‘ଅଜିତ’ ଏକ ଅନୁଷ୍ଠାନ: ରାଜ୍ୟ ସଂଗ୍ରହାଳୟରେ ସଂଗୃହୀତ ହେବ ଅଜିତଙ୍କ ନିର୍ଦ୍ଦେଶିତ ନାଟକ

ଭୁବନେଶ୍ବର,: ଅଜିତ ଗୋଟିଏ ଲୋକ କିମ୍ବା କଳାକାର ନୁହେଁ, ଏହା ଗୋଟିଏ ଅନୁଷ୍ଠାନ। ସେହି ଅନୁଷ୍ଠାନରେ ନାଟ୍ୟ ନିର୍ଦ୍ଦେଶନା ଦେଇ ଗଢ଼ିଥିବା ଏକ ସ୍ବତନ୍ତ୍ର ପରମ୍ପରାର ଅବସାନ ଘଟିଛି। ଅଜିତ ଆମ ପାଖରେ ନାହାନ୍ତି ସତ ମାତ୍ର ସେ ଅଦୃଶ୍ୟ ହୋଇ ଆମ ପାଖରେ ଛିଡ଼ା ହୋଇଛନ୍ତି ବୋଲି ନାଟ୍ୟକାର ରମେଶ ପ୍ରସାଦ ପାଣିଗ୍ରାହୀ କହିଛନ୍ତି। ଅଭିନୟ ଜାଗୃତି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ଥିଏଟର୍(ଅଜିତ) ପକ୍ଷରୁ ଅନୁଷ୍ଠିତ ହୋଇଥିବା ୨୧ତମ ବାର୍ଷିକ ଉତ୍ସବରେ ପ୍ରାଧ୍ୟାପକ ଶ୍ରୀ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍ସବକୁ ଉଦ୍‌ଘାଟନ କରିଥିଲେ। ସଙ୍ଗୀତ ନାଟକ ଏକାଡେମିର ସଚିବ ପ୍ରବୋଧ ରଥ ସ୍ବର୍ଗତ ଦାସଙ୍କ ଦ୍ବାରା ନିର୍ଦ୍ଦେଶିତ ଏକ ନାଟକକୁ ରାଜ୍ୟ ସଂଗ୍ରହାଳୟରେ ସଂଗୃହୀତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଶ୍ରୀ ଦାସଙ୍କ ସହଧର୍ମିଣୀ ମାୟା ଦାସ, ଅଜିତଙ୍କ ଦ୍ବାରା ସୃଷ୍ଟ ଶହ ଶହ ଛାତ୍ରଙ୍କ ମା’ ଗାନ୍ଧାରୀ ବୋଲି କହିବା ସହିତ ଆଗାମୀ ଦିନରେ କାର୍ଯ୍ୟକ୍ରମ ପରିଚାଳନା ପାଇଁ ଅଜିତପ୍ରେମୀଙ୍କ ସହଯୋଗ ଲୋଡ଼ିଥିଲେ।
ଅଜିତ୍ ଦାସଙ୍କ ୭୨ତମ ଜନ୍ମଦିବସରେ ‘ଏ ନବଘନର ଘର’ ନାଟକ ପରିବେଷଣ ହୋଇଥିଲା। ଘରଣୀ ବିହୀନ ଘରର ଅବସ୍ଥା କିପରି ବିପର୍ଯ୍ୟସ୍ତ ହୋଇଯାଏ ତା’ର ଚରିତ୍ର ଚିତ୍ରଣ କରାଯାଇଥିଲା। ପଞ୍ଚାନନ ପାତ୍ରଙ୍କ ଦ୍ବାରା ଲିଖିତ ଓ ଅଜିତ୍ ଦାସଙ୍କ ଦ୍ବାରା ନାଟକରେ ବିଭୁପ୍ରସାଦ, ପୃଥୀରାଜ, ବିଜୟ, ଜଗନ୍ନାଥ, ରମାକାନ୍ତ, ସିଦ୍ଧାର୍ଥ, ନୀଳ, ହିମାଂଶୁ, ଚନ୍ଦନ, ପ୍ରଣୟ ଓ ବର୍ଷା ନିଖୁଣ ଅଭିନୟ କରି ଦର୍ଶକାଭିମୁଖୀ କରିଥିଲେ। ଅଜିତଙ୍କ ଆତ୍ମଜୀବନୀକୁ ନେଇ ତାଙ୍କ ଶିଷ୍ୟ ଓ ଅଜିତପ୍ରେମୀଙ୍କ ଦ୍ବାରା ନିର୍ମିତ ୬ମିନିଟ୍ ୪୮ ସେକେଣ୍ଡର ଏକ ଭିଡିଓ ପ୍ରଦର୍ଶିତ କରାଯାଇଥିଲ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଆଜି ଗୋଆଠାରେ ଅନୁଷ୍ଠିତ ହେଉଥିବା ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆ(ଆଇଏଫ୍ଏଫ୍ଆଇ)ରେ ଦୁଇ ବରିଷ୍ଠ ତଥା ଦିବଙ୍ଗତ ଅଭିନେତା ଅଜିତ୍ ଦାସ ଓ ବିଜୟ ମହାନ୍ତିଙ୍କ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ଅଧ୍ୟାପକ ଶୁଭ୍ରାଂଶୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର