ବାଲିପାଟଣା: ଗତ ୩ ତାରିଖରେ ଖୋର୍ଧା ଜିଲ୍ଲାର ବାଲିପାଟଣା ବ୍ଲକରେ ପ୍ରଭୃତ କ୍ଷୟକ୍ଷତି କରିଥିବା ବାତ୍ୟା ‘ଫନି’ ୪ ଶିଶୁଙ୍କୁ ବାପଛେଉଣ୍ଡ କରିଦେଇଛି। ବାତ୍ୟା ସମୟରେ ନିଜ କୁକୁଡ଼ା ଫାର୍ମର ସ୍ଥିତି ଦେଖିବାକୁ ଯାଇଥିବା ୨ଜଣ ଯୁବକ ଫନି ମାଡ଼ରେ ପ୍ରାଣ ହରାଇଛନ୍ତି। ଯୁବକଦ୍ୱୟ ହେଲେ, ରାଜସ ପଞ୍ଚାୟତର ବାରହଳ ଗ୍ରାମର ସିରାଜଉଦ୍ଦିନ୍ ଖାଁ (୩୭) ଓ ତାଙ୍କ ଭଣଜା ମେହେରବାନ୍ ଖାଁ (୨୯)। ଏହି ଦୁଇଜଣଙ୍କ ମୃତ୍ୟୁ ପରେ ସେମାନଙ୍କ ପରିବାରର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି। ସରକାରଙ୍କ ପକ୍ଷରୁ ସେମାନଙ୍କ ପରିବାରକୁ ଏଯାବତ୍ କୌଣସି ପ୍ରକାର ସହାୟତା ମିଳିନଥିବା ବେଳେ ୪ ଛୁଆଙ୍କ କେମିତି ଭରଣପୋଷଣ କରିବେ, ସେଇ ଚିନ୍ତାରେ ଏବେ ମୃତ ଯୁବକଦ୍ୱୟଙ୍କ ପତ୍ନୀ ଘାରି ହେଉଛନ୍ତି। ସ୍ୱାମୀ ମୃତ୍ୟୁଠାରୁ ଏବେ ଏହି ଦୁଃଖ ତାଙ୍କୁ ବ୍ୟତିବ୍ୟସ୍ତ କରି ପକାଉଛି।
ସୂଚନା ଅନୁଯାୟୀ, ଗତ ୩ ତାରିଖ ବାତ୍ୟା ସମୟରେ ମାମୁଁ-ଭଣଜା ନିଜର ୪/୫ସହଯୋଗୀଙ୍କ ସହ କୁକୁଡ଼ା ଫାର୍ମର ସ୍ଥିତି ଦେଖିବାକୁ ଘରୁ ବାହାରି ଯାଇଥିଲେ। ସେମାନେ ବାଡ଼ିପଟ ଦେଇ କୁକୁଡ଼ା ଫାର୍ମର ସ୍ଥିତି ପରଖୁ ଥିବା ବେଳେ ପବନ ତାଙ୍କ କୁକୁଡ଼ା ଫାର୍ମ ଘର ଭାଙ୍ଗି ଦେଇଥିଲା। କାନ୍ଥ ତଳେ ଚାପି ହୋଇଯିବାରୁ ଘଟଣାସ୍ଥଳରେ ହିଁ ଉଭୟଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଖବର ପାଇ ପରିବାରଲୋକ ଓ ଅନ୍ୟ ଗ୍ରାମବାସୀମାନେ ମୃତକଙ୍କୁ ଉଦ୍ଧାର କରିଥିଲେ। ବାତ୍ୟା ପରଦିନ ସ୍ଥାନୀୟ ସରପଞ୍ଚ, ଆର୍ଆଇ, ଗ୍ରାମରକ୍ଷୀ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ଦୁହିଁଙ୍କୁ କବର ଦିଆଯାଇଥିଲା। କିନ୍ତୁ ବାତ୍ୟାକୁ ୧୫ଦିନ ବିତି ଯାଇଥିଲେ ହେଁ ଉଭୟଙ୍କ ପରିବାରକୁ କୌଣସି ପ୍ରକାର ସରକାରୀ ସହାୟତା ମିଳିନାହିଁ। ଏପରିକି ହରିଶ୍ଚନ୍ଦ୍ର ଯୋଜନାରେ ମଧ୍ୟ ସହାୟତା ମିଳିନଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି। ଉଭୟଙ୍କ ମୃତ୍ୟୁ ପରେ ସେମାନଙ୍କ ପରିବାର ଏବେ ଏକ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ନିଜର ଏକମାତ୍ର ରୋଜଗାରିଆ ସଦସ୍ୟଙ୍କୁ ହରାଇଥିବାରୁ ଏବେ ପରିବାର କେମିତି ଚଳିବ, ସେଇ ଚିନ୍ତା ମୃତକଙ୍କ ପତ୍ନୀଙ୍କୁ ବ୍ୟତିବ୍ୟସ୍ତ କରି ପକାଉଛି। ସିରାଜଉଦ୍ଦିନ୍ଙ୍କ ପତ୍ନୀ ଫରାନା ଖାତୁନ୍ (୩୨) ସ୍ୱାମୀଙ୍କ ମୃତ୍ୟୁ ପରେ ନିଜର ୮ ବର୍ଷର ପୁଅ ଫରିଦ୍ଦୁନ୍ଙ୍କୁ ଧରି ବାପଘର ମଝିହରା ବସ୍ତିରେ ରହୁଛନ୍ତି। ତେବେ କିଛି ଦିନ ପାଇଁ ରହିବା ପାଇଁ ସିନା ମୁଣ୍ଡ ଉପରେ ଛପର ମିଳିଗଲା, କିନ୍ତୁ ନିଜର ମାସକୁ ୫୦୦୦ ଟଙ୍କାର ଔଷଧ ଖର୍ଚ୍ଚ, ପୁଅର ପଢ଼ା ଖର୍ଚ୍ଚ କେଉଁଠୁ ଆଣିବେ, ସେଇ ଚିନ୍ତାରେ ଫରାନା ଭାଙ୍ଗି ପଡ଼ିଛନ୍ତି। ଏହି ଦୁର୍ଦ୍ଦିନରେ ସରକାର ତାଙ୍କ ପରିବାରକୁ ସାହା ହେବା ପାଇଁ ଫରାନା ଓ ତାଙ୍କ ବାପା ଏସ୍.କେ ସିଦ୍ଦିକି ଅନୁରୋଧ କରିଛନ୍ତି। ସେହିପରି ମେହେରବାନଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ସବନମ୍ ବିବି ଓ ୩ ଝିଅ ଏବେ ସଂପୂର୍ଣ୍ଣ ବେସାହାରା ହୋଇପଡ଼ିଛନ୍ତି। ରୋଜଗାରିଆ ସ୍ୱାମୀଙ୍କ ମୃତ୍ୟୁ ପରେ ୩ ଝିଅଙ୍କ ଲାଳନପାଳନ କେମିତି କରିବେ, ସେଇ ଚିନ୍ତା ଏବେ ସବନମ୍ଙ୍କୁ ଘାରୁଛି। ତେଣୁ ଫନିରେ ପ୍ରାଣ ହରାଇଥିବା ଏହି ମାମୁଁ-ଭଣଜାଙ୍କ ପରିବାରକୁ ଶୀଘ୍ର ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/Untitled-24-2.jpg)