ଅସୁରକ୍ଷିତ ରାଜଧାନୀ, ପୁଲିସ ବେଫିକର ରାତି ୧୧ ପରେ ଥାନା ଖାଲି!

ଭୁବନେଶ୍ବର: ଲୁଟେରାଙ୍କୁ ଲୁଟ୍‌, ଡକାୟତଙ୍କ ଡକାୟତି, ସିନ୍ଧିଚୋରଙ୍କ ଚୋରିରେ ତ୍ରାହି ତ୍ରାହି ଡାକିବା ଆରମ୍ଭ କଲେଣି ରାଜଧାନୀବାସୀ। ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ଲୁଟପାଟ, ଛିନତାଇ, ଚୋରି ଓ ଡକାୟତି ଭଳି ଅପରାଧ ଘଟୁଛି। ରାତି ତ ରାତି, ଦିନବେଳା ମଧ୍ୟ ରାଜଧାନୀବାସୀ ଘରେ ରହିବାକୁ ଅସୁରକ୍ଷିତ ମନେ କଲେଣି। ବରିଷ୍ଠ ନାଗରିକଙ୍କୁ ମଧ୍ୟ ଛାଡ଼ୁନାହାନ୍ତି। ଗତକାଲି ଦିନବେଳା ଚନ୍ଦ୍ରଶେଖରପୁର ଥାନା ଅଧୀନ ହାଉସିଂବୋର୍ଡ କଲୋନି ଏମଆଇଜି ଫେଜ୍‌-୨‌ରେ ଚେତନଜିତ ମହାନ୍ତିଙ୍କ ଘରୁ ୪ ଲକ୍ଷ ଟଙ୍କାର ସୁନାଗହଣା ଓ ନଗଦ ୧ଲକ୍ଷ ଟଙ୍କା ଚୋରି କରି ନେଇଥିଲେ। ରାତିରେ ଧଉଳି ଥାନା ଅଧୀନ ଶିଶୁପାଳଗଡ଼‌ରେ ଡକାୟତି ହୋଇଥିଲା। ଲୁଟେରାମାନେ ଘରେ ପଶି ବୃଦ୍ଧ ଦମ୍ପତିଙ୍କୁ ଆକ୍ରମଣ କରି ବାନ୍ଧି ପକାଇବା ସହ ନଗଦ ଟଙ୍କା ଓ ଲକ୍ଷାଧିକ ଟଙ୍କାର ସୁନଗହଣା ନେଇଯାଇଛନ୍ତି। ଖାଲି ଏତିକି ନୁହେଁ, ରାଜଧାନୀରେ କାର୍‌ ମଧ୍ୟ ଲୁଟ୍‌ ହେଲାଣି। ଚେନ୍‌ ଲୁଟ୍‌ ଦେହସୁଆ ହୋଇଗଲାଣି ପୁଲିସ ପାଇଁ। କାହିଁକି ହଠାତ ରାଜଧାନୀରେ ଏଭଳି ଲୁଟପାଟ୍‌ ବଢ଼ି ଯାଇଛି, ତାକୁ ନେଇ ମଧ୍ୟ ସହରବାସୀ ଚିନ୍ତାରେ। କିନ୍ତୁ କମିସନରେଟ୍‌ ପୁଲିସ ଯେଉଁଭଳି ଢଙ୍ଗରେ ଚିନ୍ତା ପ୍ରକଟ କରିବା କଥା, ତାହା କରୁ ନଥିବା ଭଳି ମନେ ହେଉଛି। କାରଣ ପୁଲିସ ଜେଲ ଫେରନ୍ତାଙ୍କ ଉପରେ ନଜର ରଖୁନାହିଁ। ପୂର୍ବରୁ ଯେଉଁଭଳି ରାତି ତମାମ ବ୍ଲକିଂ ଓ ଚେକିଂ ହେବା କଥା, ତାହା ମଧ୍ୟ ଆଉ ହେଉନାହିଁ। ରାତି ୧୧ଟା ପରେ ଥାନା ଖାଲି ହୋଇଯାଉଛି। ଦୁର୍ବଳ ଓ ଢିଲା ସୁରକ୍ଷା ବ୍ୟବସ୍ଥା ଅପରାଧୀଙ୍କୁ ସୁହାଉଛି। ଆଜିଠାରୁ ବିଧାନସଭା ଅଧିବେଶନ ଆରମ୍ଭ ହୋଇଯାଇଛି। ସୁରକ୍ଷା ବ୍ୟବସ୍ଥାରେ କମିସନରେଟ୍‌ ପୁଲିସ ସମେତ ୨୮ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ହେବେ। ଏହାର ଫାଇଦା ନେଇପାରନ୍ତି ଲୁଟେରା। ତେଣୁ ପୁଲିସ ଏଭଳି ପରିସ୍ଥିତିରେ କେମିତି ମୁ୍କବିଲା କରିବ, ତାକୁ ନେଇ ପ୍ରଶ୍ନ ଉଠିଲାଣି।

