ଅଧୁରା ରହିଗଲା ଜଳାଭିଷେକ, କୁଆଖାଇରେ ବୁଡ଼ି କାଉଡ଼ିଆଙ୍କ ମୃତ୍ୟୁ

ବାଲିଅନ୍ତା: ଅଧୁରା ରହିଗଲା ଜଳାଭିଷେକ। ପାଣି ଉଠାଉଥିବା ବେଳେ ବୁଡ଼ିଯାଇ ପ୍ରାଣ ହରାଇଛନ୍ତି ଝାରପଡ଼ା ଭୋଇସାହିରେ ରହୁଥିବା ଜୟରାମ ସାହୁଙ୍କ ଝିଅ ବିନ୍ଦୁଶ୍ରୀ ସାହୁ (୧୫)। ଜୟରାମ ରାଜମିସ୍ତ୍ରି କାମ କରିନ୍ତି। ତାଙ୍କର ୪ ଝିଅ ଓ ଗୋଟିଏ ପୁଅ ଭିତରୁ ବିନ୍ଦୁଶ୍ରୀ ସବା ସାନ ଝିଅ। ସେ ସ୍ଥାନୀୟ ହାଇସ୍କୁଲରେ ୧୦ମ ଶ୍ରେଣୀରେ ପାଠ ପଢ଼ୁଥିଲେ। ଆଜି ଭୋର ସାଢ଼େ ୬ଟା ସମୟରେ କେତେଜଣ ପଡ଼ୋଶୀ ପିଲାଙ୍କ ସହିତ କୁଆଖାଇ ନଦୀର କେଶୁରା ଘାଟକୁ ପାଣି ଉଠାଇବାକୁ ଯାଇଥିଲେ। ସେଠାରୁ ପାଣିନେଇ ଲକ୍ଷେଶ୍ବର ପୀଠରେ ଜଳଲାଗି କରିଥାନ୍ତେ। ହେଲେ ବିଧିର ବିଧାନ ଥିଲା ଅଲଗା। ଗାଧୋଇବା ବେଳେ ଜଳ ସ୍ରୋତରେ ଭାସିଯାଇଥିଲେ। ବିନ୍ଦୁଶ୍ରୀ ବୁଡ଼ିଯାଉଥିବା ଦେଖି ଅନ୍ୟ ଶ୍ରଦ୍ଧାଳୁମାନେ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଖବର ପାଇ ଭୁବନେଶ୍ବର ଅଗ୍ନିଶମ କର୍ମଚାରୀମାନେ ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ କିଛି ଦୂରରୁ ବିନ୍ଦୁଶ୍ରୀଙ୍କୁ ଉଦ୍ଧାର କରିଥିଲେ। ବାଲିଅନ୍ତା ଥାନା ପୁଲିସ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ବାଲିଅନ୍ତା ଥାନାରେ କେସ ନଂ. ୨୭/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର