ନାଟକର ନାଁ ବିଜୟ ମିଶ୍ର, ପତ୍ନୀ ଥିଲେ ସବୁଠୁ ବଡ଼ ସମର୍ଥକ

୧୯୪୦-୪୨ ମସିହାର କଥା। ଏକ ଯାତ୍ରା ଦଳ ତାଙ୍କ ଘରେ ରହି ରିହର୍ସାଲ କରୁଥାଏ। ସେଇ ରିହର୍ସାଲ ହିଁ ବିଜୟଙ୍କ ଭିତରେ ବୁଣା ହେଇଥିଲା ଲେଖିବାର ମଞ୍ଜି। ଯାତ୍ରା ଦଳ ଭାଙ୍ଗିଗଲା, ଯିଏ ଯୁଆଡ଼େ ଚାଲିଗଲେ। ଅଥଚ ବିଜୟଙ୍କ ଭିତରେ ଯୋଉ ନିଆଁ ଜଳିଲା, ତାହା ଆଉ ଲିଭିଲାନି। ସେଇଠୁ ସେ କେବେ ‘ଯାଯାବର’ ପାଲଟିଲେ ତ ପୁଣି କେବେ ‘ଅଶାନ୍ତ ଗ୍ରହ’। କେବେ ‘ଦୁଇଟି ସୂର୍ଯ୍ୟଦଗ୍ଧ ଫୁଲ’ ତାଙ୍କୁ ବିଚଳିତ କଲା ତ କେବେ ‘ଯାଦୁକର’ ହୋଇ ମାୟା ଲଗାଇବାକୁ ମନ ବଳିଲା। ଆଜି କିନ୍ତୁ ବିଜୟଙ୍କୁ ‘ଅଚାନକ ଅକସ୍ମାତ୍‌’ ଡକରା ଆସିଲା। କାହାକୁ କିଛି ନକହି ‘ଲାଷ୍ଟ୍ ଟ୍ରେନ୍‌’ରେ ସେ ଚୁପ୍‌ଚାପ୍‌ ଚାଲିଗଲେ ଏକ ଅଫେରା ରାଇଜକୁ…

ବହି ଦୋକାନୀ କହିଥିଲା, ମୁଁ ଫିଲ୍ମ କଲେ ତମେ ଲେଖିବ
ଯେତେବେଳେ ବିଜୟ ମିଶ୍ର ବଦଳି ହୋଇ ଭଦ୍ରକ ଯାଇଥି‌ଲେ, ସେତେବେଳକୁ ଲେଖକ ଭାବେ ତାଙ୍କର ୩ଟା ବହି ପ୍ରକାଶ ପାଇ ସାରିଥିଲା। ସେଠାରେ ଗୋଟେ ଛୋଟ ବହି ଦୋକାନୀଟିଏ ବି ବିଜୟ ମିଶ୍ରଙ୍କ ବହି ବିକୁଥିଲା। ତେଣୁ ତାଙ୍କର ଶ୍ରୀ ମିଶ୍ରଙ୍କ କ୍ବାର୍ଟରକୁ ଯା-ଆସ ଲାଗି ରହିଥିଲା। ଦିନେ ସେ ବିଜୟଙ୍କୁ କହିଲା, ଯଦି ମୁଁ କେବେ ଫିଲ୍ମ କରିବି ସେଟା ଆପଣ ଲେଖିବେ। ବିଜୟ କହିଲେ, ତୁ ପୁଣି ଫିଲ୍ମ କରିବୁ। ଏହା ପରେ ସେ ଭୁବନେଶ୍ବର ବଦଳି ହେଇ ପଳେଇ ଆସିଲେ। କିଛି ଦିନ ପରେ ଶୁଣିଲେ ସତକୁ ସତ ସେ ଛୋଟ ବହି ଦୋକାନୀ ସୁର ବହୁତ ବଡ଼ ସାର ଦୋକାନୀ ହୋଇ ପଇସାବାଲା ହେଇଯାଇଛି। ଦିନେ ସୁର ତାଙ୍କ ପାଖକୁ ଆସି କହିଲା, ମୋ କଥା ମନେ ଅଛିଟି, ଗୋଟେ କାହାଣୀ ଲେଖ ଫିଲ୍ମ କରିବି। ଏହା ଶୁଣି ବିଜୟ ତାକୁ ସଂଗୀତ ନିର୍ଦ୍ଦେଶକ ଅକ୍ଷୟ ମହାନ୍ତିଙ୍କ ପାଖକୁ ନେଇଗଲେ। ସେଠାରେ ଅକ୍ଷୟ କହିଲେ, ଠିକ୍‌ ଅଛି ତୋ ‘ଯାଯାବର’ ନାଟକଟା ଫିଲ୍ମ କରିବା। କିନ୍ତୁ ଯେବେ ସେ ଚଳଚ୍ଚିତ୍ରର ନିର୍ଦ୍ଦେଶନା ପାଇଁ ନିତାଇ ପାଲିତ୍‌ଙ୍କ ପାଖକୁ ଗଲେ, ସେ ବର୍ଷେ ପାଇଁ ସମୟ ନାହିଁ କହି ଫେରାଇଦେଲେ। ସେଇଠୁ ଅକ୍ଷୟ ମହାନ୍ତି, ହେମନ୍ତ ଦାସ ଓ ବିଜୟ ମିଶ୍ର ମିଶି ତ୍ରିମୂର୍ତି ନାଁରେ ‘ଯାଯାବର’ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଲେ।

