ଅଦିନିଆ ରଥଯାତ୍ରା ବିରୋଧରେ ପୁଣି ଉଠିଲା ସ୍ବର, ଇସ୍କନ ଘେରିବ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ

ଭୁବନେଶ୍ବର: ମୁମ୍ବାଇ ଇସ୍କନ ପକ୍ଷରୁ ଶ୍ରୀପଞ୍ଚମୀରେ ରଥଯାତ୍ରା ପାଳନକୁ ନେଇ ପୁଣି କ୍ଷୋଭ ପ୍ରକାଶ କରିଛି ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ। ବାରମ୍ବାର ଆଲୋଚନା ପରେ ଅସମୟରେ ଓ ଅତିଥିରେ ରଥଯାତ୍ରା କରିଥିବାରୁ ଏହାକୁ ଦୃଢ଼ ନିନ୍ଦା କରିଛି ପରିଷଦ। ଏନେଇ ବମ୍ବେରେ ବେଣୁଧର ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ପରିଷଦର କିଛି ସଦସ୍ୟ ମୁମ୍ବାଇ ଇସ୍କନ କର୍ତୃପକ୍ଷଙ୍କୁ ଭେଟିଥିବା ବେଳେ ସେମାନେ ଦୁଃଖ ପ୍ରକାଶ କରିଛନ୍ତି। ମାତ୍ର ଏଥିରେ ପରିଷଦ ସନ୍ତୁଷ୍ଟ ହୋଇପାରିନାହିଁ। ବାରମ୍ବାର ସାବଧାନ କରିବା ପରେ ମଧ୍ୟ ଚେତି ନ ଥିବାରୁ ଯଦି ପୁନର୍ବାର ଏପରି କରାଯାଏ, ତେବେ ଭୁବନେଶ୍ବର ଇସ୍କନ ଘେରାଉ କରାଯିବ ବୋଲି ପରିଷଦର ସଭାପତି ଗୋପୀନାଥ ମହାନ୍ତି ଆଜି ଜୟଦେବ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଶ୍ରୀ ମହାନ୍ତିଙ୍କ କହିବା ମୁତାବକ, ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ବିତୀୟା ତିଥିଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ୧୨ଦିନ ସମୟ ମିଳି ଥିବାରୁ ଏହି ସମୟରେ ମହାପ୍ରଭୁଙ୍କୁ ରତ୍ନବେଦୀରୁ ଅପସାରଣ କରାଯାଇ ପୁନଃ ପ୍ରତିଷ୍ଠା କରାଯାଇପାରେ। ଅନ୍ୟ ସମୟ‌ରେ ମୂଳ ବିଗ୍ରହଙ୍କୁ ରତ୍ନ ସିଂହାସନରୁ ଅପସାରଣ କରିବା ଶାସ୍ତ୍ର ବିରୁଦ୍ଧ। ତେଣୁ ‌ଏହି ଅନୁସାରେ ଭାରତ ତଥା ଭାରତ ବାହାରେ ଥିବା ଇସ୍କନ ମନ୍ଦିରମାନଙ୍କରେ ରଥଯାତ୍ରା କରିବା ପାଇଁ ଗଜପତି ମହାରାଜ ଦିବ୍ୟସିଂହ ଦେବ ମତବ୍ୟକ୍ତ କରିଥିଲେ। ଏପରିକି ମୁମ୍ବାଇ ଇସ୍କନ ବ୍ୟୁରୋର ମୁଖ୍ୟ ଗୋପାଳକୃଷ୍ଣ ଦାସଙ୍କ ଅଧ୍ୟକ୍ଷତାରେ ଇସ୍କନର ନେତୃତ୍ବ ମଣ୍ଡଳୀ ଗତ ବର୍ଷ ଡିସେମ୍ବର ୨୫ ତାରିଖରେ ଗଜପତିଙ୍କୁ ତାଙ୍କ ସହିଦନଗରସ୍ଥିତ ବାସଭବନରେ ସାକ୍ଷାତ କରିଥିଲେ। ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦର ସଭାପତି ଗୋପୀନାଥ ମହାନ୍ତି ମଧ୍ୟ ଏହି ସମୟରେ ଉପସ୍ଥିତ ଥିଲେ। ରଥଯାତ୍ରା ଏକ ମହୋତ୍ସବ ହୋଇଥିବାରୁ ତାହା ଶ୍ରୀପଞ୍ଚମୀରୁ ଆରମ୍ଭ ହୋଇ ନୀଳାଦ୍ରିବିଜେରେ ଶେଷ ହୋଇଥାଏ ବୋଲି ଗଜପତି ଦର୍ଶାଇଥିଲେ। ତେଣୁ ଶ୍ରୀପଞ୍ଚମୀ ଓ ଅଶୋକାଷ୍ଟମୀରେ ରଥଯାତ୍ରା ଶାସ୍ତ୍ରର ବିରୁଦ୍ଧାଚରଣ କରୁଛି ବୋଲି କୁହାଯାଇଥିଲା। ଏତେ ସବୁ ପରେ ମଧ୍ୟ ଅତିଥିରେ ସେମାନେ ରଥଯାତ୍ରା କଲେ। ତେଣୁ ଏଥର ଆଉ ସେମାନଙ୍କୁ କ୍ଷମା ଦିଆଯିବ ନାହିଁ। ଭୁବନେଶ୍ବର ଇସ୍କନ ଘେରାଉ କରାଯିବ।

ଗଜପତି ୨୦୦୭ ଓ ୨୦୦୮ ମସିହାରେ ଇସ୍କନ କର୍ତୃପକ୍ଷଙ୍କୁ ଅସମୟରେ ରଥଯାତ୍ରା ନକରିବା ପାଇଁ ଅନୁରୋଧ କରିଥିଲେ। ଏହା ପରେ ବର୍ଷେ କାଳ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ଏହି ଅଦିନିଆର ରଥଯାତ୍ରା ବିରୋଧରେ ସ୍ବର ଉତ୍ତାଳନ କରିଥିଲା। ପରେ ଇସ୍କନ କର୍ତୃପକ୍ଷ ଏଥିରୁ ଓହରିଥିଲେ। ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବଦଳରେ କୃଷ୍ଣ ବଳରାମ ଶୋଭାଯାତ୍ରା ଆରମ୍ଭ କରିଥିଲେ। ମାତ୍ର ପୁନର୍ବାର ଏପରି ମନୋଭାବ ଆମକୁ ଆଘାତ ଦେଇଛି ବୋଲି ଉପସଭାପତି ପୀତବାସ ରାଉତରାୟ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପରିଷଦର ସମ୍ପାଦକ ଦେବେନ୍ଦ୍ର କୁମାର ଦାସଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର