‘ଅନୁଭବରେ ବିଶାଳ ଆମେରିକା’ ଲୋକାର୍ପିତ

ଭୁବନେଶ୍ବର: ଆୟକର ଆୟୁକ୍ତ ତଥା ଲେଖକ ମନୋରଂଜନ ପାଣିଗ୍ରାହୀଙ୍କ ଭ୍ରମଣ ସାହିତ୍ୟ ‘ଅନୁଭବରେ ବିଶାଳ ଆମେରିକା’ ଲୋକାର୍ପିତ ହୋଇଯାଇଛି। ଶନିବାର ରାଜସ୍ବ ବିଭାଗସ୍ଥିତ ଆୟକର ଭବନ ସମ୍ମିଳନୀ କକ୍ଷରେ ପ୍ରାକ୍ତନ ସାଂସଦ ଓ କବି ପ୍ରସନ୍ନ ପାଟ୍ଟଶାଣୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉନ୍ମୋଚନ କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଅତିଥି ଭାବେ ‌ଯୋଗଦେଇ କହିଲେ, ବହୁ ଲୋକ ଭ୍ରମଣ କରନ୍ତି କିନ୍ତୁ ଭ୍ରମଣ ଅନୁଭବ ବ୍ୟକ୍ତ କରିପାରନ୍ତି ନାହିଁ। ତେବେ ଏହି ପୁସ୍ତକରେ ଭାରତୀୟତା ଓ ମାଟିର ଗନ୍ଧ ବାରି ହେଉଥିବାରୁ ଏହା ଆଦୃତ୍ତ ହେବ ବୋଲି ସେ କହିଥିଲେ।

ରାଜନେତା ଓ ଆଲୋଚକ ପ୍ରସାଦ ହରିଚନ୍ଦନ କହିଲେ, ମାନବ ଜାତିର ଅତୀତ ଅନୁଧ୍ୟାନ ପାଇଁ ଭାରତ ଓ ଚୀନ୍‌, ବର୍ତମାନର ଅନୁଧ୍ୟାନ ପାଇଁ ବ୍ରିଟେନ୍‌ ଏବଂ ଭବିଷ୍ୟତ ଆକଳନ ପାଇଁ ଆମେରିକା ଭ୍ରମଣ ଆବଶ୍ୟକ ବୋଲି ଆଗରୁ ରହିଥିବା ମନ୍ତବ୍ୟ ଶ୍ରୀ ପାଣିଗ୍ରାହୀଙ୍କ ଗ୍ରନ୍ଥରେ ପ୍ରତିଫଳିତ। କେନ୍ଦ୍ର ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟାମଣ୍ଡଳୀ ଆବାହକ ଡ. ବିଜୟାନନ୍ଦ ସିଂହ, ଗବେଷିକା ପ୍ରଫେସର୍‌ ସଂଘମିତ୍ରା ମିଶ୍ର ପୁସ୍ତକର ବୈଶିଷ୍ଟ୍ୟ ବାବଦରେ କହିଥିବା ବେଳେ କବି ସୂର୍ଯ୍ୟ ମିଶ୍ର ପୁସ୍ତକର ସମୀକ୍ଷା କରିଥିଲେ। ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଅତିଥିଙ୍କୁ ସ୍ବାଗତ କରିଥିଲେ। ଲେଖକଙ୍କ ପତ୍ନୀ ଡାକ୍ତର ସଂଘମିତ୍ରା ପତିଙ୍କ ଜନ୍ମଦିନ ଅବସରରେ ଏହି ପୁସ୍ତକ ଲୋକାର୍ପିତ ହୋଇଥିଲା। ଲେଖକ ଶ୍ରୀ ପାଣିଗ୍ରାହୀ ତାଙ୍କ ଅନୁଭବ ବ୍ୟକ୍ତ କରିଥିଲେ।

ସମ୍ବନ୍ଧିତ ଖବର