ଅଳିଆ: ଅଧା ଉଠିଲା, ଅଧା ରହିଲା

ଚନ୍ଦ୍ରଶେଖରପୁର: ଅଳିଆ ଉଠାଇବା ସ୍ଥିତି ସୁଧୁରୁନି। ଗତ ୪ ଦିନ ପରି ଆଜି ମଧ୍ୟ ଚନ୍ଦ୍ରଶେଖରପୁର ଅଞ୍ଚଳର ୭ଟି ଯାକ ଵାର୍ଡରେ ଅଳିଆ ପଡ଼ି ରହିଥିବା ଦେଖିବାକୁ ମିଳିଛି। ତେବେ ରାସ୍ତାପାର୍ଶ୍ବରେ ଥିବା ଡଷ୍ଟବିନ୍‌ଗୁଡ଼ିକରୁ ଇତି ମଧ୍ୟରେ ଅଳିଆ ଉଠାଇ ନିଆଯାଇଛି। କିନ୍ତୁ ଵାର୍ଡ ଭିତରେ ସେଭଳି ସ୍ଥିତି ଲାଗିରାହିଛି। ଏବେ ବି କୁଢ଼ କୁଢ଼ ଅଳିଆ ଜମା ହୋଇଛି। ନୀଳାଦ୍ରିବିହାର, ବିଡିଏ କଲୋନି, ଶୈଳଶ୍ରୀବିହାର ଅଞ୍ଚଳରେ ଡଷ୍ଟବିନ୍‌ ଭର୍ତି ହୋଇ ଅଳିଆ ବାହାରେ ପଡ଼ିଛି। ଵାର୍ଡ ନମ୍ବର ୭ରେ ଅସୁଥିବା ନୀଳାଦ୍ରିବିହାର ଏଟିଏମ୍‌ ଛକରୁ କଲୋନି ଆଡ଼କୁ ଯାଇଥିବା ରାସ୍ତା ପାର୍ଶ୍ବ ଅବସ୍ଥା ନ କହିବା ଭଲ। ଏହି ରାସ୍ତା ପାର୍ଶ୍ବରେ ରଖାଯାଇଥିବା ୩ଟି ଡଷ୍ଟବିନ୍‌ ଭର୍ତ୍ତି ହୋଇ ବାହାରେ ଅଳିଆ ଗଦା ହୋଇଛି। ଦୁର୍ଗନ୍ଧରେ ଅଞ୍ଚଳବାସୀ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି। ଵାର୍ଡ ନମ୍ବର ୮ରେ ସ୍ଥିତି ସୁଧୁରିଛି। ଡଷ୍ଟବିନ୍‌ ନିକଟରୁ ଅଳିଆ ଉଠିଥିଲେ ମଧ୍ୟ ରାସ୍ତା ପାର୍ଶ୍ବର ବିଭିନ୍ନ ସ୍ଥାନରେ ଅଳିଆ ଜମା ହୋଇଛି। ଝାଡ଼ୁ ମରିବା ପରେ କର୍ମଚାରୀମାନେ ତାହାକୁ ଆଉ ଉଠାଉ ନଥିବାରୁ ଏଭଳି ସ୍ଥିତି ଉପୁଜିଛି। ଵାର୍ଡ ନମ୍ବର ୧,୨,୬, ୧୩ ଓ ୧୪ରେ ଡଷ୍ଟବିନ୍‌କୁ ଲାଗି ରହିଥିବା ଆବର୍ଜନାଗୁଡ଼ିକ ଉଠାଯାଇଛି। କିନ୍ତୁ ରାସ୍ତା ପାର୍ଶ୍ବରେ ଲୋକଙ୍କ ଦ୍ବାରା ଜମା ହୋଇଥିବା ଅଳିଆ ସେମିତି ପଡ଼ିରହିଛି। ଲୋକଙ୍କ କହିବା କଥା ହେଉଛି ଯେ ଗତ ୪ ଦିନ ପରି ଅବସ୍ଥା ଏବେ ବି ଲାଗିରହିଛି। ସକାଳୁ କର୍ମଚାରୀମାନେ ଅଳିଆ ନେବାକୁ ଆସୁ ନାହାନ୍ତି। ଯେଉଁମାନେ ଆସୁଛନ୍ତି ସେମାନେ କେବଳ ରାସ୍ତା ଝାଡ଼ୁ ମାରି ପଳାଉଛନ୍ତି। ଅଳିଆ ନେବା ଗାଡ଼ି ଆସୁ ନଥିବାରୁ ହଇରାଣ ହେବାକୁ ପଡ଼ୁଛି। ତୁରନ୍ତ ଏହାର ସମାଧାନ ହେବା ଆବଶ୍ୟକ।

ସମ୍ବନ୍ଧିତ ଖବର