ଫୋକସ୍‌ରେ ଭୁବନେଶ୍ୱର : ଗଞ୍ଜାମରୁ ଅଧିକାରୀ ଆସିଲେ, କହିଲେ ଗଞ୍ଜାମ ମଡେଲ୍‌ ଲାଗୁ ହେବ

କାମ ଆରମ୍ଭ ହେବା ପୂର୍ବରୁ ଶ୍ରେୟ ନେବା ଚିନ୍ତା
କିଛି ନୂଆ ନାହିଁ, ଯାହା ହେଉଥିଲା ତାହା ହେବ: ବିଏମ୍‌ସି

ଭୁବନେଶ୍ୱର : ଭୁବନେଶ୍ୱରରେ କରୋନା ନିୟନ୍ତ୍ରଣ ପାଇଁ ବ୍ୟାପକ ପଦକ୍ଷେପ ନେଉଛି ବିଏମ୍‌ସି। ଏଠାରେ ଯେପରି ଗଞ୍ଜାମ ପରିସ୍ଥିତି ସୃଷ୍ଟି ନହେବ, ସେଥିପାଇଁ ଯଥାସମ୍ଭବ ଉଦ୍ୟମ କରିଛି। ବିଏମ୍‌ସି କମିସନର, ପର୍ଯ୍ୟବେକ୍ଷକ ବିଭିନ୍ନ ଅଞ୍ଚଳକୁ ଯାଇ ଲୋକଙ୍କୁ ସଚେତନ କରିବାଠାରୁ ଆରମ୍ଭ କରି ମତାମତ ସଂଗ୍ରହ କରି ପଦକ୍ଷେପ ନେଉଛନ୍ତି। ପ୍ରତି ୱାର୍ଡସ୍ତରରେ ସ୍କ୍ରିନିଂ ଜୋରଦାର କରାଯାଉଛି। ସବୁ ବାଦ୍‌ ବି ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କୁ ହସ୍ପିଟାଲ ସ୍ଥାନାନ୍ତର ହେଉ କି କଣ୍ଟାକ୍ଟ ଟ୍ରେସିଂ ଆଦିରେ କିଛି ସମସ୍ୟା ରହୁଥିଲା। ରାଜ୍ୟ ସରକାର ଏହା ଜାଣୁଥିଲେ। କିନ୍ତୁ ସରକାରଙ୍କ ଫୋକସ୍‌ରେ ଗଞ୍ଜାମ ଥିବାରୁ ଭୁବନେଶ୍ବର କଥା ଦ୍ବିତୀୟରେ ଥିଲା। ଗଞ୍ଜାମରେ ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ଏବେ ରାଜ୍ୟ ସରକାର ଭୁବନେଶ୍ବରକୁ ଫୋକସ୍‌ କରିଛନ୍ତି।

ଯାହା ଯେମିତି ହେଉଥିଲା, ସେଥିରେ କିଛି ପରିବର୍ତ୍ତନ ନକରି ଅଧିକ ମାନବସମ୍ବଳ ନିୟୋଜିତ କରିଛନ୍ତି। ଅଧିକ ଆୟୁଷ ଡାକ୍ତର, ଲାବ୍‌ ଟେକ୍ନିସିଆନ୍, ଅଧିକାରୀ ନି‌ୟୋଜିତ କରିଛନ୍ତି। ଯାହା ବିଏମ୍‌ସି କର୍ତ୍ତୃପକ୍ଷ ଚାହୁଥିଲେ, ତାହା ଏବେ ହୋଇଛି। ଭୁବନେଶ୍ବରକୁ ତୁରନ୍ତ କରୋନାମୁକ୍ତ କରିବା ପାଇଁ ବିଏମ୍‌ସି ଯେଉଁ ପଦକ୍ଷେପ ନେଉଥିଲା, ସେଥିରେ ରାଜ୍ୟ ସରକାର ପୂରା ସହଯୋଗ କରିଛନ୍ତି। ଗଞ୍ଜାମରେ କରୋନା ନିୟନ୍ତ୍ରଣକୁ ଆସିବା ପରେ ରାଜ୍ୟ ସରକାର କିଛି ଅଧିକାରୀଙ୍କୁ ବିଏମ୍‌ସିରେ ନିୟୋଜିତ କରିଛନ୍ତି। ଉଦ୍ଦେଶ୍ୟ ହେଉଛି, ସେମାନେ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ନିଜ ଅଭିଜ୍ଞତାରୁ ସାହାଯ୍ୟ ସହଯୋଗ କରିବେ। ହେଲେ ଗଞ୍ଜାମରୁ ଆସି ବିଏମ୍‌ସିରେ ଅତିରିକ୍ତ କମିସନର୍‌ ଭାବେ ଯୋଗ ଦେଇଥିବା ପାରୁଲ ପଟୱାରି କହିଛନ୍ତି ଯେ ଭୁବନେଶ୍ବରରେ ଗଞ୍ଜାମ ଫର୍ମୁଲା ଲାଗୁ ହେବ। କିନ୍ତୁ କ’ଣ ଗଞ୍ଜାମରେ ଅଧିକ କରୁଥିଲେ ଯାହା ଭୁବନେଶ୍ବରରେ ହେଉନଥିଲା, ଏବେ ହେବ ତାହା କହିପାରୁନାହାନ୍ତି।

