜାଇ ଦେଇଛି। ବେଗୁନିଆର ଟିକାତାଳ ରାସ୍ତାକଡ଼ରୁ ଦୀପ୍ତିଙ୍କ କ୍ଷତବିକ୍ଷତ ଶବ ମିଳିବାକୁ ୩୬ ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ହେଁ ପୁଲିସ ଏ ପର୍ଯ୍ୟନ୍ତ କାହାରିକୁ ଗିରଫ କରି ପାରିନାହିଁ। ପୁଲିସ ବେଗୁନିଆରୁ ପଳାସପଲ୍ଲୀ ପର୍ଯ୍ୟନ୍ତ ଘୂରୁଥିଲେ ହେଁ ହତ୍ୟାକାରୀଙ୍କ ସଂପର୍କରେ କୌଣସି ସୁରାକ୍‌ ପାଇନାହିଁ। ଅପରପକ୍ଷେ ଖୁବ୍‌ଶୀଘ୍ର ହତ୍ୟାକାରୀମାନଙ୍କୁ ଧରାନଗଲେ ପୁଣିଥରେ ରାସ୍ତାରୋକ କରାଯିବ ବୋଲି ସ୍ଥାନୀୟ ବାସିନ୍ଦା ଚେତାବନୀ ଦେବାରୁ ପୁଲିସ ଉପରେ ଚାପ ବଢ଼ି ଯାଇଛି। ଗତକାଲି ଯେଉଁ ସ୍ଥାନରେ ରାସ୍ତାରୋକ ହୋଇଥିଲା, ଠିକ୍‌ ସେହି ସ୍ଥାନରେ ହେବ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।

ବେଗୁନିଆ ପୁଲିସ ଉପରେ ଚାପ ବଢ଼ୁଛି
ହତ୍ୟାକାରୀ ଶୀଘ୍ର ଗିରଫ ନ ହେଲେ ଆନ୍ଦୋଳନ ଚେତାବନୀ
ପଳାସପଲ୍ଲୀରେ ସିସିଟିଭି ଯାଞ୍ଚ

‌‌ବେଗୁନିଆ ପୁଲିସ ଆଜି ପଳାସପଲ୍ଲୀର ବିଭିନ୍ନ ଘରୋଇ ଅନୁଷ୍ଠାନରେ ଖଞ୍ଜା ଯାଇଥିବା ସିସିଟିଭି ଯାଞ୍ଚ କରିଛି। ମୃତ ମହିଳାଜଣଙ୍କ କେଉଁ ପରିସ୍ଥିତିରେ ବେଗୁନିଆ ପହଞ୍ଚିଲେ? ଏଠାରୁ ତାଙ୍କୁ କିଏ ନେଇଥିଲା ନା’ଏକୁଟିଆ ଯାଇଥିଲେ? ଗଲା ବେଳେ ମୋବାଇଲ ଘରେ ରଖିଦେଇ ଯିବାର କାରଣ କ’ଣ? ଏଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛି ପୁଲିସ। ଶବ ଉଦ୍ଧାର ‌‌ହୋଇଥିବା ସ୍ଥାନରେ ରକ୍ତଛିଟା ପଡ଼ିନଥିବାରୁ ଦୀପ୍ତିଙ୍କୁ ଅନ୍ୟତ୍ର ହତ୍ୟା କରି ସେଠାରେ ଫିଙ୍ଗି ଦିଆଯାଇଥିବା ପୁଲିସ ସନ୍ଦେହ କରୁଛି। ବ୍ୟବଚ୍ଛେଦ ରିପୋର୍ଟ ଓ ପ୍ରାଥମିକ ତଦନ୍ତରୁ ଏହା ସ୍ପଷ୍ଟ ହେଲେ ମାମଲା ବେଗୁନିଆ ଥାନାରୁ ସ୍ଥାନାନ୍ତର ହେବ ବୋଲି ପୁଲିସ କହିଛି।

ସୂଚନାଯୋଗ୍ୟ, ଏୟାରଫିଲ୍‌ଡ ଥାନା ଅନ୍ତର୍ଗତ ପଳାସପଲ୍ଲୀ ଲେନ୍ ୧୦ରେ ରହୁଥିବା ବିନୋଦ ବିହାରୀ ସେଠୀଙ୍କ ପତ୍ନୀ ଦୀପ୍ତିମୟୀ ଷଡ଼ଙ୍ଗୀ/ସେଠୀଙ୍କ କ୍ଷତବିକ୍ଷତ ମୃତଦେହ ଗତକାଲି ଖୋର୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ବେଗୁନିଆ ଥାନା ଅନ୍ତର୍ଗତ ଟିକାତାଳ ଛକ ରାସ୍ତାକଡ଼ରୁ ଉଦ୍ଧାର ହୋଇଥିଲା।

ସମ୍ବନ୍ଧିତ ଖବର