ଭୁବନେଶ୍ୱର : ପୁରୁଣା ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମାର୍କେଟ୍ କମ୍ପ୍ଲେକ୍ସ ଆସନ୍ତା ୨୯ତାରିଖରେ ଭଙ୍ଗାଯିବ। ଏନେଇ ବିଡିଏ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ଘୋଷଣା କରାଯାଇଛି। ଏଥିସହ ଉତ୍ତରଦ୍ବାର ନିକଟରେ ଜବରଦଖଲ ହଟିବ ବୋଲି ବିଡିଏ ପକ୍ଷରୁ କୁହାଯାଇଛି। ତେବେ ପୁରୁଣା ଲିଙ୍ଗରାଜ ମାର୍କେଟ୍ରେ ବ୍ୟବସାୟ କରୁଥିବା ବହୁ ବ୍ୟବସାୟୀଙ୍କୁ ଦୋକାନ ଘର ମିଳି ନାହିଁ। ସେମାନେ ମାର୍କେଟ୍ ଭଙ୍ଗାକୁ ବିରୋଧ କରିବେ ବୋଲି କହିଛନ୍ତି।
ପ୍ରକାଶଯୋଗ୍ୟ, ମେଗା ସର୍କିଟ୍ ଟୁରିଜିମ୍ ପ୍ରୋଜେକ୍ଟ ମାଧ୍ୟମରେ ନୂଆ ଲିଙ୍ଗରାଜ ମାର୍କେଟରେ ୫୮ଟି ଦୋକାନ ଗୃହ, ୮ଶହ ପର୍ଯ୍ୟଟକ ଏକକାଳୀନ ରହିବା ଭଳି ଯାତ୍ରୀ ଆଶ୍ରୟସ୍ଥଳ ନିର୍ମାଣ ହୋଇଥିଲା। ମାର୍କେଟ ଓ ରାସ୍ତା ପାଇଁ କିଛି ଲୋକଙ୍କ ଜମି ଯାଇଥିବାରୁ ୮ଟି ଦୋକାନ ଘର ସେମାନଙ୍କୁ ଦିଆଯାଇଥିବା ବେଳେ ଗୋଟିଏ ଦୋକାନ ଘରେ ଟିକେଟ୍ କାଉଣ୍ଟର ଓ ଅନ୍ୟ ଗୋଟିଏ ଘର ଏଟିଏମ୍ ପାଇଁ ରଖାଯାଇଛି। ତେବେ ୪୮ଟି ଦୋକାନ ଘର ଆବଣ୍ଟନ କରାଯାଇଛି। ମାତ୍ର ପୁରୁଣା ମାର୍କେଟ୍ରେ ୧୦୧ଜଣ ବ୍ୟବସାୟୀ ଥିବା ବେଳେ ବ୍ୟବସାୟୀମାନଙ୍କୁ ଥଇଥାନ କରାଯାଇନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏନେଇ ପୁରୁଣା ଭୁବନେଶ୍ବର ବ୍ୟବସାୟୀ ସଂଘ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି। ସଂଘ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ସଭାପତି ଟୁଟୁ ପଣ୍ଡା ଚେତାବନୀ ଦେଇଛନ୍ତି। ଅନ୍ୟପଟେ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି କହିଛନ୍ତି, ମହାପ୍ରଭୁଙ୍କ ଜମିରେ ନୂଆ ଲିଙ୍ଗରାଜ ମାର୍କେଟ୍ ତିଆରି ହୋଇଛି। ମାତ୍ର ଦେବୋତ୍ତର ବିଭାଗ- ବିଡିଏ, ବିଏମ୍ସି ମଧ୍ୟରେ ଚୁକ୍ତି ହୋଇନଥିବାରୁ ଠାକୁରଙ୍କୁ କୌଣସି ଲାଭ ମିଳିବ ନାହିଁ। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁ କୁହନ୍ତି, ଏନେଇ ଦେବୋତ୍ତର ବିଭାଗକୁ ଜଣାଇଛୁ। ମାତ୍ର ଦୋବୋତ୍ତର ଆୟୁକ୍ତଙ୍କ ଉତ୍ତର ମିଳି ନାହିଁ। ବିଏମ୍ସି ଉପଆୟୁକ୍ତ ଶ୍ରୀମନ୍ତ ମିଶ୍ର କହିଛନ୍ତି, ଦେବୋତ୍ତର ବିଭାଗ ଅତିରିକ୍ତ ଆୟୁକ୍ତଙ୍କ ଉପସ୍ଥିତିରେ ବିଏମ୍ସି ଆୟୁକ୍ତଙ୍କ ସହ ଆଲୋଚନା ହୋଇଛି। ମାର୍କେଟ୍ ଗୃହ ଆୟରୁ ଅଧା ଟଙ୍କା ଦେବୋତ୍ତର ବିଭାଗ ଅର୍ଥାତ ଲିଙ୍ଗରାଜ ମନ୍ଦିର ପ୍ରଶାସନକୁ ଦିଆଯିବ ବୋଲି ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାର ନକଲ ଦେବୋତ୍ତର ବିଭାଗକୁ ଦିଆଯାଇଛି ବୋଲି ଶ୍ରୀ ମିଶ୍ର କହିଛନ୍ତି। ବିଡିଏ ଏନଫୋର୍ସମେଣ୍ଟ ଅଧିକାରୀ ହରୀଶ ଚନ୍ଦ୍ର ନାୟକ କହିଛନ୍ତି, ମାର୍କେଟ୍ଟି ୫ବର୍ଷ ହେଲା ବିପଦସଙ୍କୁଳ ଅବସ୍ଥାରେ ଥିବାରୁ ଏହାକୁ ଭାଙ୍ଗିବା ପାଇଁ ଘୋଷଣା କରାଯାଇଛି।