ଚନ୍ଦ୍ରଶେଖରପୁର,: ସରକାରଙ୍କ ପକ୍ଷରୁ ଲକ୍ଡାଉନ୍କୁ ସାମାନ୍ୟ କୋହଳ କରାଯିବା ପରେ ଏବେ ରାଜରାସ୍ତାରେ ଦେଖାଯାଉଛି ମାଳମାଳ ଗାଡ଼ି ମଟର। ସମସ୍ତ ଗାଡ଼ି ଚାଳକଙ୍କ ନିକଟରେ ରହିଛି କୌଣସି ନା କୌଣସି ଥାନାରୁ ଏକ ପାସ୍। ଯାହାକୁ ଗାଡ଼ି ଆଗରେ ଲଗାଯାଇଛି। ଅନ୍ୟପକ୍ଷରେ ଅନେକ ଲୋକ ପୁଲିସ୍କୁ ନିଜ କାର୍ଯ୍ୟାଳୟ ପରିଚୟପତ୍ର ଦେଖାଇ ଚାଲିଯାଉଛନ୍ତି। ମାତ୍ର କୌଣସି କାମ ନ ଥାଇ ଲୋକମାନେ ଗାଡ଼ିଧରି ରାଜରାସ୍ତାକୁ ଆସୁଥିବା ବେଳେ ପୁଲିସ୍ ଚେକିଂରେ ପଡ଼ି ତଣ୍ଡ ଗଣୁଛନ୍ତି।
ଆଜି ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଚନ୍ଦ୍ରଶେଖରପୁର ପଟିଆ ବିଗ୍ ବଜାର ଛକରେ। ସକାଳ ୯ଟାରୁ ୧୦ଟା ମଧ୍ୟରେ ଉକ୍ତ ରାସ୍ତାରେ ଟ୍ରାଫିକ ଜାମ ସମସ୍ୟା ଦେଖାଯାଇଥିଲା। ଲୋକମାନେ ଗାଡ଼ି ସହ ମାଳ ମାଳ ହୋଇ ଚେକିଂ ପୋଷ୍ଟ ନିକଟରେ ଜମାହୋଇ ଯାଇଥିଲେ। ସେଠାରେ ଉପସ୍ଥିତ ଟ୍ରାଫିକ୍ ପୁଲିସ୍ ଗୋଟି ଗୋଟି କରି ଗାଡ଼ି ଚେକିଂ କରି ଛାଡ଼ିବା ପାଇଁ ନାକେଦମ୍ ହୋଇଯାଇଥିଲା। ଘଟଣାସ୍ଥଳରେ ଜୋନ-୬ ଏସିପି ପ୍ରକାଶ ଚନ୍ଦ୍ର ପାଲ୍ ଉପସ୍ଥିତ ରହି ଅନେକ ଲୋକଙ୍କୁ ବିନା କାରଣରେ କାହିଁକି ଘରୁ ବାହାରୁଛନ୍ତି ବୋଲି ବୁଝାଉ ଥିବା ଦେଖାଯାଇଥିଲା। ଦୟାକରି ପଳାନ୍ତୁ, ନଚେତ ତଣ୍ଡ ଗଣିବେ ବୋଲି ତାଗିଦ୍ ମଧ୍ୟ କରିଥିଲେ। ମାତ୍ର ସମସ୍ତେ ନଛୋଡବନ୍ଧା ଥିଲେ। କୌଣସି କାର୍ଯ୍ୟନେଇ ସେମାନେ ଆଗକୁ ଯିବେ ବୋଲି ଦର୍ଶାଇ ସେଠାରୁ ଖସି ଯିବା ପାଇଁ ଚେଷ୍ଟା କରିଥିଲେ। ସେମାନଙ୍କ ମଧ୍ୟରୁ କିଛି ମଧ୍ୟ ଧରାପଡ଼ି ତଣ୍ଡ ଗଣିଥିଲେ। ଏପରି ସମୟରେ ପ୍ରକୃତରେ କିଏ ସତରେ କେଉଁ ଜରୁରୀ କାମରେ ଯାଉଛି ନା ନାହିଁ ତାହା ଜାଣିବା କଷ୍ଟକର ହୋଇପଡ଼ିଥିଲା। ମାତ୍ର ବିଭିନ୍ନ ଗାଡ଼ିକୁ ପାସ୍ ପ୍ରଦାନ କରିଥିବା ପୁଲିସ୍ ଏବେ ହରଡ଼ଘଣାରେ ପଡ଼ି ଯାଇଛି। ଗାଡ଼ି ଚେକିଂ ପୁଲିସ୍ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଲାଣି। ପ୍ରତି ଗାଡ଼ିକୁ ଚେକିଂ କରି ଛାଡ଼ିବା ପରେ ମଧ୍ୟ କିଛି କାର୍ ପାସ୍ ଦିଆଯାଇଥିବା ଗାଡ଼ିରେ ଅସାମାଜିକ କାର୍ଯ୍ୟ ଚାଲୁଛି ବୋଲି ସୂଚନା ମିଳୁଥିବାରୁ ଚନ୍ଦ୍ରଶେଖରପୁର ଓ ଇନ୍ଫୋସିଟି ଥାନା ପୁଲିସ୍ କିଟ୍ ଛକ, ପଟିଆ ଛକ, ଡ଼ମଣା ଛକ ଓ ନାଲକୋ ଛକରେ ଗାଡ଼ି ଚେକିଂ କଡ଼ାକଡ଼ି କରିଛି।