ଭୁବନେଶ୍ବର: ରାଜ୍ୟର ରାଜଧାନୀ। କିନ୍ତୁ ସ୍ଥିତି ଗ୍ରାମାଞ୍ଚଳଠୁ ବଳିଗଲାଣି। ରାସ୍ତା ସାରା ଖାଲଖମା। ବର୍ଷାରେ ସ୍ଥିତି ଆହୁରି ଖରାପ। ଏବେ ପାର୍ବଣ ଋତୁ ଆରମ୍ଭ ହୋଇଛି। ରାତି ପାହିଲେ ଗଣେଶ ପୂଜା। ପରେ ଦଶହରା ଓ ଅନ୍ୟ ପର୍ବପର୍ବାଣୀ। ଏଥିପାଇଁ ରାଜଧାନୀରେ ଏବେଠୁ ଖଚାଖଚ ଭିଡ଼ ହେଲାଣି। କିନ୍ତୁ ପାର୍ବଣରେ ରାଜଧାନୀ ଦୁଃଖ ପାଲିଟିଛି ‘ରାସ୍ତା’ ଦୂରବସ୍ଥା। ପ୍ରତି ମୁହୂର୍ତ୍ତରେ ଦୁର୍ଘଟଣା ଭୟ ଘାରୁଛି। ସହରର ଟ୍ରାଫିକ୍ ଯନ୍ତ୍ରଣାଠାରୁ ଏହା ବଳିଗଲାଣି। ରାଜଧାନୀ ଭୁବନେଶ୍ବରର ଏ ବିକଳ ଚିତ୍ର ବୁଦ୍ଧିଜୀବୀଙ୍କୁ ବି ବ୍ୟଥିତ କରୁଛି। ଯେଉଁଠି ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ିଆ ଅଧିକାରୀମାନେ ରହୁଛନ୍ତି, ସବୁ ବିଭାଗର ମୁଖ୍ୟାଳୟ ରହିଛି, ସେଠି ରାସ୍ତାଘାଟର ଏଭଳି ସ୍ଥିତି ସରକାରୀ କଳର କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ଠିଆ କରିଛି। ଗୁରୁତ୍ବପୂର୍ଣ୍ଣ ହେଉଛି, ବର୍ଷାଦିନରେ ରାଜଧାନୀର ବିଭିନ୍ନ ରାସ୍ତା ନିର୍ମାଣ ଓ ମରାମତି ନାମରେ ଖୋଳି ଦିଆଯାଇଛି। ମାତ୍ର କାମ ଯେମିତି ଶୀଘ୍ର ହେବ, ସେଥିପାଇଁ କେହି ଆନ୍ତରିକତା ଦେଖାଉନାହାନ୍ତି।

Advertisment

ରାଜଧାନୀର ରାସ୍ତା କଥା ଉଭୟ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ଓ ପୂର୍ତ୍ତ ବିଭାଗ ବୁଝୁଛନ୍ତି। ମାସିକ ରାସ୍ତା ନିର୍ମାଣ ଓ ମରାମତିରେ ବିଏମ୍‌ସି ଓ ପୂର୍ତ୍ତ ବିଭାଗ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କେବଳ ବିଏମ୍‌ସି ରାସ୍ତା ନିର୍ମାଣରେ ମାସିକ ୫ରୁ ୬ କୋଟି ଟଙ୍କା ଖର୍ଚ୍ଚ କରୁଛି। ରାସ୍ତା ମରାମତି ଓ ପରିଚାଳନାରେ ପ୍ରାୟ ୨ କୋଟି ଟଙ୍କା ବାର୍ଷିକ ଖର୍ଚ୍ଚ କରୁଛି। ବର୍ଷକୁ ରାଜ୍ୟ ଅନୁଦାନ ପ୍ରାୟ ୩ କୋଟି ଟଙ୍କା ମିଳୁଛି। ବିଏମ୍‌ସି ରାସ୍ତା ନିର୍ମାଣରେ ମାର୍ଚ୍ଚରେ ୫କୋଟି ୯୯ଲକ୍ଷ ୬୨ହଜାର ୪୮୨ ଟଙ୍କା, ଏପ୍ରିଲରେ ୩କୋଟି ୩୮ଲକ୍ଷ ୫୪ହଜାର ୬୨୫ ଟଙ୍କା ଓ ମେ ମାସରେ ୩କୋଟି ୪ଲକ୍ଷ ୩୪ହଜାର ଟଙ୍କା ଖର୍ଚ୍ଚ କରିଛି। ରାସ୍ତା ନିର୍ମାଣରେ ବିଏମ୍‌ସିଠାରୁ ଅଧିକ ଖର୍ଚ୍ଚ କରୁଛି ପୂର୍ତ୍ତ ବିଭାଗ। କେବଳ ମରାମତି ଓ ପରିଚାଳନାରେ ମାସିକ ୨୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛି। ତଥାପି ରାଜଧାନୀ ରାସ୍ତାରେ ସୁଧାର ନ ଆସିବା ସନ୍ଦେହ ସୃଷ୍ଟି କରିଛି। ରାଜକୋଷରୁ ଯାଉଥିବା ଏହି ଅର୍ଥ ବାଟମାରଣା ହେଉଥିବା ଅଭିଯୋଗ ଉଠିଛି।
ଅପରପକ୍ଷେ ଯଦି ରାସ୍ତା କଥା ପୂର୍ତ୍ତ ବିଭାଗକୁ ପଚରାଯାଉଛି, ପୂର୍ତ୍ତ ବିଭାଗ ବିଏମ୍‌ସି ଉପରେ ଦୋଷ ଲଦି ଖସି ଯାଉଛି। ସେପଟେ ଯଦି ବିଏମ୍‌ସିକୁ ରାସ୍ତା କଥା ପଚରା ଯାଉଛି, ବିଏମ୍‌ସି ପୂର୍ତ୍ତ ବିଭାଗ ଉପରେ ଦୋଷ ଲଦି ଖସି ଯିବାକୁ ଚେଷ୍ଟା କରୁଛନ୍ତି। ଏଥିରୁ ବିଏମ୍‌ସି ଓ ପୂର୍ତ୍ତ ବିଭାଗ ମଧ୍ୟରେ ସମନ୍ବୟ ନଥିବା ଜଳଜଳ ଦିଶୁଛି। ଯାହାର ପରିଣାମ ସାଧାରଣ ଲୋକେ ଭୋଗୁଛନ୍ତି।
ରାଜଧାନୀର ରାସ୍ତା କଥା ଦେଖିଲେ, ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ବିଏମ୍‌ସି ଅଧୀନରେ ପ୍ରାୟ ୨ହଜାର କିଲୋମିଟର ରାସ୍ତା ଓ ପୂର୍ତ୍ତ ବିଭାଗ ଅଧୀନରେ ପ୍ରାୟ ୯୬୦ କିଲୋମିଟର ରାସ୍ତା ରହିଛି। ରାଜଧାନୀର ସାହି ଗଳିକନ୍ଦି ରାସ୍ତା ବିଏମ୍‌ସିର ଓ ପ୍ରମୁଖ ରାସ୍ତା ପୂର୍ତ୍ତ ବିଭାଗର। ଲିଙ୍ଗିପୁରରୁ ରସୁଲଗଡ଼, ରସୁଲଗଡ଼ରୁ ଝାରପଡ଼ା, କେଶୁରା ଆଦି ପ୍ରମୁଖ ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ ରହିଛି। କିନ୍ତୁ ସବୁଠି ଦୟନୀୟ ସ୍ଥିତି। ସବୁ ରାସ୍ତାରେ ଫୁଟେ ଦୁଇଫୁଟର ଖାଲଖମା।