ଯେତେ ଅଧିକାରୀ ଆସୁଛନ୍ତି ସେମାନେ ଶ୍ରେୟ ନେବାକୁ ନିଜ ନିଜ ଢଙ୍ଗରେ ଗଣମାଧ୍ୟମରେ ଭାଷଣବାଜି ମାରୁଛନ୍ତି। ଲୋକଙ୍କୁ ଭୁଆଁ ବୁଲାଉଛନ୍ତି, ଲୋକ କେମିତି ଅଧିକ ଉପକୃତ ହେବେ, ସେନେଇ କେହି ନୂଆ ଚିନ୍ତା କରୁନାହାନ୍ତି। ଯାହା ସାରା ଦେଶରେ ଚାଲିଛି ତାହା ହିଁ ଏଠାରେ ହେଉଛି। ଯଦି ଭୁବନେଶ୍ବରରେ କରୋନା ନିୟନ୍ତ୍ରଣ ପାଇଁ କିଛି ନିଆରା ଯୋଜନା ନାହିଁ, ତେବେ ଗଞ୍ଜାମ ଫର୍ମୁଲା କ’ଣ ହେବ ବୋଲି ପ୍ରଶ୍ନ ଉଠିଲାଣି।

ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ବରରେ ଯେପରି କରୋନା ନିୟନ୍ତ୍ରଣକୁ ଆସିବ, ସେନେଇ ଆମେ ଯେଉଁ ଯୋଜନା କରିଥିଲୁ, ତାହା ଏବେ ଅଧିକ କ୍ରିୟାଶୀଳ ହେବ। ରାଜ୍ୟ ସରକାର ଅଧିକ କର୍ମଚାରୀ ଯୋଗାଇ ଦେଇଥିବାରୁ ଆମେ ଟିମ୍‌ ସଂଖ୍ୟା ବଢ଼ାଇବୁ। କିଛି ନୂଆ ନାହିଁ ବୋଲି ବିଏମ୍‌ସି କମିସନର୍‌ ପ୍ରେମ ଚନ୍ଦ୍ର ଚୌଧରୀ କହିଛନ୍ତି।

ଆମ୍ବୁଲାନ୍ସ ସଂଖ୍ୟା ୪୯କୁ ବଢ଼ିବ:ଏବେ ରାଜଧାନୀରେ କରୋନା ଆକ୍ରାନ୍ତଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରିବା, କୋଭିଡ୍‌ କେୟାର ହୋମ୍‌କୁ ନେବା ପାଇଁ ୩୩ଟି ଆମ୍ବୁଲାନ୍ସ ନିୟୋଜିତ ହୋଇଛି। ରୋଗୀ ସ୍ଥାନାନ୍ତରରେ ସମସ୍ୟା ହେଉଥିବାରୁ ଏବଂ ବିଳମ୍ବରେ ଆମ୍ବୁଲାନ୍ସ ପହଞ୍ଚୁଥିବାରୁ ଆମ୍ବୁଲାନ୍ସ ସଂଖ୍ୟା ବଢ଼ିବା ଦରକାର ବୋଲି ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ଏହାପରେ ରାଜ୍ୟ ସରକାର ବିଏମ୍‌ସିକୁ ୧୬ଟି ଆମ୍ବୁଲାନ୍ସ ଦେଇଛନ୍ତି। ଆଜି ୧୦ଟି ଆମ୍ବୁଲାନ୍ସ ଆସିଥିବାବେଳେ ଆସନ୍ତାକାଲି ଆଉ ୬ଟି ଆମ୍ବୁଲାନ୍ସ ଆସିବ। ଏହିପରି ମୋଟ୍‌ ୫୫ଟି ଆମ୍ବୁଲାନ୍ସ ଭୁବନେଶ୍ବରରେ ନିୟୋଜିତ ହେବ। ଏଥିରୁ ପ୍ରତି ୱାର୍ଡରେ ୨ଟି ଲେଖାଏଁ ଆମ୍ବୁଲାନ୍ସ ରହିବ। ଜୋନାଲ ଡେପୁଟି କମିସନରମାନଙ୍କ ସ୍ତରରେ ଅଭିଯୋଗ ଆସିଲେ ସେ ତୁରନ୍ତ ଆକ୍ରାନ୍ତଙ୍କୁ ସ୍ଥାନାନ୍ତର କରିବାକୁ ଏହି ଆମ୍ବୁଲାନ୍ସ ବ୍ୟବହାର କରିବେ। କିଛିଦିନ ‌ତଳେ ବିଏମ୍‌ସି ତିନିଟି ଜୋନ୍‌କୁ ତିନିଟି ଆମ୍ବୁଲାନ୍ସ ଦେଇଥିଲା।

