ଭୁବନେଶ୍ବର: ଆଜି ଥିଲା ଅନ୍ତର୍ଜାତୀୟ ମହିଳା ଦିବସ। କେବଳ ଓଡ଼ିଶା କି ଭାରତ ନୁହେଁ ବିଶ୍ବବ୍ୟାପୀ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଦିନଟିଏ। ଦିନଭରି ମହିଳାଙ୍କ ପାଇଁ ସବୁଆଡ଼େ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଦିବସକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ‘ସମ୍ବାଦ’ ଓ କର କ୍ଲିନିକ୍‌ର ମିଳିତ ଉଦ୍ୟମରେ ଆଜି ଆୟୋଜିତ ହୋଇଥିଲା ୱାକାଥନ୍ ‘ରନ୍‌ଫରନାଇନ୍’। ଏସ୍‌ପ୍ଲାନେଡ୍‌ ମଲ୍‌ରୁ ଏହା ଆରମ୍ଭ ହୋଇ ବମିଖାଲ ଫ୍ଲାଏଓଭର ଦେଇ ପୁନର୍ବାର ଏସ୍‌ପ୍ଲାନେଡ୍‌ ମଲ ନିକଟରେ ପହଞ୍ଚିଥିଲା। ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ‘ସମ୍ବାଦ’ ସଂପାଦକ ତଥା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ, ‘ସମ୍ବାଦ’ ଗ୍ରୁପ୍‌ର ପରିଚାଳନା ନିର୍ଦେଶିକା ମୋନିକା ନୈୟର ପଟ୍ଟନାୟକ, ଅଭିନେତ୍ରୀ ଅର୍ଚିତା ସାହୁ ଓ ଅନ୍ୟମାନେ ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ୱାକାଥନ୍ ପାଇଁ ଆଜି ସକାଳୁ ଏସ୍‌ପ୍ଲାନେଡ୍‌ ମଲ୍‌ରେ ଯୁବପିଢ଼ିଙ୍କ ଭିଡ଼ ଜମିଥିଲା। ଯୁବକଙ୍କ ସହିତ ବହୁ ସଂଖ୍ୟାରେ ଯୁବତୀ ଏଥିରେ ଅଂଶଗ୍ରହଣ କରିଥିଲେ। ଠିକ୍ ୭ଟାରେ ମଲ୍‌ ପରିସରରୁ ୱାକାଥନ୍ ଆରମ୍ଭ ହୋଇଥିଲା। ଅଧଘଣ୍ଟା ପରେ ୱାକାଥନ୍‌ର ଅଂଶଗ୍ରହଣକାରୀ ପୁନର୍ବାର ଏସ୍‌ପ୍ଲାନେଡ୍‌ ନିକଟରେ ପହଞ୍ଚିଥିଲେ। ଯୁବକ/ଯୁବତୀଙ୍କୁ ଉତ୍ସାହିତ କରି ଶ୍ରୀ ପଣ୍ଡା କହିଲେ, ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଆୟୋଜିତ ହେଉଥିବା ୱାକାଥନ୍‌ ମହିଳାଙ୍କୁ ଅଧିକ ଉତ୍ସାହିତ କରିବ। ରାଜଧାନୀ ଭୁବନେଶ୍ବର ଏକ ଐତିହ୍ୟ ସହର। ଅଧିକରୁ ଅଧିକ ଲୋକଙ୍କୁ ସାମିଲ କରିବା ପାଇଁ ପଥୋତ୍ସବର ଆୟୋଜନ କରାଯାଉଛି। ତେବେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ବେଶ୍ ନିଆରା। ଅଲୋଡ଼ା ବ୍ୟକ୍ତିଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ହୋଇଥିବା ଉଦ୍ୟମ ପ୍ରଶଂସନୀୟ‌ ବୋଲି ସେ କହିଥିଲେ। ୟୁନିସେଫ୍‌ର ଓଡ଼ିଶା ଚାପ୍ଟରର ମୁଖ୍ୟ ମୋନିକା ଓ’ ନିଲସନ୍ କହିଲେ, କେବଳ ଓଡ଼ିଶା ନୁହେଁ ବିଶ୍ବର ଅନେକ ଦେଶରେ ଋତୁସ୍ରାବ ଏକ ସାମାଜିକ ବ୍ୟାଧି ସାଜିଛି। ଆଜିର