ବାଧ୍ୟରେ ‘ରଜନୀଗନ୍ଧା’ ଫିଲ୍ମର ନି‌ର୍ଦ୍ଦେଶନା ଦେଇଥିଲେ
ଯେବେ ‘ଯାଯାବର’ ଚଳଚ୍ଚିତ୍ରଟି ୧୯୭୪-୭୫ରେ ବିପୁଳ ସଫଳତା ଲାଭ କଲା, ବିଜୟଙ୍କ ପାଖରେ ପ୍ରଯୋଜକ ନିର୍ଦେଶକଙ୍କ ଯା’ ଆସ ଲାଗିଲା। ସେତେବେଳକୁ ବର୍ଷକୁ ଅତି ବେଶିରେ ୩-୪ଟା ଫିଲ୍ମ ହେଉଥାଏ। ତେବେ ଲେଖକ ଦେଖିବା ବେଳକୁ ବିଜୟ ଏକମାତ୍ର। ତେଣୁ ଗୁଡ଼ାଏ ଚଳଚ୍ଚିତ୍ର ତାଙ୍କ ପାଖକୁ ଆସିବାକୁ ଲାଗିଲା। ପ୍ରଯୋଜକଙ୍କ କହିବା ମୁତାବକ ସେ ‘ରଜନୀଗନ୍ଧା’ ଫିଲ୍ମ ଲେଖିଲେ। ଦୁର୍ଭାଗ୍ୟକୁ ପ୍ରଯୋଜକ ବିଜୟଙ୍କୁ କହିଲେ, ତୁମେ ନିର୍ଦ୍ଦେଶନା ଦିଅ। ବିଜୟ ଯେତେ ମନା କଲେ ବି ପ୍ରଯୋଜକ ଥିଲେ ନଛୋଡ଼ବନ୍ଧା। ସେଇଠୁ ବିଜୟ ବାଧ୍ୟ ହୋଇ ନିର୍ଦ୍ଦେଶନା ଦେଲେ। ‌ମାତ୍ର ଭୂତ ଗପକୁ ଖଣ୍ଡ କବିତା ଆଧାରରେ ବର୍ଣ୍ଣନା କଲେ। ଭୂତକୁ ଧଳା ପୋଷାକ ଜାଗାରେ ରଙ୍ଗିନ ପୋଷାକ ପିନ୍ଧାଇଲେ। କାନ୍ଥ ବାଟେ ଭୂତ ଆସିବା କି ଲମ୍ବା ହାତଟେ ବଢ଼ାଇବା ଭଳି ଗିମିକ୍‌କୁ ବି ସେ ଫିଲ୍ମରେ ରଖିଲେ ନାହିଁ। ତେଣୁ ରଜନୀଗନ୍ଧା ଚଳଚ୍ଚିତ୍ରଟି ଏତେ ଚାଲିଲାନି। ମାତ୍ର ଯେବେ ଏହା ଟି‌ଭିରେ ଲୋକେ ଦେଖିଲେ ଭାରି ପସନ୍ଦ କଲେ। ଏମିତିକି ଏ ଚଳଚ୍ଚିତ୍ରଟି ୬ଟି ବର୍ଗରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲା।

