ଅର୍ଧନିର୍ମିତ ଅବସ୍ଥାରେ ଏମ୍‌ସ ମଡୁଲାର୍ ଓଟି, ‘ପୂର୍ଣ୍ଣାଙ୍ଗ’ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି

ଖଣ୍ଡଗିରି: ଆଉ ଦୁଇ ଦିନ ପରେ ଭୁବନେଶ୍ବର ଏମ୍‌ସକୁ ୭ବର୍ଷ ପୂରିବ। ମାତ୍ର ଦୀର୍ଘ ସାତ ବର୍ଷ ପରେ ବି ଏହା ପୂର୍ଣ୍ଣାଙ୍ଗ ରୂପରେ ମୁଣ୍ଡ ଟେକି ଠିଆ ହୋଇପାରିଲା ନାହିଁ। ଧାର୍ଯ୍ୟ ଲକ୍ଷ୍ୟ ଏକ ହଜାର ରୋଗୀ ଶଯ୍ୟା ମଧ୍ୟରୁ ପ୍ରାୟ ୮ଶହ ଶଯ୍ୟା (୯୦ ପ୍ରତିଶତ) ପ୍ରତିଷ୍ଠା ହୋଇସାରିଥିଲେ ବି ଅପରେସନ୍‌ ଥିଏଟର(ଓଟି) ସଂଖ୍ୟା ବଢ଼ି ପାରୁନଥିବାରୁ ଏତେ ବର୍ଷ ପରେ ବି ଏମ୍‌ସ ଅପୂର୍ଣ୍ଣାଙ୍ଗ ‌ବୋଲି ଅଭିହିତ ହୋଇଆସୁଛି। ଦୁଇ ବର୍ଷ ହେଲାଣି ମଡ୍ୟୁଲାର୍ ଓଟି ନିର୍ମାଣ କାମ ଚାଲିଥିଲେ ବି ସରିବା ନାଁ ଧରୁ ନାହିଁ। ଫଳରେ ଜରୁରି ଅପରେସନ୍ ପାଇଁ ରୋଗୀମାନଙ୍କୁ ଏଠାରୁ ଫେରିବାକୁ ପଡ଼ୁଛି ଓ ସ୍ବଳ୍ପ ମୂଲ୍ୟରେ ଗରିବ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବା କ୍ଷେତ୍ରରେ ଏବେ ବି ଏମ୍‌ସ ପଛରେ ପଡ଼ି ଯାଉଥିବା ଅଭିଯୋଗ ହେଉଛି।

ରାଜ୍ୟର ଅନ୍ୟ ହସ୍ପିଟାଲମାନଙ୍କ ପାଇଁ ଏମ୍‌ସ ରେଫରାଲ୍ ହସ୍ପିଟାଲ ହେବା ଲକ୍ଷ୍ୟ ଥିବା ବେଳେ ଏବେ କଟକ ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ କଲେଜ ଓ ହସ୍ପିଟାଲ ଏମ୍‌ସର ରେଫରାଲ୍ ହସ୍ପିଟାଲ ହୋଇଛି। ଆସନ୍ତା ୧୫ତାରିଖରେ ଏହି ମେଡିକାଲ କଲେଜ ଓ ହସ୍ପିଟାଲ ୭ମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି। ଆଶା କରାଯାଉଥିଲା, ଏହି ଜନ୍ମ ଦିନରେ ମଡ୍ୟୁଲାର୍ ଓଟି ଉଦ୍‌ଘାଟନ କରାଯିବ ଓ ଭୁବନେଶ୍ବର ଏମ୍‌ସ ଏକ ପୂର୍ଣ୍ଣାଙ୍ଗ ରୂପ ନେବ। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଏହି ୩୦ ଓଟି ବିଶିଷ୍ଟ ମଡ୍ୟୁଲାର୍ ଓଟି ଓ ଆଇସିୟୁକୁ ଉଦ୍‌ଘାଟନ କରିବେ। ମାତ୍ର ତାହା ହୋଇପାରୁନଥିବା ଜଣାପଡ଼ିଛି। ଗତ ଡିସେମ୍ବର ସୁଦ୍ଧା ନିର୍ମାଣ କାମ ସରିବାକୁ ଥିବା ବେଳେ ଏବେ ପୁଣି ଅଧିକ ୭ମାସ ମିଳିଥିଲେ ବି ନିର୍ମାଣ ସରିବା ସମ୍ଭବ ହୋଇପାରିଲା ନାହିଁ। ଏବେ ଏଠାରେ ୮ଟି ଓଟି କାମ କରୁଥିବା ବେଳେ ପ୍ରାୟ ୨୦ଟି ଆଇସିୟୁ କାର୍ଯ୍ୟକ୍ଷମ ରହିଛି। ତେଣୁ ମାସିକ ୧୨ଟି ବିଭାଗରୁ ପ୍ରାୟ ଏକ ହଜାର ରୋଗୀଙ୍କର ଅ‌‌ସ୍ତ୍ରୋପଚାର କରାଯାଇପାରୁଛି। ମାତ୍ର ଏଠାରେ ମାସିକ ୨ ହଜାର ରୋଗୀଙ୍କ ପାଇଁ ଅସ୍ତ୍ରୋପଚାର ଆବଶ୍ୟକ ହେଉଛି। ଫଳରେ ବହୁ ରୋଗୀ ଏଠାରୁ ଫେରିବାକୁ ବାଧ୍ୟ ହେଉଛନ୍ତି। ଏମିତିକି କିଛି ରୋଗୀଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ବାଧ୍ୟ ହୋଇ ଅନ୍ୟତ୍ର‌ ରେଫର୍‌ କରିବାକୁ ବାଧ୍ୟ ହେଉଛନ୍ତି। ଏହାଦ୍ବାରା ଭୁବନେଶ୍ବର ଏମ୍‌ସ ଉପରେ ଲୋକଙ୍କ ଭରସା କ୍ରମେ ହ୍ରାସ ପାଇବା ପରିଲକ୍ଷିତ ହେଉଛି। ଏହି କାମର ବିଳମ୍ବ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଅନୁଦାନ ଯୋଗାଣ ଦାୟୀ କି ନିର୍ମାଣ କାମ ନେଇଥିବା ଠିକାଦାର ଦାୟୀ, ତାହା ବି ସ୍ପଷ୍ଟ ହୋଇପାରୁନାହିଁ। ଖୁବ୍ ଶୀଘ୍ର ସରିବ ବୋଲି ଗୋଟିଏ ଧାଡ଼ିକିଆ ଉତ୍ତର ହିଁ ରହିଛି କର୍ତ୍ତୃପକ୍ଷଙ୍କ ପାଖରେ। ଆସନ୍ତା ୧୪ ଓ ୧୫ ତାରିଖ ଦୁଇ ଦିନ ଧରି ଏମ୍‌ସର ସପ୍ତମ ପ୍ରତିଷ୍ଠା ଦିବସ ପାଇଁ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ବାଲେଶ୍ବର ସାଟେଲାଇଟ୍‌ କେନ୍ଦ୍ରଠାରୁ ଆରମ୍ଭ କରି ଭୁବନେଶ୍ବର ପର୍ଯ୍ୟନ୍ତ ମେଗା ସ୍ବାସ୍ଥ୍ୟ ଶିବିର, ରକ୍ତଦାନ ଶିବିର, ବୃକ୍ଷରୋପଣ ଆଦି କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଏକ ନୂତନ ଏମ୍‌ଆର୍‌ଆଇ ୟୁନିଟ୍‌ ଉଦ୍‌ଘାଟିତ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର