ଅପୂର୍ଣ୍ଣତାରେ ପୂର୍ଣ୍ଣତାର ସନ୍ଧାନ କରିବାକୁ ବାର୍ତା ଦିଅନ୍ତି ଅଧାଗଢ଼ା ଜଗନ୍ନାଥ

ଭୁବନେଶ୍ବର: ନୀଳାଦ୍ରି ବିଜେ ଅବସରରେ ଜଗନ୍ନାଥମୟ ଉପଲବ୍ଧି ଭେଟି ଦେଇଛି ରାଜ୍ୟ ଅଭିଲେଖାଗାର। ଏହି ଅବସରରେ ଶ୍ରୀଜଗନ୍ନାଥଙ୍କ ସମ୍ବନ୍ଧିତ ଫଟୋ ପ୍ରଦର୍ଶନୀ ସହ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି। ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦେଶକ ତଥା ଜଗନ୍ନାଥ ‌ଗବେଷକ କୃପାସିନ୍ଧୁ ମିଶ୍ର ‘ଜଗନ୍ନାଥ ସଂସ୍କୃତି ଓ ଜନଜୀବନ’ ଶୀର୍ଷକ ବିଷୟରେ ଆଲୋକପାତ କରି କହିଲେ, ଅପୂର୍ଣ୍ଣତାରେ ପୂର୍ଣ୍ଣତାର ସନ୍ଧାନ କରିବାକୁ ବାର୍ତା ଦେବାକୁ ଜଗନ୍ନାଥ ନିଜେ ଅଧାଗଢ଼ା ହୋଇ ରହିଛନ୍ତି। ତାଙ୍କ ମୁରୁକା ହସ ସବୁବେଳେ ଖୁସି ରହିବାର ବାର୍ତା ଦେଉଛି। ତାଙ୍କ ପ୍ରସାରିତ ବାହା ‘ଦେବାରେ ଆନନ୍ଦ’ର ଉପଲବ୍ଧିକୁ ବ୍ୟକ୍ତ କରୁଛି।

ଗବେଷକ ତଥା ‘ପୌରୁଷ’ର ସମ୍ପାଦକ ଅସିତ ମହାନ୍ତି ‘ଆମ ସଂସ୍କୃତିରେ ନୀଳାଦ୍ରି ବିଜେ’ ଶୀର୍ଷକ ବିଷୟରେ ମତ ରଖି ୩ଟି ଦୃଷ୍ଟିକୋଣରୁ ନୀଳାଦ୍ରି ବିଜେକୁ ବିଶ୍ଳେଷଣ କରିଥିଲେ। ଯେବେ ଯବନଙ୍କ ଆକ୍ରମଣ ସମୟରେ ତାଙ୍କୁ ରତ୍ନ ସିଂହାସନରୁ ନେଇ ଲୁଚାଇ ରଖି ପୁଣି ଫେରାଇ ଅଣାଯାଉଥିଲା, ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣର ଶ୍ରୀୟା ଚଣ୍ଡାଳୁଣୀ ଉପାଖ୍ୟାନରେ ଦୁଇ ଭାଇ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତନ କରିବା ଏବଂ ଅନ୍ୟଟି ରଥଯାତ୍ରାରେ ଯାଇ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତନ କରିବା ନୀଳାଦ୍ରି ବିଜେ ବୋଲି କୁହାଯାଇପାରିବ। ତେବେ ସବୁ କ୍ଷେତ୍ରରେ କିପରି ମଧୁରତାର ସହ ମାନଭଞ୍ଜନ ହୁଏ ସେଇ ମୂଲ୍ୟବାନ ବାର୍ତା ରହିଛି ବୋଲି ସେ କହିଥିଲେ। ବିଶିଷ୍ଟ ଗବେଷକ ଭାସ୍କର ମିଶ୍ର କହିଲେ, ନୀଳାଦ୍ରି ବିଜେ ଦିନ ନୂଆ ପାଟ ପିନ୍ଧି, ପୁଷ୍ପ ସଜ୍ଜିତ ହୋଇ ମା’ ଲକ୍ଷ୍ମୀ ଜଗନ୍ନାଥଙ୍କୁ ସ୍ବାଗତ କରିବାକୁ ଅପେକ୍ଷା କରିଥାଆନ୍ତି। ଖାସ ଏଥିପାଇଁ ପ୍ରଭୁ ଜଗନ୍ନାଥ ବି ନୀଳାଦ୍ରି ବିଜେ ଦିନ ସବୁଠୁ ଅଧିକ ସୁସଜ୍ଜିତ ଟାହିଆ ପିନ୍ଧି ରତ୍ନବେଦି ଅଭିମୁଖେ ଯାଆନ୍ତି। ଏଇଦିନ ବଡ଼ ଓଡ଼ିଆ ମଠ ପକ୍ଷରୁ ତ୍ରିମୁଣ୍ଡି ଚାନ୍ଦୁଆ ଯୋଗାଇ ଦିଆଯାଏ। ଲକ୍ଷ୍ମୀଙ୍କ ମାନଭଂଜନ ପାଇଁ ଗୋଟେ ଓଳି ପରିମାଣର ରସଗୋଲା ସେବାୟତଙ୍କ ଘରେ ପ୍ରସ୍ତୁତ ହୁଏ ବୋଲି ସେ କହିଥିଲେ। ବିଭିନ୍ନ କବିଙ୍କ ପଙ୍କ୍ତିକୁ ଛାନ୍ଦ ସ୍ବରରେ ଗାନ କରି ଲକ୍ଷ୍ମୀ ନାରାୟଣଙ୍କ ମଧ୍ୟରେ କଳିକୁ ଅତି ମାର୍ମିକ ଭାବେ ଉପସ୍ଥାପନ କରି ଦର୍ଶକଙ୍କ ପ୍ରଶଂସା ଭାଜନ ହୋଇଥିଲେ ଯୁବ ଗବେଷକ ପ୍ରତୀକ ପଟ୍ଟନାୟକ। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଯୁଗ୍ମ ଶାସନ ସଚିବ ସଂଘମିତ୍ରା ଶତପଥୀ ଧନ୍ୟବାଦ ଦେଇଥିଲେ। ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଶୁଚିସ୍ମିତା ମନ୍ତ୍ରୀ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଏହି ଅବସରରେ ଶ୍ରୀଜଗନ୍ନାଥଙ୍କ ସମ୍ବନ୍ଧିତ ଦଲିଲ୍‌, ଦସ୍ତାବିଜ୍‌ ଓ ଫଟୋଚିତ୍ର ପ୍ରଦର୍ଶିତ ହୋଇଥିଲା।

ସମ୍ବନ୍ଧିତ ଖବର