ସମୟରେ ବି ଏହା ଏକ ଲଜ୍ଜାଜନକ ଘଟଣା। ଏଥିପାଇଁ ବ୍ୟାପକ ସଚେତନତାର ଆବଶ୍ୟକତା ରହିଛି। ୟୁନିସେଫ୍‌ ପକ୍ଷରୁ ବାଳିକା ଓ କିଶୋରୀମାନଙ୍କ ପାଇଁ ବହୁ କାର୍ଯ୍ୟକ୍ରମ କରାଯାଉଛି। ଅନ୍ତର୍ଜାତୀୟ ମହିଳା ଦିବସକୁ କେବଳ ଗୋଟିଏ ଦିନରେ ସୀମିତ ନ ରଖି ପ୍ରତ୍ୟେକ ଦିନ ଏହାକୁ ପାଳନ କରିବା ଉଚିତ୍ ବୋଲି ସେ କହିଥିଲେ। ‘ସମ୍ବାଦ’ ସଂପାଦକ ଶ୍ରୀ ପଟ୍ଟନାୟକ କହ‌ିଲେ, ପୃଥିବୀରେ ଏମିତି କୌଣସି ବ୍ୟକ୍ତି ନାହିଁ ଯିଏ ବିନା ମା’ରେ ପୃଥିବୀ ପୃଷ୍ଠକୁ ଆସିଛି। ‘ସମ୍ବାଦ’ ସବୁବେଳେ ଯୋଡ଼ିବାରେ ବିଶ୍ବାସ କରି ଆସିଛି ବୋଲି ସେ କହିଥିଲେ। ଅନସୂୟା ଦାସ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ। କର କ୍ଲିନିକ୍‌ର ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡା.ସୁଜାତା କର ଧନ୍ୟବାଦ ଦେଇଥିଲେ। ପରେ ମନୋରଂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Advertisment

ଋତୁସ୍ରାବ ହେଉଛି ଶରୀରର ଅନ୍ୟ ଏକ କାର୍ଯ୍ୟ
ଶରୀରର ଅନ୍ୟ ଅଙ୍ଗର କାର୍ଯ୍ୟ ଭଳି ଋତୁସ୍ରାବ ମଧ୍ୟ ଅନ୍ୟ ଏକ କାର୍ଯ୍ୟ। ମାତ୍ର ଏହାକୁ ସମାଜରେ ଭିନ୍ନ ଦୃଷ୍ଟିରେ ଦେଖାଯାଉଛି। ମାତ୍ର ‌ଆମ ଦେଶର ଅଧିକାଂଶ ମହିଳାଙ୍କ କ୍ଷେତ୍ରରେ ଏଥିପାଇଁ ସଚେତନତାର ଅଭାବ, ଦାରିଦ୍ର୍ୟ ଓ ପରିମଳର ଅଭାବ ଏହି ସମସ୍ୟାକୁ ଦ୍ବିଗୁଣିତ କରୁଛି। ସରକାର ଓ ବିଭିନ୍ନ ଏନ୍‌ଜିଓମାନଙ୍କ ପକ୍ଷରୁ ଏଥିପାଇଁ ଯଥେଷ୍ଟ ପଦକ୍ଷେପ ନିଆଯାଉଛି। ଋତୁସ୍ରାବ ସମୟରେ ଦେଖା ଯାଉଥିବା ସମସ୍ୟାକୁ ନେଇ ମହିଳାମାନେ ଆଲୋଚନା କରିବା ଆବଶ୍ୟକ। ଏକ ସମୟରେ ପୃଥିବୀର ୩୦ ପ୍ରତିଶତ ମହିଳାଙ୍କ ଋତୁସ୍ରାବ ହେଉଥିବା ବେଳେ ବଳକା ୭୦ ପ୍ରତିଶତ ମହିଳା ଏ ସଂପର୍କରେ ସଚେତନ ନୁହନ୍ତି। ମାତ୍ର ୧୨ ପ୍ରତିଶତ ମହିଳା ଋତୁସ୍ରାବ ସମୟରେ ପରିମଳ ଉପରେ ଗୁରୁତ୍ବ ଦେଇଥାନ୍ତି। ମାତ୍ର ଏହାକୁ ଗୁରୁତ୍ବ ନ ଦେଲେ ମହିଳାଙ୍କ କ୍ଷେତ୍ରରେ ବହୁ ସମସ୍ୟା ସୃଷ୍ଟି କରିଥାଏ। ଏପରିକି ସନ୍ତାନହୀନତା ଓ ଜରାୟୁ କର୍କଟ ଆଡ଼କୁ ମଧ୍ୟ ଟାଣି ନେଇଥାଏ। ଫଗ୍‌ସି ବା ଫେଡେରେସନ୍‌ ଅଫ୍ ଗାଇନୋକୋଲୋଜିଷ୍ଟ ଅଫ ଇଣ୍ଡିଆ ଅଧୀନରେ ୨୫ହଜାର ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ରହିଛନ୍ତି। ସଂଘରେ ଯେଉଁ ଡାକ୍ତର ରହିଛନ୍ତି ସେମାନେ ଅତିକମ୍‌ରେ ୧ ମିନିଟ୍‌ ରୋଗୀଙ୍କୁ ଋତୁସ୍ରାବ ସଂପର୍କରେ ସଚେତନ କରିବେ ବୋଲି ପ୍ରତିଶ୍ରୁତି ଦେଉଛି।