ବିଏମ୍‌ସି ଅଧୀନ ରାସ୍ତା ମରାମତି ଓ ପରିଚାଳନା କଥା ବୁଝିବାକୁ ସିଟି ଇଂଜିନିୟର ମୁଖ୍ୟ ଥିବା ବେଳେ ସହଯୋଗ ପାଇଁ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଅଛନ୍ତି। ପୂର୍ତ୍ତ ବିଭାଗ ଅଧୀନ ରାସ୍ତାର ମରାମତି ଓ ପରିଚାଳନା କଥା ବୁଝିବାକୁ ଜଣେ ସହକାରୀ ମୁଖ୍ୟଯନ୍ତ୍ରୀ ରହିଛନ୍ତି। ତାଙ୍କ ଅଧୀନରେ ଭୁବନେଶ୍ବରରେ ୫ଟି ପୂର୍ତ୍ତ ବିଭାଜନ କାର୍ଯ୍ୟ କରୁଛି। ସବୁଠି ଜଣେ ଅଧୀକ୍ଷଣ ଯନ୍ତ୍ରୀ, ବହୁ ସହକାରୀ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ରହିଛନ୍ତି। ତଥାପି ରାଜଧାନୀର ସବୁ ରାସ୍ତାରେ ଖାଲଖମା ରହିବା ଦୁର୍ଭାଗ୍ୟଜନକ ବୋଲି ମତପ୍ରକାଶ ପାଇଛି। ବିଏମ୍‌ସି ସିଟି ଇଂଜିନିୟର ଇଂ. ବିଳାସ କୁମାର ବେହେରା କହିଛନ୍ତି, ଆମ ଅଧୀନରେ ସାହିଗଳି ରାସ୍ତା ରହିଛି। ଆମେ ଆବଶ୍ୟକତା ଅନୁଯାୟୀ ମରାମତି କରୁଛୁ। ପ୍ରମୁଖ ରାସ୍ତା ସବୁ ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ପୂର୍ତ୍ତ ବିଭାଗ ଏହି ରାସ୍ତାର ମରାମତି ଓ ପରିଚାଳନା ଖର୍ଚ୍ଚ ବହନ କରେ। କେବଳ କୌଣସି ରାସ୍ତା ଖରାପ ଥିବା ନଜରକୁ ଆସିଲେ, ଆମେ ପୂର୍ତ୍ତ ବିଭାଗକୁ ଜଣାଉ। ପୂର୍ତ୍ତ ରାସ୍ତା ସହିତ ଆମର କୌଣସି ସଂପୃକ୍ତି ନାହିଁ। କିନ୍ତୁ ସବୁ ସାହିଗଳି ରାସ୍ତା ଅବସ୍ଥା ଖରାପ ଥିବା ସମ୍ପର୍କରେ ଶ୍ରୀ ବେହେରା ଚୁପ୍‌ ରହିଛନ୍ତି।