ଭୁବନେଶ୍ୱର: ମହଙ୍ଗା ଭତ୍ତା ୧ ହଜାରରୁ ୯ ହଜାର ଟଙ୍କାକୁ ବୃଦ୍ଧି କରିବାକୁ ଦାବି କରି ଆଜି ଅଲ୍ ଓଡ଼ିଶା ଇପିଏଫ୍ ପେନ୍ସନର୍ସ୍ ଆସୋସିଏସନ୍ ପକ୍ଷରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କୁ ରାଜଭବନରେ ସ୍ମାରକପତ୍ର ଦିଆଯାଇଛି। ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଦିଆଯାଇଛି। ସାରା ଦେଶରେ ଥିବା ପ୍ରାୟ ୭୫ ଲକ୍ଷ ଇପିଏଫ୍ ପେନ୍ସନଭୋଗୀମାନଙ୍କୁ ମାସିକ ୯ ହଜାର ଟଙ୍କା ମିଳୁ ବୋଲି ଦାବି କରାଯାଇଛି। ସମ୍ପ୍ରତି ଦରଦାମ ବୃଦ୍ଧି ପାଉଥିବା ବେଳେ ମିଳୁଥିବା ମାସିକ ଏକ ହଜାର ଟଙ୍କାର ପେନ୍ସନ ସେମାନଙ୍କ ଜୀବନଧାରଣର ମାନକୁ ପ୍ରଭାବିତ କରୁଛି ବୋଲି ସେମାନେ କହିଛନ୍ତି।
ସପ୍ତମ ବେତନ କମିସନ ସୁପାରିଶ ଆଧାରରେ କେନ୍ଦ୍ର ସରକାର ସେମାନଙ୍କ ପେନ୍ସନଭୋଗୀଙ୍କୁ ମାସିକ ସର୍ବନିମ୍ନ ୯୦୦୦ ଟଙ୍କା ପେନ୍ସନ ଦେଉଛନ୍ତି। ଏଥିସହିତ ମହଙ୍ଗା ଭତ୍ତା ବି ମିଳୁଛି। କିନ୍ତୁ ଇପିଏଫ୍ ପେନ୍ସନଭୋଗୀମାନଙ୍କୁ କେନ୍ଦ୍ର ସରକାର ୨୦୧୪ ସେପ୍ଟେମ୍ବରରୁ ବିନା ମହଙ୍ଗା ଭତ୍ତାରେ ମାତ୍ର ୧୦୦୦ ଟଙ୍କା ପ୍ରଦାନ କରୁଛନ୍ତି। ଫଳରେ ଏହି ବରିଷ୍ଠ ନାଗରିକମାନେ ପରିଣତ ବୟସରେ ବଡ଼ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ଆଜି ସଭାପତି ବିଜୟ କୁମାର ଜେନା, ସାଧାରଣ ସମ୍ପାଦକ ଭାଗ୍ୟଧର ବ୍ରହ୍ମା, ପ୍ରଫୁଲ୍ଲ ଦାସ, ସରୋଜକାନ୍ତ ମଲ୍ଲିକ, ଗୀତାଞ୍ଜଳି ପାତ୍ର, ବିକ୍ରମ ଛୋଟରାୟ, ରାଜକିଶୋର ସ୍ୱାଇଁ, ବିନୋଦ ବେହେରା, ଅଲେଖ ରାଉତ, ନିହାର ପଟ୍ଟନାୟକ, କଣ୍ଡୁରି ଚରଣ ସୁବୁଦ୍ଧି, ପ୍ରକାଶ ପଟ୍ଟନାୟକ, ବନମାଳୀ ବେହେରା, ବିମ୍ବାଧର ସାହୁ ଓ ଧୀରେନ୍ଦ୍ର ବେହେରା ପ୍ରମୁଖ ରାଜ୍ୟପାଳଙ୍କୁ ଭେଟିଥିଲେ।