ସୁଜାତା କର, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ କର କ୍ଲିନିକ୍publive-image

ଗୋଟିଏ ଦିନ ନୁହେଁ ସବୁ ଦିନ ହେଉ ମହିଳା ଦିବସ
ଅନ୍ତର୍ଜାତୀୟ ମହିଳା ଦିବସକୁ କେବଳ ଗୋଟିଏ ଦିନରେ ସୀମିତ ନ ରଖି ସବୁଦିନେ ପାଳନ କରିବା ଉପରେ ଗୁରୁତ୍ବ ଦିଆଯିବା ଜରୁରୀ। ଯାହାଫଳରେ ନାରୀମାନଙ୍କୁ ସମ୍ମାନ ଦିଆଯାଇ ପାରିବ। ଆଜିର ସମୟରେ ମହିଳାମାନେ ପଛରେ ନ ରହି ପୁରୁଷମାନଙ୍କ ଭଳି ଆଗକୁ ବଢ଼ିବା ଉଚିତ୍ଅ
ଧୀର କୁମାର ସ୍ବାଇଁ ଷ୍ଟୋର ମ୍ୟାନେଜର, ବିଗ୍‌ ବଜାର

ଜୀବନ ମହିଳାଙ୍କଠାରୁ ହିଁ ଆରମ୍ଭ ହୋଇଥାଏ
ଅନ୍ତର୍ଜାତୀୟ ମହିଳା ଦିବସ ପ୍ରତ୍ୟେକ ଦିନ ଆସିଥାଏ ଓ ଯାଇଥାଏ। ମାତ୍ର ଏହି ଦିନ ମହିଳାଙ୍କୁ ସ୍ବୀକୃତି ଦେବା ଗୁରୁତ୍ବପୂର୍ଣ୍ଣ। କାରଣ ଜୀବନ ମହିଳାଙ୍କଠାର ହିଁ ଆରମ୍ଭ ହୋଇଥାଏ। ତେଣୁ ମହିଳାଙ୍କୁ ଅଧିକରୁ ଅଧିକ ସ୍ବୀକୃତି ଦେବା ଜରୁରୀ। ଆଜିର ସମୟରେ ଋତୁସ୍ରାବକୁ ନେଇ ଲୋକମାନେ ସଂକୋଚ କରିଥାନ୍ତି। ମାତ୍ର ଏହି ସଂପର୍କରେ ଆଲୋଚନା କରିବା ପାଇଁ ଏଠାରେ ଯୁବପିଢ଼ି ଏକାଠି ହେବା ନିଶ୍ଚିତ ସ୍ବାଗତଯୋଗ୍ୟ। ସମାଜରେ ଜଣେ ନାରୀ ସତେବେଳେ ସୁରକ୍ଷିତ ହୋଇପାରିବ ଯେତେବେଳେ ଲୋକମାନେ ନାରୀକୁ ଏକ ବସ୍ତୁଭାବେ ନୁହେଁ ଜନନୀ ବୋଲି ଭାବିବାକୁ ଆରମ୍ଭ କରିବେ। ଧୀରେ ଧୀରେ ଲୋକମାନଙ୍କ ମଧ୍ୟରେ ପରିବର୍ତନ ଆସୁଛି। ଲୋକମାନେ ପରସ୍ପରକୁ ସମ୍ମାନ ଦେବା ଆରମ୍ଭ କଲେ ଏହି ସମସ୍ୟାର ସମାଧାନ ହୋଇପାରିବ। ବିଶେଷକରି ପରିବାର ବା ମା’ଠାରୁ ଏହି ଶିକ୍ଷା ଆରମ୍ଭ ହେବା ଦରକାର। ମା’ ସଚେତନ ହେଲେ ପରିବର୍ତନ ଆସିପାରିବ।
ଶ୍ୟାମା ଝା, ମାର୍କେଟିଂ ମୁଖ୍ୟ, ଏସ୍‌ପ୍ଲାନେଡ୍‌ ୱାନ୍

ମହିଳାମାନେ ସୁସ୍ଥ ରହିଲେ ସମାଜ ସୁସ୍ଥ ରହିବ
ଘରଠାରୁ ଆରମ୍ଭ କରି ବାହାର ପର୍ଯ୍ୟନ୍ତ ସବୁଠି ମହିଳାଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ସମସ୍ତେ ଯତ୍ନବାନ ହେବା ଦରକାର। ସେମାନେ ସୁସ୍ଥ ରହିଲେ ସମାଜ ସୁସ୍ଥ ରହିପାରିବ। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ଏପରି କାର୍ଯ୍ୟକ୍ରମ ମହିଳାଙ୍କୁ ପ୍ରେରଣ ଯୋଗାଇବାରେ ସହାୟକ ହେବ।
ମୃତ୍ୟୁଞ୍ଜୟ ନାୟକ, ଏରିଆ ମ୍ୟାନେଜର, ବର୍ଗର କିଙ୍ଗ୍‌