ଭୁବନେଶ୍ବର: ରାଜ୍ୟରେ ତୃଣମୂଳସ୍ତରରେ ଏଚ୍ଆଇଭି ରୋଗୀଙ୍କ ପାଇଁ ଆଉ ୪ ନୂଆ ଟାର୍ଗେଟ୍ ଇଣ୍ଟରଭେନସନ୍ (ଟିଆଇ) କାର୍ଯ୍ୟ କରିବେ। ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ବା ଓସାକ୍ସ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ନବରଙ୍ଗପୁର, ସମ୍ବଲପୁର, ପୁରୀ ଓ ଖୋର୍ଧା ଜିଲ୍ଲାରେ ଏହି ଟିଆଇଙ୍କୁ ସାମିଲ କରାଯିବ। ଏହାସହ ଓସାକ୍ସ ପକ୍ଷରୁ ଚାଲୁଥିବା ବିଭିନ୍ନ କାର୍ଯ୍ୟକ୍ରମର ତଦାରଖ ପାଇଁ ନୋଡାଲ ଅଧିକାରୀଙ୍କୁ ଚୟନ କରାଯିବ ଓ ସେମାନେ ସଂପୃକ୍ତ ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମର ତଦାରଖ କରିବେ ବୋଲି ଜଣାପଡ଼ିଛି। ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତିର ବାର୍ଷିକ ଆକ୍ସନ୍ ପ୍ଲାନ୍ ବୈଠକ ପ୍ରକଳ୍ପ ନିର୍ଦେଶକ ଗୁହା ପୁନମ ତାପସ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓସାକ୍ସରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ରକ୍ତଭଣ୍ଡାରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ସ୍ବତନ୍ତ୍ର ଭାବେ ତାଲିମ ପ୍ରଦାନ କରାଯିବ। ନିୟମିତ ଭାବେ ଏଆରଟି ସେଣ୍ଟର ଗୁଡ଼ିକର ସମୀକ୍ଷା କରାଯିବ। ସେହିପରି ଓସାକ୍ସ ଅଧୀନରେ ପୁରୀ ଓ କଟକରେ ଚାଲୁଥିବା ନିଶା ନିବାରଣ କେନ୍ଦ୍ରଗୁଡ଼ିକୁ ରାଜ୍ୟ ସରକାରଙ୍କ ଦ୍ବାରା ନିଯୁକ୍ତ ହୋଇଥିବା ଡାକ୍ତର ପରିଚାଳନା କରିବେ। ଯେଉଁ ବ୍ୟକ୍ତିମାନେ ଏଚ୍ଆଇଭିରେ ଆକ୍ରାନ୍ତ ସେମାନେ ଯକ୍ଷ୍ମାରେ ଆକ୍ରାନ୍ତ ହେବାର ଯଥେଷ୍ଟ ଆଶଙ୍କା ରହିଛି। ଏହି ଦୁଇ ରୋଗରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ରେଫରାଲ ଓ ଲିଙ୍କେଜ୍ ବ୍ୟବସ୍ଥାକୁ ଅଧିକ ଗୁରୁତ୍ବ ଦିଆଯାଇଛି। ଜାତୀୟ ଏଡ୍ସ ନିୟନ୍ତ୍ରଣ ସମିତି ବା ନାକୋର ଗାଇଡଲାଇନ ଅନୁଯାୟୀ ରାଜ୍ୟରେ ଖାଲିଥିବା ସ୍ଥାନରେ ଟେକ୍ନିସିଆନ୍, କାଉନସିଲର ଓ ଷ୍ଟାଫ ନର୍ସଙ୍କୁ ମଧ୍ୟ ନିଯୁକ୍ତି ଦିଆଯିବ। ସେହିପରି ସଚେତନତା ବା ଆଇଇସି କାର୍ଯ୍ୟକ୍ରମକୁ ନିୟମିତ ବ୍ୟବଧାନରେ ତଦାରଖ କରାଯିବା ସହିତ ଅପହଞ୍ଚ ଅଞ୍ଚଳଗୁଡ଼ିକରୁ ଅଧିକ ଗୁରୁତ୍ବ ଦିଆଯିବ। କୈଶୋର ଶିକ୍ଷା କାର୍ଯ୍ୟକ୍ରମରେ ଘରୋଇ ଶିକ୍ଷାନୁଷ୍ଠାନମାନଙ୍କୁ ସାମିଲ କରାଯିବା ଉପରେ ମଧ୍ୟ ବୈଠକରେ ଗୁରୁତ୍ବ ଦିଆଯାଇଥିଲା। ଏହି ବୈଠକରେ ଓସାକ୍ସ ସମେତ ରାଜ୍ୟ ରକ୍ତ ସଂଚାରଣ ପରିଷଦର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ସାମିଲ ହେବେ ୪ ନୂଆ ଟିଆଇ: ଜିଲ୍ଲା ପରିଦର୍ଶନ କରିବେ, ନୋଡାଲ ଅଧିକାରୀ
ନିଯୁକ୍ତ ହେବେ ଟେକନିସିଆନ୍, ଷ୍ଟାଫ ନର୍ସ ଓ କାଉନସିଲର, କୈଶୋର ଶିକ୍ଷା କାର୍ଯ୍ୟକ୍ରମରେ ଘରୋଇ ସ୍କୁଲଙ୍କୁ ସାମିଲ କରାଯିବ