ଭୁବନେଶ୍ବର : କୋଭିଡ୍‌-୧୯ ମୁକାବିଲା କେବଳ ସାମାଜିକ ଦୂରତା ଯୋଗୁଁ ସମ୍ଭବ ହେବ। ଏହାକୁ ଆଧାର କରି ତାଲାବନ୍ଦ ପ୍ରକ୍ରିୟା ଜାରି ରହିଛି। ରାଜଧାନୀରେ କମିସନରେଟ୍‌ ପୁଲିସ ଏହାକୁ ନିଶ୍ଚିତ କରିବା ପାଇଁ ଅଣ୍ଟା ଭିଡ଼ିଛି। ହେଲେ ଅନେକ ଏହାକୁ ଗୁରୁତ୍ବର ସହ ନେଉ ନାହାନ୍ତି। ବିନା କାରଣରେ ପ୍ରତ୍ୟେକ ଦିନ ବାଇକ୍‌ ଧରି ଶହ ଶହ ଚାଳକ ବାହାରକୁ ବାହାରି ପଡ଼ୁଛନ୍ତି। ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୁଲିସ ଯୋଜନା କରିଛି। ଆଜି କେବଳ ଗୋଟିଏ ଦିନରେ ଭୁବନେଶ୍ବରର ବିଭିନ୍ନ ଥାନା ଅଞ୍ଚଳରେ ୪ଶହରୁ ଊର୍ଦ୍ଧ୍ବ ବାଇକ୍‌ ଜବତ କରାଯାଇଛି। ଜଟଣୀ ଥାନା ଅଞ୍ଚଳରେ ସର୍ବାଧିକ ବାଇକ୍‌ ଜବତ ହୋଇଥିବା ବେଳେ ଚନ୍ଦ୍ରଶେଖରପୁର ଥାନା ବାଇକ୍‌ ଜବତ କରିବାରେ ଦୁଇ ନମ୍ବରରେ ରହିଛି। ପୂର୍ବରୁ ସଂଶୋଧିତ ମୋଟର ଯାନ ଆଇନ ବଳରେ ଜବତ ହେଉଥିବା ଗାଡ଼ି ଜରିମାନା କରାଯାଇ ଛାଡ଼ି ଦିଆଯାଉଥିବା ବେଳେ ଏହି ତାଲା ବନ୍ଦ ସମୟରେ ଗାଡ଼ିଗୁଡ଼ିକ ମହାମାରୀ ଆଇନ ବଳରେ ଜବତ ହେଉଛି। ଏଣୁ ଜରିମାନା ବଳରେ ଛଡ଼ା ଯାଇ ପାରିବ ନାହିଁ। ଗାଡ଼ିଗୁଡ଼ିକ କୋର୍ଟ ଚାଲାଣ ହେବା ସହ କୋର୍ଟଙ୍କ ରାୟ ପରେ ଭାଗ୍ୟ ନିର୍ଦ୍ଧାରଣ ହେବ। ଆଗକୁ ଏହି କାର୍ଯ୍ୟାନୁଷ୍ଠାନ ଜୋରଦାର ହେବ ବୋଲି କମିସନରେଟ୍‌ ପୁଲିସ ପକ୍ଷରୁ କୁହାଯାଇଛି। ବିନା କାରଣରେ ବାହାରକୁ ନବାହାରି ଏହି କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ପାଇଁ ସାଧାରଣ ଲୋକଙ୍କୁ ପୁଲିସ ନିବେଦନ କରିଛି।

Advertisment