ଭୁବନେଶ୍ୱର: ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କରୁଥିବା ବ୍ୟକ୍ତିଙ୍କୁ ପ୍ରୋତ୍ସାହନ ତଥା ସୁରକ୍ଷା ପାଇଁ ରାଜ୍ୟରେ ୨୦୧୮ ମସିହାରୁ ‘ଗୁଡ୍ ସମରିଟାନ୍’ ଯୋଜନା କାର୍ଯ୍ୟକାରୀ ହୋଇଛି। ଦୁର୍ଘଟଣାଜନିତ ମୃତାହତଙ୍କ ସଂଖ୍ୟା କମାଇବା ଉଦ୍ଦେଶ୍ୟରେ ସୁପ୍ରିମ୍କୋର୍ଟଙ୍କ ଆଦେଶ ମୁତାବକ ଏହି ଯୋଜନା ଲାଗୁ କରାଯାଇଛି। କିନ୍ତୁ ଅଧିକାରୀଙ୍କ ଅବହେଳା, ଆନ୍ତରିକତାର ଅଭାବ ଓ ଅପାରଗତା ଯୋଗୁଁ ଖୋଦ୍ ରାଜଧାନୀରେ ଏହାର ସଫଳ ରୂପାୟନ ହୋପାରୁନାହିଁ। ଜନସାଧାରଣଙ୍କୁ ଏହି ଯୋଜନା ସଂପର୍କରେ ସଚେତନ କରାଇବା ଲାଗି ସହରର ପ୍ରମୁଖ ସ୍ଥାନରେ ହୋର୍ଡିଂ ଲଗାଇବା ପାଇଁ କଡ଼ା ନିର୍ଦ୍ଦେଶ ଥିବା ବେଳେ କୌଣସି ଜାଗାରେ ଏଭଳି ସଚେତନତା ଫଳକ ଦେଖାଯାଉନାହିଁ। ଦେଢ଼ ବର୍ଷ ହେଲା ଆଞ୍ଚଳିକ ପରିବହନ ଅଧିକାରୀ(୧)ଙ୍କ କାର୍ଯ୍ୟାଳୟରେ ଶତାଧିକ ହୋର୍ଡିଂ ଖତ ଖାଉଛି। ବଡ଼ କଥା ହେଉଛି, ଦୁର୍ଘଟଣାସ୍ଥଳରୁ ଆହତଙ୍କୁ ମେଡିକାଲରେ ପହଞ୍ଚାଉଥିବା ବ୍ୟକ୍ତିକୁ ‘ଗୁଡ୍ ସମରିଟାନ୍’ ଆଖ୍ୟା ଦିଆଯିବା ସହ ୨ ହଜାର ଟଙ୍କା ଆର୍ଥିକ ପ୍ରୋତ୍ସାହନ ନେଇ ଏଥିରେ ବ୍ୟବସ୍ଥା ରହିଛି। ହେଲେ ହୋର୍ଡିଂରେ ଏ ସଂପର୍କରେ କୌଣସି ସୂଚନା ନାହିଁ। ଫଳରେ ଦୁର୍ଘଟଣାସ୍ଥଳରୁ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ ଲୋକେ ଆଗ୍ରହ ପ୍ରକାଶ କରୁନାହାନ୍ତି। ଆମ୍ବୁଲାନ୍ସ କିମ୍ବା ପିସିଆର୍ ଭ୍ୟାନ୍କୁ ଅପେକ୍ଷା କରୁଛନ୍ତି। ଏହାଦ୍ବାରା ଡେରିରେ ହସ୍ପିଟାଲ ପହଞ୍ଚୁଥିବା ବ୍ୟକ୍ତି ଜୀବନ ହରାଉଛନ୍ତି କିମ୍ବା ସବୁ ଦିନ ପାଇଁ ପଙ୍ଗୁ ଅଥର୍ବ ହୋଇଯାଉଛନ୍ତି।
ସମଗ୍ର ଦେଶରେ ୨୦୧୪ ମସିହାରୁ ‘ଗୁଡ୍ ସମରିଟାନ୍’ ଯୋଜନା କାର୍ଯ୍ୟକ୍ଷମ ପାଇଁ ଆଦେଶ ରହିଥିବା ବେଳେ ୨୦୧୮ରୁ ଓଡ଼ିଶା ସରକାର ଏହାକୁ କଡ଼ାକଡ଼ି କରିଛନ୍ତି। ଯୋଜନା ମୁତାବକ, ଅନେକ ସମୟରେ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ମେଡିକାଲ ନେବା ବା ପୁଲିସକୁ ଖବର ଦେବା ପାଇଁ ଅଣ୍ଟା ଭିଡ଼ିଥିବା ଲୋକଟି(ଗୁଡ୍ ସମରିଟାନ୍) ସାକ୍ଷୀ ପ୍ରମାଣ ଜାଲରେ ଛନ୍ଦି ହୋଇ ଯାଉଥିବା ଦେଖାଯାଏ। ଏଣୁ ଆହତଙ୍କ ଗୁଡ୍ ସମରିଟାନ୍ର ସବିଶେଷ ବିବରଣୀ ପୁଲିସ ପଚାରିବ ନାହିଁ କିମ୍ବା ଦୁର୍ଘଟଣା