ବାଲିଅନ୍ତା : ବାଳକାଟି ଫାଣ୍ଡି ଅଧୀନ ସ୍ଥାନୀୟ ଯଶୁଆପୁର ଗ୍ରାମରେ ମହୁମାଛି ଆକ୍ରମଣରେ ୮ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଦାମୋଦର ମହାନ୍ତି(୭୦) ଏବଂ ଲିଙ୍ଗରାଜ ମହାପାତ୍ରଙ୍କ (୬୦) ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ଦାମୋଦରଙ୍କ ଝାଡ଼ାବାନ୍ତି ହୋଇଥିଲା। ଦୁହିଁଙ୍କୁ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଦାମୋଦରଙ୍କ ଅବସ୍ଥା ସେଠାରେ ସଂକଟାପନ୍ନ ହେବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏବେ ତାଙ୍କ ଅବସ୍ଥା ସଂକଟାପନ୍ନ ଥିବା ପରିବାରଲୋକ କହିଛନ୍ତି। ତେବେ ଲିଙ୍ଗରାଜଙ୍କୁ ଚିକିତ୍ସା ପରେ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଡିସ୍ଚାର୍ଜ କରିଦିଆଯାଇଥିବା ଜଣାଯାଇଛି।
ମିଳିଥିବା ସୂଚନା ଅନୁସାରେ, ଆଜି ଅପରାହ୍ଣ ପ୍ରାୟ ୨ଟାରେ ଚିତ୍ରେଶ୍ବର ମହାଦେବ ମନ୍ଦିର ନିକଟରେ ଗ୍ରାମର କିଛି ଲୋକ ବସି ଗପପପ କରୁଥିଲେ। ସେହି ସମୟରେ ନିକଟରେ ଥିବା ଏକ ଗଛରେ ବାଘୁଆ ମହୁମାଛି ଫେଣାକୁ ଗାଁର କିଛି ଦୁଷ୍ଟ ପିଲା ଟେକା ପଥର ଫୋଫାଡ଼ି ଦୌଡ଼ି ପଳାଇଥିଲେ। ତା’ପରେ ଆରମ୍ଭ ହୋଇଯାଇଥିଲା ମହୁମାଛିଙ୍କ ଆତଙ୍କ। ଶହଶହ ମହୁମାଛି ଫେଣାରୁ ବାହାରି ଆଖପାଖରେ ଚଳପ୍ରଚଳ କରୁଥିବା ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ବିନ୍ଧିଥିଲେ। ଜୀବନ ବିକଳରେ ଯିଏ ଯୁଆଡ଼େ ପାରିଲେ, ଦୌଡ଼ିଥିଲେ। ବୃଦ୍ଧ ଦାମୋଦର ଓ ଲିଙ୍ଗରାଜ ସ୍ଥାନୀୟ ଜଣେ ଲୋକଙ୍କ ଘର ଭିତରକୁ ପଶି ଯାଇଥିଲେ। ହେଲେ ମହୁମାଛି ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/bee-attack-istock.jpg)