୬ ମାସ ହାଉସଫୁଲ୍‌ ଚାଲିଥିଲା ‘ଅଶାନ୍ତ ଗ୍ରହ’
ବିଜୟ ମିଶ୍ରଙ୍କ ଦ୍ବିତୀୟ ନାଟକ ଥିଲା ‘ଅଶାନ୍ତ ଗ୍ରହ’। ଯେବେ ସେ ଏଇ ନାଟକଟିକୁ ନେଇ ପୁଣି ସାମୁଏଲ୍‌ ସାହୁଙ୍କ ପାଖକୁ ଗଲେ, ତାକୁ ଦେଖି ସାମୁଏଲ୍‌ ଭାରି ଖୁସି ହେଇଗଲେ। ବିଜୟ କହିଲେ, ସାମୁଏଲ୍‌ ଭାଇ ଆପଣ ଏଥିରେ କୋଉଠି ନାଚ ଗୀତ ରହିବ, ଖଞ୍ଜି ଦିଅନ୍ତୁ। ସାମୁଏଲ୍‌ କିନ୍ତୁ ମନା କଲେ। କହିଲେ, ଏଥିରେ ନାଚ ଗୀତ କ’ଣ ପାଇଁ ରହିବ। ଏହା ଶୁଣିବା ପରେ କିନ୍ତୁ ଅନ୍ନପୂର୍ଣ୍ଣା ବି ଗ୍ରୁପ୍‌ର ମାଲିକ ଲିଙ୍ଗରାଜ ନନ୍ଦ ଡେଇଁଲେ। କହିଲେ, ବିନା ନାଚ, ଗୀତରେ କିଏ ଏ ନାଟକ ଦେଖିବ। ଥିଏଟର୍‌ର କଳାକାରମାନେ ବି ଭାବିଲେ, ଏତେ ସିରିୟସ ନାଟକ ବିନା ନାଚ, ଗୀତରେ କିଏ ଦେଖିବ। ହେଲେ ଯେତେବେଳେ ସେ ନାଟକଟି ମଂଚସ୍ଥ ହେଲା ୬ମାସ ହାଉସଫୁଲ୍‌ ଚାଲିଲା। ଏହା ଓଡ଼ିଆ ନାଟକକୁ ଏକ ନୂଆ ଦିଗ ଦେଲା।

ପ୍ରଥମ ନାଟକ ‘ଜନନୀ’ ସହ ଅପାସୋର ସ୍ମୃତି
୧୯୬୦ ମସିହାରେ ସେ ନାଟକ ‘ଜନନୀ’ ଲେଖିବା ପରେ ତାକୁ ନେଇ ଅନ୍ନପୂର୍ଣ୍ଣା ବି ଗ୍ରୁପ୍‌ରେ ନିର୍ଦ୍ଦେଶନା ଦେଉଥିବା ସାମୁଏଲ୍‌ ସାହୁଙ୍କୁ ଦେଖେଇଲେ। ସାମୁଏଲ୍‌ ନାଟକଟି ଦେଖି କହିଲେ, ବହୁତ ଭଲ ହେଇଛି, ଏଟା କରିବା। ହେଲେ ଏହାକୁ ନାଟକ ଫର୍ମାଟ୍‌ରେ ଲେଖ। ତେଣୁ ପ୍ରଥମଥର ପାଇଁ ସେ ଲେଖାଟିକୁ ଫେରାଇ ଆଣି ନାଟକ ଶୈଳୀରେ ‌ଲେଖିଲେ। ସେଇବର୍ଷ ଜୁନ୍‌ ରଜ ବେଳକୁ ନାଟକଟି ମଂଚସ୍ଥ ହେଲା। ନାଟକଟି ଏତେ ସଫଳ ନହେଲେ ବି ଭଲ ଚାଲିଥିଲା। ଏହାକୁ ଗଙ୍ଗାଧର ମେହେର କଲେଜ୍‌ର ଜଣେ ଛାତ୍ର ଦେଖି ଏହାକୁ କିଣି ନେଇ କଲେଜ୍‌ର ବାର୍ଷିକ ଉତ୍ସବରେ ନାଟକ କରିଥିଲେ। ଏଇ ଉତ୍ସବରେ ବିଜୟଙ୍କୁ ଡକାଯାଇ ତାଙ୍କ ପାଇଁ ଲେଖକ ସିଟ୍‌ ବି ବସିବା ପାଇଁ ରଖାଯାଇଥିଲା। କିନ୍ତୁ ସେଠାରେ ତାଙ୍କୁ କଲେଜ୍‌ର ଅଧ୍ୟକ୍ଷ ବସେଇ ଦେଲେ ନାହିଁ। କିଛି ସମୟ ପରେ ସେ ଜାଣିଥ‌ିଲେ, ସେ ସେଇ ଲେଖକ ସିଟ୍‌ରୁ ଯାହାକୁ ଉଠାଇଥିଲେ ସେ ହିଁ ଲେଖକ।

