ଭୁବନେଶ୍ୱର: ଯେଉଁ ଲକ୍ଷ୍ୟ ନେଇ ବ୍ରିଟିସ୍‌ ଉପନିବେଶ ଶାସନରୁ ମୁକ୍ତିଲାଭ ହାସଲ କରିଥିଲେ ଓ ଯେଉଁ ମୂଲ୍ୟବୋଧ ଉପରେ ଦେଶର ସମ୍ବିଧାନ ଗଢ଼ି ଉଠିଥିଲା, ତାହା ଆଜି ବିପନ୍ନ। ସାମ୍ବିଧାନିକ ମୂଲ୍ୟବୋଧଗୁଡ଼ିକ ଯଦି ବ୍ୟକ୍ତି, ପରିବାର, ସଂଗଠନ ଓ ସମାଜ ମଧ୍ୟରେ ପ୍ରତିଫଳିତ ଓ କାର୍ଯ୍ୟକାରୀ ହୁଏ, ତାହା ସାମ୍ବିଧାନିକ ଅଧିକାରକୁ ସୁରକ୍ଷା ଦେବା ଦିଗରେ ଏକ ରକ୍ଷାକବଚ ଭାବେ କାମ କରିଥାଏ।

Advertisment

ଅଭିବ୍ୟକ୍ତିର ସ୍ୱାଧୀନତା, ବିବିଧତା ମଧ୍ୟରେ ଏକତା, ସହନଶୀଳତା, ସାମ୍ବିଧାନିକ ମୂଲ୍ୟବୋଧକୁ ମାନ୍ୟତା ପ୍ରଦାନ ଦିଗରେ ଉତ୍ତରଦାୟିତ୍ୱ ଏକ ଗଣତାନ୍ତ୍ରିକ ଓ ଜନମଙ୍ଗଳକାରୀ ରାଷ୍ଟ୍ରର ପ୍ରମୁଖ ଦାୟିତ୍ବ। କିନ୍ତୁ ରାଷ୍ଟ୍ର ସେଥିରୁ ଦ୍ରୁତଗତିରେ ଓହରି ଚାଲିଛି। ଯେତେବେଳେ ଯେଉଁ ସରକାର କ୍ଷମତାକୁ ଆସିଛନ୍ତି, ସେମାନେ ସେଥିପ୍ରତି ସେତିକି ଅବହେଳା ପ୍ରଦର୍ଶନ କରିବା ଦ୍ବାରା ଆଜି ସାମ୍ବିଧାନିକ ମୂଲ୍ୟବୋଧ ପ୍ରତି ସଂକଟ ଏକ ବିସ୍ଫୋରକ ପରିସ୍ଥିତିରେ ପରିଣତ ହୋଇଛି। ସ୍ଥାନୀୟ ଲୋହିଆ ଏକାଡେମିରେ ‘ସାମ୍ବିଧାନିକ ମୂଲ୍ୟବୋଧ ଓ ନାଗରିକ ସମାଜର ଭୂମିକା’ ଶୀର୍ଷକ ଆଲୋଚନାଚକ୍ର‌ରେ ଭାଗ ନେଇଥିବା ଅତିଥିମାନେ ଏଭଳି କହିଛନ୍ତି।
ଆଲୋଚନାଚକ୍ରର ଆବାହକ ମଣ୍ଡଳୀ ସଦସ୍ୟ ତଥା ମାନବାଧିକାର କର୍ମୀ ନରେନ୍ଦ୍ର ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି ଆଲୋଚନାଚକ୍ରର ଉଦ୍ଦେଶ୍ୟ ସଂପର୍କରେ ଅନ୍ୟତମ ଆବାହକ ଗଦାଧର ପ୍ରଧାନ ସୂଚନା ଦେଇଥିଲେ।

ମାନବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନଗୋ, ପରିବେଶବିତ୍‌ ପ୍ରଫୁଲ୍ଲ ସାମନ୍ତରା, ସାମ୍ବାଦିକ ସୁରେନ୍ଦ୍ର ପାତ୍ର, ସମଦୃଷ୍ଟିର ସଂପାଦକ ସୁଧୀର ପଟ୍ଟନାୟକ, ଅଭିଷେକ ଶ୍ରୀବାସ୍ତବ, ଅଖିଳ ଭାରତ ଛାତ୍ରସଂଘର ରାଜ୍ୟ ନେତ୍ରୀ ସଂଘମିତ୍ରା ଜେନା, ଡ. ଶ୍ରୀଚରଣ ବେହେରା, ଶ୍ରୀମନ୍ତ ମହାନ୍ତି, କିଷାନ ପଟ୍ଟନାୟକ, ଅର୍ଜୁନ ସାମନ୍ତରାୟ, ବିଜୟ ପ୍ରଧାନ, ଘାସିରାମ ପଣ୍ଡା, ମହମ୍ମଦ ସୁକୁର, ସସ୍ମିତା ଜେନା, ଅରୁଣ ଦିହୁଡି, ଗୋବିନ୍ଦ ବେହେରା, ଆଇନଜୀବୀ ରଶ୍ମିରଞ୍ଜନ ଜେନା, ଗାର୍ଗୀ ଶତପଥୀ ଓ ମାନସ ପଟ୍ଟନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବିଘ୍ନେଶ୍ୱର ସାହୁ ଧନ୍ୟବାଦ ଦେଇଥିଲେ।