‌‌ଦୈନିକ ପରୀକ୍ଷା ବଢ଼ିବ, ଆସି‌ଲେ ୧୫ ଏଲ୍‌ଟି: ଅଧିକରୁ ଅଧିକ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ପାଇଁ ଅଧିକ କ୍ୟାମ୍ପ ହେବ। ଏଥିପାଇଁ ବିଏମ୍‌ସିରେ ଆଉ ୧୫ଜଣ ଲ୍ୟାବ୍‌ ଟେକନିସିଆନ୍‌ (ଏଲ୍‌ଟି) ଯୋଗଦେବେ। କିଛି ଏଲ୍‌ଟି କରୋନା ଆକ୍ରାନ୍ତ ହୋଇଥିବାରୁ ନମୁନା ସଂଗ୍ରହ ବାଧାପ୍ରାପ୍ତ ହୋଇଥିଲା। ତଥାପି ବିଏମ୍‌ସି ଦୈନିକ ପ୍ରାୟ ୪ହଜାର ପରୀକ୍ଷା କରୁଛି। ଆଗକୁ ଅଧିକ ପରୀକ୍ଷା କରିବାକୁ ଯୋଜନା ଥିବାରୁ ଏହି ପଦକ୍ଷେପ ନିଆଯାଇଛି।

ଆର୍‌ଟି-ପିସିଆର ପରୀକ୍ଷାକୁ ଗୁରୁତ୍ବ ଦିଆଯିବ: ଅଧିକରୁ ଅଧିକ କରୋନା ଆକ୍ରାନ୍ତଙ୍କୁ କମ୍‌ ସମୟରେ ଚିହ୍ନଟ କରିବା ପାଇଁ ବିଏମ୍‌ସି ପକ୍ଷରୁ ଆଣ୍ଟିଜେନ୍‌ ପରୀକ୍ଷାକୁ ଗୁରୁତ୍ବ ଦିଆଯାଉଛି। ଏଥିରେ କିଛି ଲୋକଙ୍କର ଲକ୍ଷଣ ଥାଇ ବି ରିପୋର୍ଟ ନେଗେଟିଭ୍‌ ଆସୁଛି। କିନ୍ତୁ ଆର୍‌ଟି-ପିସିଆର୍ ପରୀକ୍ଷା କଲେ ପଜିଟିଭ୍ ଆସୁଛି। ତେଣୁ ବିଏମ୍‌ସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ଯେ, ଯେଉଁ ଆକ୍ରାନ୍ତଙ୍କର ଲକ୍ଷଣ ଥିବ କିନ୍ତୁ ଆଣ୍ଟିଜେନ୍‌ ଟେଷ୍ଟରେ ନେଗେଟିଭ୍‌ ଆସିଥିବ ତେବେ ସେମାନଙ୍କର ଆର୍‌ଟି-ପିସିଆର୍ ପରୀକ୍ଷା ତୁରନ୍ତ କରାଯିବ।

ଜୋନ୍‌ସ୍ତରରେ ୧୮ଟି ଲେଖାଏଁ ଆରଆରଟି: ବିଏମ୍‌ସିର ସୂଚନା ଅନୁଯାୟୀ, ପ୍ରତି ଜୋନ୍‌ରେ ୧୦ଟି ରାପିଡ୍‌ ରେସ୍ପନ୍ସ ଟିମ୍‌ କାମ କରୁଥିବାବେଳେ ଏବେ ଏହାକୁ ୧୮କୁ ବଢ଼ାଯାଇଛି। ଏହାଦ୍ବାରା ଗୃହ ସଙ୍ଗରୋଧରେ ରହୁଥିବା ଲୋକଙ୍କୁ ତୁରନ୍ତ କିଟ୍‌ ଯୋଗାଇବା ସହ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଉପରେ ନିୟମିତ ନଜର ରଖିହେବ। ଏଥିରେ ଆୟୁଷ ଡାକ୍ତରଙ୍କ ସହ ବିଏମ୍‌ସି କର୍ମଚାରୀ ରହୁଛନ୍ତି।