ବାପା ଚାହୁ ନଥିଲେ ବିଜୟ ଲେଖାଲେଖି କରନ୍ତୁ
ସେତେବେଳେ ବଡ଼ ପରିବାରରେ ବିଜୟ ଥିଲେ ବଡ଼ ପୁଅ। ତେଣୁ ତାଙ୍କ ବାପା ଚାହୁଥିଲେ, ସେ ଲେଖାଲେଖି ନକରି ରୋଜଗାର କରୁ। ତାଙ୍କ କାନ୍ଧରେ କାନ୍ଧ ମିଳାଉ। ମାତ୍ର ବିଜୟ ଲେଖାକୁ ଛାଡ଼ି ପାରିନଥିଲେ। ଲେଖିବାର ନିଶା ତାଙ୍କୁ ଛାଡ଼ି ପାରୁନଥିଲା। ମାତ୍ର ଯେବେ ୧୯୮୦ ମସିହାରେ ‘ଯାଦୁକର’ ନାଟକ ପାଇଁ ବିଜୟ ‌ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ପାଇଲେ, ତାଙ୍କ ବାପା ଭାବିଲେ ଇଏ ବୋଧେ ନିଶ୍ଚେ କିଛି ଭଲ ଲେଖୁଛି। ନଚେତ ସାହିତ୍ୟ ଏକାଡେମି ପୁରସ୍କାର କେମିତି ପାଇଥାଆନ୍ତା। ସେଇଠୁ ସେ ବିଜୟଙ୍କୁ ରାସ୍ତା ଛାଡ଼ି ଦେଇଥିଲେ।

ପତ୍ନୀ ଥିଲେ ସବୁଠୁ ବଡ଼ ସମର୍ଥକ
ବିଜୟ ଏକ ସାକ୍ଷାତକାରରେ କହିଥିଲେ, ମୋ ପତ୍ନୀ କମଳା ସାହାଯ୍ୟ କରି ନଥିଲେ ମୁଁ ଏଠି ପହଞ୍ଚି ନଥାଆନ୍ତି। ଲେଖା ଏମିତି ଏକ ନିଶା ଥିଲା ଯେ ସେଥିରେ ବିଜୟ ଘର କଥା ଆଦୌ ବୁଝି ପାରୁନଥିଲେ। ଏପରିକି ବିଜୟଙ୍କ ପାଇଁ ପ୍ୟାଣ୍ଟ ସାର୍ଟ ବି ତାଙ୍କ ପତ୍ନୀ କମଳା କିଣି ଆଣୁଥିଲେ। ଏହାବ୍ୟତୀତ ବିଜୟଙ୍କର ୨ସନ୍ତାନଙ୍କ ଯତ୍ନ ବି କମଳା ଏକା ନେଉଥିଲେ। ବିଜୟ କହୁଥିଲେ, ମୁଁ ଯେବେ ସ୍ବାଧୀନ ଭାବେ ଲେଖିବାକୁ ଚାହୁଁଥିଲି ଓ ରାତି ଅନିଦ୍ରା ହେଇ ଲେଖୁଥିଲି, କମଳା ଆଣି ମୋ ଟେବୁଲ୍‌‌ରେ ଚା’ ଆଉ ପାନ ରଖି ଦେଉଥିଲା। କେତେବେଳେ ରାତିରେ ଉଠି ପଚାରୁଥିଲା, ଲେଖା ସରିବନି। ମୁଁ କହୁଥିଲି ଆଉ ଟିକେ ଅଛି। ସେ କହୁଥିଲା, ହଉ ଲେଖ। ମାତ୍ର ଏହା ମଧ୍ୟରେ କେବେ ବି କମଳା ମତେ ବାଧା ଦେଇନାହିଁ ବୋଲି ସେ କହିଥିଲେ।