ମାମଲାରେ ସାକ୍ଷୀ ପାଇଁ କୋର୍ଟକୁ ଟାଣିପାରିବ ନାହିଁ। ସେ ବ୍ୟକ୍ତିଗତ ବିବରଣୀ ପ୍ରଦାନ କରିବା ପାଇଁ ମଧ୍ୟ ବାଧ୍ୟ ହେବେ ନାହିଁ। ଏଭଳି କରିବାକୁ ବାଧ୍ୟ କଲେ ମେଡିକାଲ କର୍ମଚାରୀ ବା ପୁଲିସ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ। ଘରୋଇ ବା ସରକାରୀ ହସ୍ପିଟାଲରେ ଆହତକୁ ଆଡ୍ମିସନ ସମୟରେ କୌଣସି ଖର୍ଚ୍ଚ ପାଇଁ ଅଟକାଇ ରଖା ଯାଇପାରିବ ନାହିଁ। ଅପରପକ୍ଷେ ଗୁଡ୍ ସମରିଟାନ୍କୁ ୨ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ। ଯେକୌଣସି ବ୍ୟକ୍ତି ଏଭଳି ଆହତଙ୍କୁ ଉଦ୍ଧାର କରି ‘ଗୁଡ୍ ସମରିଟାନ୍’ ହୋଇପାରିବ। ସ୍ବତନ୍ତ୍ର ଉତ୍ସବ ଜରିଆରେ ଏମାନଙ୍କୁ ରାଜ୍ୟ ଓ ଜିଲ୍ଲାସ୍ତରରେ ସମ୍ବର୍ଦ୍ଧିତ କରାଯିବ। ଏଥିପାଇଁ ସମସ୍ତ ଖର୍ଚ୍ଚ ସଡ଼କ ସୁରକ୍ଷା ସମିତି ବହନ କରିବ।
ପରିବହନ ବିଭାଗ କେବଳ ଏକ ବିଜ୍ଞପ୍ତି ଜାରି କରି ଏଭଳି ଯୋଜନା କାର୍ଯ୍ୟକ୍ଷମ ଥିବା ପ୍ରଚାର କରୁଛି। ଏଯାବତ୍ ପୁରସ୍କାର ପାଇଥିବା ସମରିଟାନ୍ଙ୍କ ସଂଖ୍ୟା, ବ୍ୟକ୍ତିଗତ ବିବରଣୀ, କେଉଁ ଆହତଙ୍କୁ କେଉଁଠାରୁ ଉଠାଇ ଆଣିଥିଲେ, ତାହାର ତଥ୍ୟ ପରିବହନ ବିଭାଗ ଦେଉନାହିଁ। କିନ୍ତୁ ପୁରସ୍କାର ଦିଆଯାଉଛି ବୋଲି ଉଭୟ(୧ ଓ ୨) ଆରଟିଓ କହିଛନ୍ତି। ଅନ୍ୟପଟେ କେତେକ ନିର୍ଦ୍ଦିଷ୍ଟ ଲୋକ ଏହି ଯୋଜନାକୁ ହାଇଜାକ୍ କରିଥିବା ମଧ୍ୟ ଅଭିଯୋଗ ହୋଇଛି। କମିସନରେଟ୍ ପୁଲିସ ରେକର୍ଡ ମୁତାବକ, ରାଜଧାନୀ ଦେଇ ଯାଇଥିବା ଜାତୀୟ ରାଜପଥଗୁଡ଼ିକରେ ଗତ ୫ ବର୍ଷରେ ୬୬୪ ଦୁର୍ଘଟଣାରେ ୨୮୧ଜଣଙ୍କ ମୃତ୍ୟୁ ଘଟିଛି। ୨ ଶହରୁ ଊର୍ଦ୍ଧ୍ବ ପଙ୍ଗୁ ହୋଇଯାଇଛନ୍ତି। ବିଶେଷକରି ୧୬ ନମ୍ବର ଜାତୀୟ ରାଜପଥର ପିତାପଲ୍ଲୀରୁ ନଖରା ପର୍ଯ୍ୟନ୍ତ ରାସ୍ତାରେ ୨୦୧୫ରୁ ଅଦ୍ୟାବଧି ୬୩୨ ଦୁର୍ଘଟଣାରେ ୨୭୩ଙ୍କର ମତ୍ୟୁ ହୋଇଛି। ନିକଟ ଅତୀତରେ ମଧ୍ୟ ସହର ଦେଇ ଯାଇଥିବା ୧୬ନମ୍ବର ଜାତୀୟ ରାଜପଥରେ ୭ ଦିନରେ ୮ଜଣଙ୍କର ମୃତ୍ୟୁ ପରେ ଫ୍ଲାଏ ଓଭର୍ରେ ବିନା ହେଲ୍ମେଟ୍ରେ ବାଇକ୍ ଚାଳନା ଖୋର୍ଦ୍ଧା ଜିଲ୍ଲାପାଳ ନିଷିଦ୍ଧ କରିଛନ୍ତି। କିନ୍ତୁ ‘ଗୁଡ୍ ସମରିଟାନ୍’ ଭଳି ସରକାରୀ ଯୋଜନାକୁ ନେଇ କୌଣସି ଆନ୍ତରିକତା ପ୍ରକାଶ ନ ପାଇବା ସରକାରୀ ଅବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି।