ଭୁବନେଶ୍ୱର: ଖୋର୍ଧା ଜିଲ୍ଲାରେ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିରେ ବେଆଇନ ଖଣି କାରବାର ମାମଲାରେ କ୍ରାଇମ୍ବ୍ରାଞ୍ଚର ଏସ୍ଟିଏଫ୍ ଜଣେ ହୋମ୍ଗାର୍ଡଙ୍କୁ ଗିରଫ କରିଛି। ସେ ହେଲେ, ଖୋର୍ଦ୍ଧା ନାଲିପଡ଼ା ଅର୍ଜୁନପୁରର ଚିତ୍ତରଞ୍ଜନ ବଡ଼ଜେନା। ସେ ଖୋର୍ଧା ଟାଉନ୍ ଥାନା ପୁଲିସ ଗାଡ଼ି ଚଳାଉଥିଲା। ଖଣି ମାଫିଆଙ୍କଠାରୁ ଆର୍ଥିକ ସହଯୋଗ ପାଇ ପୁଲିସ ବିଭାଗର ଗୋପନୀୟ ତଥ୍ୟ ଖଣି ମାଫିଆମାନଙ୍କୁ ଯୋଗାଉଥିଲେ। ପୂର୍ବରୁ ଖୋର୍ଧା ଟାଉନ୍ ଥାନା ଇନ୍ସ୍ପେକ୍ଟର ବିକ୍ରମ ଜେନାଙ୍କୁ ଜେରା କରାଯାଇଥିଲା। ଜେରା ସମୟରେ ତାଙ୍କଠାରୁ ମିଳିଥିବା ସୂଚନାକୁ ଆଧାର କରି ଏସ୍ଟିଏଫ୍ ତଦନ୍ତ ଜାରି ରଖିବା ସହ ପ୍ରମାଣ ଯୋଗାଡ଼ କରୁଥିଲା। ପ୍ରମାଣ ମିଳିବା ପରେ ଆଜି ସକାଳେ ତାଙ୍କୁ ଏସ୍ଟିଏଫ୍ର ଏକ ସ୍ବତନ୍ତ୍ର ଦଳ ଘରୁ ଉଠାଇ ଆଣିଥିଲେ। ଦୀର୍ଘ ଦୁଇ ଘଣ୍ଟାର ମାରାଥନ୍ ଜେରା ପରେ ଏସ୍ଟିଏଫ୍କୁ ସନ୍ତୋଷଜନକ ଉତ୍ତର ନ ମିଳିବାରୁ ତାଙ୍କୁ ଗିରଫ କରାଯାଇଛି। ଏନେଇ ଏସ୍ଟିଏଫ୍ ଏସ୍ପି ରାହୁଲ ପିଆର କହିଛନ୍ତି, ଆବଶ୍ୟକ ପଡ଼ିଲେ ତାଙ୍କୁ ରିମାଣ୍ଡରେ ଅଣାଯିବ। ଏହି କାରବାରରେ ପୂର୍ବରୁ ଜେରା ହୋଇଥିବା ଟାଉନ ଥାନା ଇନ୍ସ୍ପେକ୍ଟର ବିକ୍ରମ ଜେନା ଓ ପୂର୍ବତନ ତହସିଲଦାରଙ୍କ ସମ୍ପୃକ୍ତି ନେଇ ଅଦ୍ୟାବଧି ପ୍ରମାଣ ମିଳି ପାରିନାହିଁ। ଖଣି କାରବାର ଅଭିଯୋଗରେ ଚିତ୍ତରଞ୍ଜନ ଗିରଫ ହେବା ପରେ ଏବେ ସରକାରୀ କର୍ମଚାରୀମାନଙ୍କ ମଧ୍ୟରେ ଛନକା ପଶି ଯାଇଛି। ଏହା ପୂର୍ବରୁ ଏସଟିଏଫ ଖୋର୍ଧା ଜିଲ୍ଲା ଯୋଜନା ବୋର୍ଡ କିରାଣୀ ଜୟଦେବ ସାହୁଙ୍କୁ ଗିରଫ କରିଥିଲା।
ସୂଚନା ମୁତାବକ, ଚିତ୍ତରଞ୍ଜନ ହୋମ୍ଗାର୍ଡ ଡ୍ରାଇଭର ଭାବରେ ଥାନାରେ କାମ କରୁଥିଲେ। ଦୀର୍ଘ ବର୍ଷ ଧରି ଗୋଟିଏ ଥାନାରେ ଥିଲେ। ଥାନାରେ ସେ କେବଳ ଡ୍ରାଇଭର ନୁହେଁ ବରଂ ଦଲାଲ ଭାବରେ କାମ କରୁଥିଲେ। ଖଣି ମାଫିଆଙ୍କୁ ପୁଲିସର ଗତିବିଧି ଉପରେ ସୂଚନା ଦେବା ସହ ଖଣି ମାଫିଆ କିମ୍ବା ଗୁଣ୍ଡା ବନ୍ଧା ହେଲେ ସେମାନଙ୍କୁ ଛାଡ଼ିବା ପାଇଁ ପୁଲିସ ଅଧିକାରୀ ଓ ମାଫିଆଙ୍କ ମଧ୍ୟରେ ଦଲାଲି କରୁଥିଲେ। ଚାହିଦା ମୁତାବକ ଟଙ୍କା ଦେବା ପାଇଁ ମାଫିଆ ରାଜି ହେବା ପରେ ଅଭିଯୁକ୍ତକୁ ଛାଡ଼ି ଦିଆ ଯାଉଥିଲା। ପ୍ରମାଣ ମିଳି ନ ଥିବାରୁ ଛାଡ଼ି ଦିଆଗଲା ବୋଲି ଥାନା ସଫେଇ ଦେଉଥିଲା। ତେବେ କେବଳ ଦଲାଲି ନୁହେଁ, ବରଂ ଖଣି ମାଫିଆଙ୍କ ସହ ସମ୍ପର୍କରେ ରହି ଚିତ୍ତରଞ୍ଜନ ମାଫିଆଙ୍କଠାରୁ ମାସିକ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିବା ନେଇ ପ୍ରମାଣ ମିଳିଥିବା ଜଣାପଡ଼ିଛି।