ପ୍ରତି ନାଟକରେ ମୁଁ ଥାଏ…
‌‌‌‌‌‌‌ସେ କହୁଥିଲେ, ମୋ ପ୍ରତି ନାଟକରେ ମୁଁ ଥାଏ। ପ୍ରଚ୍ଛନ୍ନ ଭାବେ ହେଉ ଅବା ସିଧାସଳଖ ଭାବେ। କିନ୍ତୁ ମୁଁ ଥାଏ। ମତେ ଲାଗେ, ନାଟକ ‘ଭଙ୍ଗା ଆଇନା’ରେ ଅନ୍ତର୍ଯ୍ୟାମୀ ପଣ୍ଡା ନିଭାଇଥିବା ବ୍ରୋକର୍‌ ଜଣକ ମୁଁ। ସେଇଭଳି ’ଶବ ବାହକମାନେ’‌ରେ ବିରୂପାକ୍ଷ ଚରିତ୍ରଟା ବି ଥିଲି ମୁଁ। ମୁଁ ଯେ ନିଜକୁ ଟାଣି ନାଟକରେ ଫିଟିଙ୍ଗ କରାଏ, ତାହା ନୁହେଁ, ବରଂ ତାହା ଆପେ ହୋଇଯାଏ।

ବନ୍ଦ ଟିକଟ ଘରେ ରାତାରାତି ଲେଖା ହେଇଥିଲା ‘ଶବ ବାହକମାନେ’
ସଂଗୀତ ନାଟକ ଏକାଡେମିର ନାଟକ ପ୍ରତିଯୋଗିତା ହେବାର ଥାଏ ତାଙ୍କ ପାଖରେ କଟକର ଏକ ନାଟ୍ୟ ଦଳ ଆସି ପହଞ୍ଚି କହିଲେ, ଆପଣ ଆମ ପାଇଁ ଗୋଟେ ନାଟକ ଲେଖନ୍ତୁ। ବିଜୟ କାହାକୁ ନାଇଁ କରିପାରନ୍ତିନି ବୋଲି ହଁ ମାରିଦେଲେ। ହେଲେ ନାଟକଟି ଲେଖିବା କଥା ସେ ସମ୍ପୂର୍ଣ୍ଣ ଭୁଲି ଯାଇଥିଲେ। ଯେବେ କଟକର ସେ ନାଟ୍ୟଦଳ ଆସି ଅନ୍ନପୂର୍ଣ୍ଣା ଥିଏଟର୍‌ର ମାଧବାନନ୍ଦଙ୍କୁ କହିଲେ, ତାଙ୍କୁ କହିବ ଆମ ନାଟକ ଲେଖିଦେବେ। ନଚେତ ଆମେ କଟକିଆ, ଏମିତି ଛେଚିବୁ ଯେ ବାଲେଶ୍ବର ଯାଇ ପାରିବେନି। ତେଣୁ ମାଧବାନନ୍ଦଙ୍କ ପାଖେ ବିଜୟ ଅସହାୟ ପାଲଟିଗଲେ। ମାଧବାନନ୍ଦ ବିଜୟଙ୍କୁ ନେଇ ୬ଫୁଟରେ ୬ ଫୁଟ ଏକ ଘରେ ପୂରାଇ ଦେଇ ତାଲା ଠୁଙ୍କି ଦେଇ କହିଲେ, ଏଇଠି ବସିକି ଲେଖ, ନହେଲେ ତା’ ଭିତରେ ମର। ସେଇ ରାତିରେ ସେଇ ବନ୍ଦ କୋଠରି ଭିତରେ ୯୦ ପୃଷ୍ଠାର ନାଟକ ‘ଶବ ବାହକମାନେ’ ଲେଖିଦେଲେ। ତାହା ପ୍ରତିଯୋଗିତାରେ ପ୍ରଥମ ହେବା ସହ ଓଡ଼ିଆ ନାଟକର ଟ୍ରେଣ୍ଡ୍‌ ସେଟର ପାଲଟିଲା।

ସମ୍ବନ୍ଧିତ ଖବର

Comments are closed.