ଭୁବନେଶ୍ବର: ଫନିର ପ୍ରକୋପରୁ ସତ୍ୟନଗର ଶ୍ମଶାନ ବର୍ତିପାରିନି। ଏକ ପ୍ରକାର ଉଜୁଡ଼ି ଯାଇଛି ଭୁବନେଶ୍ବରର ଏହି ପ୍ରମୁଖ ଶ୍ମଶାନଟି। ବିଦ୍ୟୁତ୍ ଚୁଲା, ସ୍ନାନକୁଣ୍ଡ, ଷ୍ଟ୍ରିଟ୍ ଲାଇଟ୍, ଗଛ ସବୁ ଭାଙ୍ଗିପଡ଼ିଛି। ଫଳରେ ଶବଦାହ କରିବାକୁ ଆସୁଥିବା ଲୋକମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସତ୍ୟନଗର ଶ୍ମଶାନ ପରିସରରେ ଥିବା ଶତାଧିକ ଗଛ ବାତ୍ୟାରେ ଭାଙ୍ଗି ପଡ଼ିଛି। ଗଛଗୁଡ଼ିକ ପଡ଼ି ଏଠାରେ ଥିବା ଏକ କୂଅ ସମ୍ପୂର୍ଣ୍ଣ ପୋତି ହୋଇଯାଇଛି। ସ୍ନାନକୁଣ୍ଡ ମଧ୍ୟରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିବାରୁ ସେଠାକୁ ଜଳ ସଂଯୋଗ କରାଯାଇନାହିଁ। ବାତ୍ୟାକୁ ଦୁଇ ସପ୍ତାହ ପୂରିଯାଇଥିଲେ ବି ଏଠାକୁ ଏ ଯାଏ ବିଦ୍ୟୁତ୍ ସଂଯୋଗ ହୋଇ ନାହିଁ। ଗତ ମାସେ ହେଲା ବହୁ ଟଙ୍କା ଖର୍ଚ୍ଚ କରାଯାଇ ବିଦ୍ୟୁତ୍ ଚୁଲାକୁ ସଜଡ଼ା ଯାଇଥିଲା। କିନ୍ତୁ ବାତ୍ୟାରେ ପାଣି ପଶିଯିବା ଫଳରେ ତାହା ପୁଣି ଅଚଳ ହୋଇଯାଇଛି। ଏହା ବାଦ୍ ସିମେଣ୍ଟ୍ ଚେୟାର, ବହୁ ଷ୍ଟ୍ରିଟ୍ ଲାଇଟ୍ ଓ ପୋଖରୀ ଚାରିକଡ଼ରେ ଥିବା ପାଚେରି ଭାଙ୍ଗିଯାଇଛି।
ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ବିଏମ୍ସି ପକ୍ଷରୁ ଶ୍ମଶାନ ନିର୍ମାଣ କରାଯାଇଥିଲେ ବି ସତ୍ୟନଗରରେ ସର୍ବାଧିକ ଶବଦାହ ହୋଇଥାଏ। ଏଠାରେ ବିଦ୍ୟୁତ୍ ଚୁଲା ସମେତ ଶେଷକୃତ୍ୟ ସମ୍ପନ୍ନ କରିବାକୁ ଅନ୍ୟ ସୁବିଧା ସୁଯୋଗ ମିଳୁଥିବାରୁ ଲୋକମାନେ ଏଠାକୁ ଆସନ୍ତି। କିନ୍ତୁ ବାତ୍ୟା ପରେ ଶ୍ମଶାନର ଦୃଶ୍ୟ ଯେମିତି ବଦଳିଯାଇଛି। ମୌଳିକ ସୁବିଧା ସବୁ ବି ବାତ୍ୟା ଛଡ଼ାଇ ନେଇଛି। ଶ୍ମଶାନର ସଫେଇ କର୍ମଚାରୀ ଉପେନ୍ଦ୍ର ନାୟକ କୁହନ୍ତି, ଶ୍ମଶାନର ବହୁତ କ୍ଷତି ହୋଇଛି। ବିଦ୍ୟୁତ୍ ଚୁଲା ଅଚଳ ହୋଇଯାଇଥିବାରୁ ଲୋକମାନେ ଅସୁବିଧା ଭୋଗୁଛନ୍ତି। ଶବଦାହ ସମୟରେ ବିଭିନ୍ନ ଆବଶ୍ୟକତା ସବୁ ବି ଏବେ ମେଣ୍ଟାଇବା କଷ୍ଟ ହୋଇପଡ଼ୁଛି। ବିଜୁଳି ସଂଯୋଗ ନ ଥିବାରୁ ରାତିରେ ଭଙ୍ଗା ଗଛର ଅବଶେଷ ଭୟ ସୃଷ୍ଟି କରୁଛି ବୋଲି ଶ୍ରୀ ନାୟକ କହିଛନ୍ତି। ସହରର ଅନ୍ୟ ମୌଳିକ ସେବାକୁ ସ୍ବାଭାବିକ କରିବାକୁ ବିଏମ୍ସି ଉଦ୍ୟମ ଜାରି ରଖିଥିଲା ବେଳେ ଏହି ଶ୍ମଶାନର ପୁନଃନିର୍ମାଣ କାର୍ଯ୍ୟ ମଧ୍ୟ ତୁରନ୍ତ ଆରମ୍ଭ କରିବାକୁ ସ୍ଥାନୀୟ ଲୋକମାନେ ମତ ଦେଇଛନ୍ତି।