ଭୁବନେଶ୍ବର: ଓଡ଼ିଶା କୃଷି ଏବଂ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି)ର ଫାକଲ୍ଟିମାନେ ୬ ବର୍ଷ ପରେ ପଦୋନ୍ନତି ପାଇବେ। ରାଜ୍ୟ ସରକାରଙ୍କ ବିତ୍ତ ଓ କୃଷି ବିଭାଗର ଅନୁମୋଦନ ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ଓୟୁଏଟି ପକ୍ଷରୁ ପଦୋନ୍ନତି ପାଇବାକୁ ହକଦାର ଫାକଲ୍ଟିମାନଙ୍କୁ ଆବେଦନ କରିବା ପାଇଁ ଆହ୍ବାନ କରାଯାଇଥିବା ନେଇ ଓୟୁଏଟି ଟିଚର୍ସ ଆସୋସିଏନ ସଭାପତି ପ୍ରଫେସର ପ୍ରକାଶ ବେହେରା ସୂଚନା ଦେଇଛନ୍ତି। ଓୟୁଏଟି ଅନ୍ତର୍ଗତ କୃଷି, ଉଦ୍ୟାନ, ପଶୁ ପାଳନ ଏବଂ ପଶୁ ଚିକିତ୍ସା, ବେସିକ୍ସ ସାଇନ୍ସ ସମେତ ୧୦ଟି ମହାବିଦ୍ୟାଳୟରେ ସମୁଦାୟ ୯୨ ପାଠ୍ୟକ୍ରମ ରହିଛି। କିଛି ଦିନ ପୂର୍ବରୁ ସୂଚନା ଅଧିକାର ଅନ୍ତର୍ଗତରେ ବିଶ୍ବବିଦ୍ୟାଳୟ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, ବର୍ତ୍ତମାନ ଏଠାରେ ୨୯୬ଟି ଫାକଲ୍ଟି ଏବଂ ୩୪୮ଟି ଅଣଫାକଲ୍ଟି ପଦ ଖାଲି ରହିଛି। ଅର୍ଥାତ ସମୁଦାୟ ୪୩୫ ସହଯୋଗୀ ପ୍ରାଧ୍ୟାପକ ପଦରୁ ୨୫୩ ଏବଂ ୮୯ ପ୍ରାଧ୍ୟାପକ ପଦରୁ ୬୪ଟି ଖାଲି ପଡ଼ିଛି।
ସୂଚନା ଅନୁଯାୟୀ, ବର୍ଷାଧିକ ସମୟ ହେଲା, ଫାକଲ୍ଟିଙ୍କ ପକ୍ଷରୁ କେରିୟର ଆସେସ୍ମେଣ୍ଟ ଗାଇଡ୍ଲାଇନ୍ ଠିକ ସମୟରେ ଦାଖଲ ହୋଇ ପାରିନଥିଲା। ପ୍ରଫେସର ପ୍ରଭାତ ରାଉଳଙ୍କ ଯୋଗଦାନ ପରେ ଏଥିସଂକ୍ରାନ୍ତ ପଦକ୍ଷେପ ପରେ ସରକାରଙ୍କ ନିକଟରେ ଦାଖଲ ହୋଇଥିଲା। ପୁରାତନ ସରକାର ମଧ୍ୟ ଏହାକୁ ଅନୁମୋଦନ କରିଥିଲା। କିନ୍ତୁ ନିର୍ବାଚନ ଆଚରଣ ବିଧି ଠିକ ସମୟରେ ଲାଗୁ ହୋଇଯିବାରୁ ଏହା କାର୍ଯ୍ୟକାରୀ ହୋଇ ପାରିନଥିଲା। ନୂତନ ସରକାର ଗଠନ ହେବା ପରେ ପୁରୁଣା ସରକାରଙ୍କ ନିଷ୍ପତ୍ତି କାର୍ଯ୍ୟକାରୀ ସହିତ ପଦୋନ୍ନତି ପାଇଁ ରାସ୍ତା ଫିଟାଇ ଦେଇଛନ୍ତି। ଏଥି ଅନ୍ତର୍ଗତରେ ଯେଉଁ ଫାକଲ୍ଟିଙ୍କ ଯେବେ ଠାରୁ ପଦୋନ୍ନତି ପାଇବାର ଥିବ ସେହି ଅନୁଯାୟୀ ହିସାବ ନିଆଯିବ। ଏଥିସହିତ ୨୦୨୬ ରୁ ଓୟୁଏଟିରୁ ପିଏଚଡି ପାଠ୍ୟକ୍ରମ ବନ୍ଦ ହେବା ନେଇ ଯେଉଁ ଆଶଙ୍କା ଥିଲା, ତାହା କିଛି ସମୟ ପାଇଁ ଟଳି ଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇ ନାହିଁ। କାରଣ ଓୟୁଏଟିରେ ୨୦୨୧ ଏବଂ ୨୦୨୨ ମସିହାରେ ଏକାସହିତ ୪୦-୪୦ ଜଣ, ୨୦୨୩ରେ ୬୦ ଜଣ ଫାକଲଟି ଅବସର ନେଇଥିଲେ। ଏଣେ କିନ୍ତୁ ରାଜ୍ୟ ସରକାରଙ୍କ ନୂତନ ବ୍ୟବସ୍ଥା ଅନୁସାରେ, ଓପିଏସସିଙ୍କ ନିଯୁକ୍ତି କ୍ଷମତାକୁ ବିଭିନ୍ନ ବିଶ୍ବବିଦ୍ୟାଳୟର ଫାକଲ୍ଟିମାନେ ଚ୍ୟାଲେଞ୍ଜ କରିଥିବାରୁ ହାଇକୋର୍ଟରେ ରହିତାଦେଶ ରହିଛି। ନୂତନ ନିଯୁକ୍ତି ସହିତ ଫାକଲଟିମାନଙ୍କ ଅବସର ସୀମାକୁ ୬୫ ବର୍ଷ କରିବା ପାଇଁ ଓୟୁଏଟି ଟିଚର୍ସ ସଂଘ ଦାବି କରିଛି।