ଭୁବନେଶ୍ୱର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ଅଧୀନରେ ଥିବା ବେସିକ୍‌ ସାଇନ୍ସ କଲେଜରେ ଖୋଲିବ ନୂଆ ପାଠ୍ୟକ୍ରମ। ଆସନ୍ତା ଶିକ୍ଷାବର୍ଷରୁ ଛାତ୍ରଛାତ୍ରୀଙ୍କୁ କ୍ୱାଣ୍ଟମ ଫିଜିକ୍ସ, ବାୟୁମଣ୍ଡଳୀୟ ପଦାର୍ଥବିଜ୍ଞାନ ଏବଂ ନାନୋ ଟେକ୍ନାଲୋଜି ବିଷୟରେ ଶିକ୍ଷା ଦିଆଯିବ। ଏନେଇ ଉଚ୍ଚଶିକ୍ଷା ବିଭାଗକୁ ପ୍ରସ୍ତାବ ଦିଆଯିବ। ଛାତ୍ର ଓ ଛାତ୍ରୀଙ୍କ ଲାଗି ଗୋଟିଏ ଲେଖାଏ ହଷ୍ଟେଲ ନିର୍ମାଣ ହେବ। ଏଥିସହ ଉଚ୍ଚଶିକ୍ଷା ବିଭାଗ ସଚିବଙ୍କ ସହ ବୈଠକ କରି କଲେଜରେ ଥିବା ବିଭିନ୍ନ ସମସ୍ୟାର ସମାଧାନ କରାଯିବ ବୋଲି ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି। ବେସିକ୍‌ ସାଇନ୍ସ କଲେଜକୁ ନାକ୍‌ ପକ୍ଷରୁ ‘ବି++’ ଗ୍ରେଡ୍‌ ମିଳିବା ପରେ ଆଜି ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ କୁଳପତି ଏହା କହିଛନ୍ତି।

Advertisment

କଲେଜ ଅଧ୍ୟକ୍ଷ ଡ. ବିକାଶ ଚନ୍ଦ୍ର ପଣ୍ଡା ଉତ୍ସବରେ ଅଧ୍ୟକ୍ଷତା କରି କହିଲେ, ଏଭଳି ସଫଳତାର ଶ୍ରେୟ ସମସ୍ତଙ୍କର। ଛାତ୍ରଛାତ୍ରୀଙ୍କ କଠିନ ପରିଶ୍ରମ ସାଙ୍ଗକୁ ଅଧ୍ୟାପକ, ଅଧ୍ୟାପିକାଙ୍କ ନିଷ୍ଠାପର ଉଦ୍ୟମ ଲାଗି କଲେଜ ଆଗକୁ ବଢ଼ିଛି। କ୍ୟାମ୍ପସର ଉନ୍ନତିକରଣ ସହ ପିଲାମାନେ କିଭଳି ଗୁଣାତ୍ମକ ଶିକ୍ଷା ପାଇବେ ସେଥିପ୍ରତି ଦୃଷ୍ଟି ଦିଆଯିବ। କୁଳପତିଙ୍କ ଆର୍ଶୀବାଦ ସବୁ ସମୟରେ କଲେଜ ଉପରେ ରହିଥିବାରୁ ଭିତ୍ତିଭୂମିର ବିକାଶ ହେଉଛି। ଆସନ୍ତା ନାକ୍‌ ଟିମ୍‌ ଗସ୍ତ ସମୟରେ କିଭଳି ‘ଏ+’ ଗ୍ରେଡ୍‌ ମିଳିବ ସେଥିପ୍ରତି ଏବେଠାରୁ ଦୃଷ୍ଟି ଦିଆଯିବ ବୋଲି ସେ କହିଛନ୍ତି। କଲେଜକୁ ସଫଳତା ମିଳିବା ପରେ ଆଜି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳିଯାଇଥିଲା। କେକ୍‌ କାଟି ମିଠା ଖାଇ ଖୁସି ବାଣ୍ଟିଥିଲେ।