ଭୁବନେଶ୍ବର: ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ (ବିଆଇପିଏଫ୍) ପକ୍ଷରୁ ଫିକି ଓଡ଼ିଶା ସହଭାଗିତାରେ ‘ଗ୍ରାମୀଣ ଯୁବବର୍ଗଙ୍କ ଆକାଂକ୍ଷାକୁ ହାସଲ କରିବା - ଆହ୍ୱାନ ଓ ଉପାୟ’ ଶୀର୍ଷକ ଏକ ଆଲୋଚନାଚକ୍ର ଆଜି ହୋଟେଲ କ୍ରାଉନ୍ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନାଚକ୍ର ବିଆଇପିଏଫ୍ ପ୍ରମୁଖ ବିଚାର ମଞ୍ଚ ‘ଆଇଡିଏଟ୍’ ଅଧୀନରେ ସଂକଳିତ ହୋଇଛି। ନୂଆଦିଲ୍ଲୀସ୍ଥିତ ସେଣ୍ଟର୍ ଫର୍ ପଲିସି ରିସର୍ଚର ଅଧ୍ୟକ୍ଷ ୟାମିନି ଆୟର୍ ଆଲୋଚନାଚକ୍ରରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଅନ୍ୟ ବକ୍ତାମାନଙ୍କ ମଧ୍ୟରେ ରିଲାଏନ୍ସ୍ ଇଣ୍ଡଷ୍ଟ୍ରିଜ୍ ଗ୍ରୁପ୍ ପ୍ରେସିଡେଣ୍ଟ୍ (ଏଚ୍ଆର୍) ବିଜୟ ସାହୁ, ବେଙ୍ଗାଲୁରୁସ୍ଥିତ ଟିମ୍ଲିଜ୍ ସର୍ଭିସେସ୍ର ବରିଷ୍ଠ ଉପାଧ୍ୟକ୍ଷା ନୀତି ଶର୍ମା, ଜାଭିଅର୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜ୍ମେଣ୍ଟ୍ର ରିସର୍ଚ ପ୍ରଫେସର ଫକୀର ମୋହନ ସାହୁ, ଇଣ୍ଟର୍ନ୍ୟାସନାଲ୍ ପବ୍ଲିକ୍ ସ୍କୁଲ୍ ଫର ରୁରାଲ୍ ଇନୋଭେସନ୍ର ପ୍ରତିଷ୍ଠାତା ଅନୀଲ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଏହି ଆଲୋଚନାଚକ୍ରରେ ସଭାପତିତ୍ୱ କରିଥିଲେ ନୂଆଦିଲ୍ଲୀସ୍ଥିତ ବିଜିନେସ୍ ଏଡିଟର ଫାତିମା ମହଦି କରନ୍।
ବିଆଇପିଏଫ୍ର ସିଇଓ ଶୈଫାଳିକା ପଣ୍ଡା ଗ୍ରାମୀଣ ଯୁବଗୋଷ୍ଠୀଙ୍କର ଆକାଂକ୍ଷାକୁ ବୁଝିବାର ମହତ୍ୱକୁ ଗୁରୁତ୍ବ ଦେଇ କହିଲେ, ନିଜ ଲୋକସମ୍ବଳର ଦକ୍ଷତାକୁ ସଦୁପଯୋଗ କରିବାର ସଦ୍ଦିଚ୍ଛା ହିଁ ଭାରତର ଭବିଷ୍ୟତ ନିର୍ଦ୍ଧାରଣ କରିବ। ଏହି ଦକ୍ଷତା ହାସଲ କରିବା ପାଇଁ ଏକ ପରିବେଶ ସୃଷ୍ଟି କରିବାକୁ ସାମୂହିକ ପଦକ୍ଷେପର ଆବଶ୍ୟକତା ରହିଛି। ଯାହାକି କୌଶଳ ଶିକ୍ଷା, କୌଶଳର ବିକାଶ ଏବଂ ନୂତନ ନିଯୁକ୍ତି ସୃଷ୍ଟିର ମହାନ ଚକ୍ରକୁ ପ୍ରତିପାଦନ କରିବ।