ଭୁବନେଶ୍ୱର : ଛାତ୍ରଛାତ୍ରୀଙ୍କ ଫି ବୃଦ୍ଧିକୁ ନେଇ ୟୁନିଟ୍-୮ ଡିଏଭି ସ୍କୁଲ୍ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଗତକାଲି ଅଭିଭାବକ ସଂଘ ପକ୍ଷରୁ ସ୍କୁଲ୍ ସମ୍ମୁଖରେ ଏକ ଦସ୍ତଖତ ଅଭିଯାନ ହୋଇଛି। ଏହି ଅଭିଯାନରେ ସଂଘର କର୍ମକର୍ତ୍ତାଙ୍କ ସହ କିଛି ପିଟିସିସି ରିପ୍ରେଜେଣ୍ଟେଟିଭ୍ ଓ ପ୍ରାୟ ୬୦୦ ଅଭିଭାବକ ସାମିଲ ହୋଇଥିଲେ। ଏଥିସହ ଫି ବୃଦ୍ଧି ପ୍ରତିବାଦରେ ସ୍କୁଲ୍ ଫାଟକ ନିକଟରେ ବ୍ୟାନର ମଧ୍ୟ ଲଗାଯାଇଛି।
ସ୍କୁଲ୍ କର୍ତ୍ତୃପକ୍ଷ କିଛି ହାତଗଣତି ଅଭିଭାବକଙ୍କୁ ହାତବାରିସି କରି ଫି ବୃଦ୍ଧି ପ୍ରସ୍ତାବ ଦିଆଯାଇଛି ବୋଲି ଏକ ଲିଖିତ ଚିଠା ସ୍କୁଲ୍ ଦ୍ୱାରା ଗଠିତ ପିଟିସିସି ରିପ୍ରେଜେଣ୍ଟେଟିଭ୍ଙ୍କୁ ବିତରଣ କରାଯାଇଥିବା ଅଭିଯୋଗ ହୋଇଛି। ଗତ ୪ ବର୍ଷ ହେଲା ସ୍କୁଲ କର୍ତ୍ତୃପକ୍ଷ ବାର୍ଷିକ ୧୫% ଚକ୍ରବୃଦ୍ଧି ହାରରେ ସ୍କୁଲ୍ ଫି ବଢ଼ାଇ ଆସୁଥିବାରୁ ଅଭିଭାବକ ସଂଘ ଏହାର ପ୍ରତିବାଦ କରିଛି। ଡିଏଭି କର୍ତ୍ତୃପକ୍ଷ ଏପରି ଫି ବୃଦ୍ଧି କରୁଛନ୍ତି ଯେ କିଛି ଅଭିଭାବକଙ୍କ ପାଇଁ ୧୫% ଚକ୍ରବୃଦ୍ଧି ଥିବା ବେଳେ ଆଉ କିଛି ଅଭିଭାବକଙ୍କ ଲାଗି ଏହା ୨୦%ରୁ ଅଧିକ ରହୁଛି। ଆର୍ଥିକ ବର୍ଷ ୨୦୧୬-୧୭ ଆର୍ଥିକ ବର୍ଷକୁ ଅନୁଧ୍ୟାନ କଲେ ସ୍କୁଲ୍ କର୍ତ୍ତୃପକ୍ଷ ୨୦୧୫-୧୬ ତୁଳନାରେ ୨୧% ଅଧିକ ଫି ଆଦାୟ କରିଛନ୍ତି।
ଅନ୍ୟପକ୍ଷରେ ସରକାରଙ୍କଠାରୁ ପ୍ରାପ୍ତ ଖେଳ ପଡ଼ିଆରେ ଗଛ କାଟି ନୂତନ ଛାତ୍ରାବାସ ନିର୍ମାଣ ପାଇଁ ସ୍କୁଲ୍ କର୍ତ୍ତୃପକ୍ଷ ତତ୍ପରତା ପ୍ରକାଶ କରିଛନ୍ତି। ବିଭିନ୍ନ ଆଳରେ ଅର୍ଥ ଆଦାୟ କରାଯାଉଥିଲେ ମଧ୍ୟ ତାହାର ସଦ୍ବିନିଯୋଗ କରାଯାଉ ନ ଥିବା ସଂଘ ଅଭିଯୋଗ କରିଛି। ଅଭିଭାବକ ସଂଘ ଆହୁରି କହିଛି, ଏପରି ଚକ୍ରବୃଦ୍ଧି ହାରରେ ସ୍କୁଲ୍ ଫି ବୃଦ୍ଧି କରାଗଲେ, ଚଳିତବର୍ଷ ଏଲକେଜିରେ ନାମ ଲେଖାଉଥିବା ଜଣେ ଛାତ୍ର ଦ୍ୱାଦଶ ଶ୍ରେଣୀ ପାସ୍ କରିବା ପର୍ଯ୍ୟନ୍ତ ତାହାର ଅଭିଭାବକଙ୍କୁ ୧୬ ଲକ୍ଷ ଟଙ୍କା କେବଳ ସ୍କୁଲ୍ ଫି ବାବଦକୁ ଖର୍ଚ୍ଚ କରିବାକୁ ପଡ଼ିବ। ଏଭଳି ସ୍କୁଲଗୁଡ଼ିକର ମନମୁଖୀ କାର୍ଯ୍ୟ ରୋକିବାକୁ ରାଜ୍ୟ ସରକାର ହସ୍ତକ୍ଷେପ କରନ୍ତୁ ବୋଲି ଅଭିଭାବକ ସଂଘର ସମ୍ପାଦକ ବୈକୁଣ୍ଠ ଦାସ କହିଛନ୍ତି।