ବିଧାୟକଙ୍କ ପାଣ୍ଠିରୁ ମିଳିଲା ୩ ଭ୍ୟାନ୍: ଗୁରୁତର ହୋଇନଥିବା କରୋନା ଆକ୍ରାନ୍ତଙ୍କୁ ସ୍ଥାନାନ୍ତର କରିବା ପାଇଁ ବିଏମ୍‌ସିକୁ ୩ଟି ଭ୍ୟାନ୍‌ ମିଳିଛି। ଭୁବନେଶ୍ବରର ତିନି ବିଧାୟକ ସେମାନଙ୍କ ପାଣ୍ଠିରୁ ଏହି ତିନିଟି ଭ୍ୟାନ୍ ଦେଇଛନ୍ତି। ଏହା ପ୍ରତି ଜୋନ୍‌ରେ ରହିବ। ଆମ୍ବୁଲାନ୍ସ ନଥିଲେ ଜେଡ୍‌ଡିସିମାନେ ଏଥିରେ ଆକ୍ରାନ୍ତଙ୍କୁ ସ୍ଥାନାନ୍ତର କରିପାରିବେ।

ସ୍କ୍ରିନିଂ ଟିମ୍‌ ସଂଖ୍ୟା ୫୭୦କୁ ବଢ଼ିବ: ପ୍ରତି ବସ୍ତିରେ ସନ୍ଦିଗ୍ଧ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ପାଇଁ ସେମାନଙ୍କର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବା, ସେମାନଙ୍କ ଉପରେ ନଜର ରଖିବା ପାଇଁ ବିଏମ୍‌ସି ପକ୍ଷରୁ ଏବେ ୩୮୦ଟି ସ୍କ୍ରିନିଂ ଟିମ୍‌ ବିଭିନ୍ନ ବସ୍ତିରେ କାମ କରୁଛି। ଏହାବାଦ୍‌ ୭୦ଟି ଟିମ୍‌ ଅଣବସ୍ତି ଅଞ୍ଚଳରେ କାମ କରୁଛି। ଅଧିକରୁ ଅଧିକ ଲୋକଙ୍କୁ ଯାଞ୍ଚ କରିବା ପାଇଁ ଆଉ ୧୨୦ଟି ସ୍କ୍ରିନିଂ ଟିମ୍‌ ବଢ଼ିବ। ଏହାଦ୍ବାରା ସ୍କ୍ରିନିଂ ଟିମ୍‌ ସଂଖ୍ୟା ୫୭୦କୁ ବଢ଼ିବ। ଏଥିରେ ଜଣେ ଲେଖାଏଁ ଏଏନ୍‌ଏମ୍‌ କର୍ମୀ, ଆୟୁଷ ଡାକ୍ତର, ଶିକ୍ଷକ ଅଛନ୍ତି। ଏହି ସ୍କ୍ରିନିଂ ଟିମ୍‌ ୱାର୍ଡ ସ୍ତରରେ କରୋନା ଆକ୍ରାନ୍ତଙ୍କ ଉପରେ ନଜର ରଖିବେ। ‌

କଣ୍ଟାକ୍ଟ ଟ୍ରେସିଂ ଟିମ୍‌ ୩୫କୁ ବଢ଼ିଲା: ଯେଉଁମାନେ କରୋନା ଆକ୍ରାନ୍ତ ହେଉଛନ୍ତି ସେମାନଙ୍କ ସଂସ୍ପର୍ଶରେ କିଏ କିଏ ଆସିଛନ୍ତି, ଆକ୍ରାନ୍ତ ଜଣଙ୍କ କୁଆଡ଼େ ଯାଇଛନ୍ତି ତାହାକୁ ଖୋଜିବା ପାଇଁ ଏବେ ବିଏମ୍‌ସିରେ ୨୦ଟି କଣ୍ଟାକ୍ଟ ଟ୍ରେସିଂ ଟିମ୍‌ କାମ କରୁଛନ୍ତି। କିନ୍ତୁ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଆଉ ୧୫ଟି ନୂଆ କଣ୍ଟାକ୍ଟ ଟ୍ରେସିଂ ଟିମ୍‌ ଗଠନ ହୋଇଛି। ଏଥିପାଇଁ ୧୫ଜଣ ଆୟୁଷ ଡାକ୍ତର ବିଏମ୍‌ସିରେ ଯୋଗ‌ଦେଇଛନ୍ତି।

ସମ୍ବନ୍ଧିତ ଖବର

Comments are closed.