ରାଜଧାନୀରେ ବଢ଼ି ଚାଲିଥିବା ଏଭଳି ଲୁଟପାଟ୍‌ର କାରଣ ସମ୍ପର୍କ‌‌ରେ କିଛି ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଥିଲୁ। ରାଜଧାନୀରେ ଏଭଳି ବଢ଼ି ଚାଲିଥିବା ଲୁଟପାଟ ଓ ଛିନତାଇ କାରଣ ସମ୍ପର୍କରେ ସେ ଯାହା କହିଥିଲେ, ତାହା ଏହିଭଳି;

ଜେଲ ଫେରନ୍ତାଙ୍କ ଉପରେ ରହୁନି କମିସନରେଟ ପୁଲିସର ନଜର: ଗତ ଦେଢ଼ ମାସ ହେବ ରାଜଧାନୀରେ ଯେଉଁଭଳି ଭାବେ ଲୁଟେରାମାନେ ଆତଙ୍କ ଖେଳାଉଛନ୍ତି, ତାକୁ ନେଇ ଏବେ ରାଜଧାନୀବାସୀ ଚିନ୍ତିତ। ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ରାଜଧାନୀରେ ଏବେ ୪ରୁ ୫ଟି ଗ୍ୟାଙ୍ଗ ଅପରେଟ୍‌ କରୁଛି। ଏହି ଗ୍ୟାଙ୍ଗ୍ ନୂଆ ଗ୍ୟାଙ୍ଗ୍ ହୋଇପାରନ୍ତି କିମ୍ବା ବାହାରୁ ଆସି ଥାଇପାରନ୍ତି ବା ଜେଲ ଫେରନ୍ତା ହୋଇ ପାରନ୍ତି। କିନ୍ତୁ ପୁଲିସ ଜେଲ ଫେରନ୍ତାଙ୍କ ଉପରେ ନଜର ରଖୁନାହିଁ। ଫଳରେ ସେମାନେ ଜାମିନରେ ଆସି ପୁଣି ଥରେ ଏଭଳି କାଣ୍ଡ ଘଟାଉଛନ୍ତି।

ରାତି ୧୧ ପରେ ଥାନାରେ ବସୁନାହାନ୍ତି ଥାନାବାବୁ:ପୂର୍ବରୁ ଥାନାରେ ଥାନାବାବୁମାନେ ରାତି ପାଖାପାଖି ୧୨ଟାରୁ ୧ଟା ଯାଏ ରହୁଥିଲେ। ଫଳରେ ଥାନାର ଅନ୍ୟ କର୍ମଚାରୀମାନେ ମଧ୍ୟ ଥାନାରେ ଉପସ୍ଥିତ ରହିବା ସହ ନିଜ ନିଜ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ। କିନ୍ତୁ ଏବେ ଗୋଟିଏ ଦୁଇଟି ଥାନାକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ଥାନାର ଥାନାଧିକାରୀମାନେ ରାତି ସାଢ଼େ ୧୦ ଓ ୧୧ଟା ଭିତରେ ଥାନା ଛାଡ଼ି ଦେଉଛନ୍ତି। ଥାନାବାବୁ ଯିବା ପରେ ପରେ ଅନ୍ୟମାନେ ମଧ୍ୟ ଥାନାରୁ ଛୁ’ ମାରୁଛନ୍ତି। କେବଳ ଡିସିଓ, ସେଣ୍ଟ୍ରି ଓ ପିସିଆର୍‌ କର୍ମଚାରୀକୁ ନେଇ ରାତିରେ ଥାନା ଚାଲୁଛି। ବଡ଼ କଥା ହେଉଛି, ଗତ କିଛି ମାସ ହେବ ରାଜଧାନୀରେ ଏଭଳି ଅବସ୍ଥା ଲାଗି ରହିଥିଲେ ମଧ୍ୟ ପୁଲିସ କମିସନର କିମ୍ବା ଡିସିପି କେବେ ବି ହଠାତ ଯାଞ୍ଚ କରିବାକୁ ଥାନାକୁ ଯାଇନାହାନ୍ତି।

ରାତିରେ ହେଉନାହିଁ ବ୍ଲକିଂ ଚେକିଂ:ପୂର୍ବରୁ ରାଜଧାନୀରେ ରାତି ରାତି ବ୍ଲକିଂ ଓ ଚେକିଂ ହେଉଥିଲା। ଏହି ବ୍ଲକିଂ ଓ ଚେକିଂରେ ଅନେକ ସନ୍ଦିଗ୍ଧ ଓ ଅପରାଧୀମାନେ ଧରା ପଡ଼ିଥାନ୍ତି। କିନ୍ତୁ ପାଖାପାଖି ବ‌େର୍ଷ ହେବ ରାଜଧାନୀରେ ସେଭଳି ବ୍ଲକିଂ ଓ ଚେକିଂ ହେଉନାହିଁ। ଯେଉଁ ସବୁ ଅଞ୍ଚଳରେ ଲୁଟେରାମାନେ ସେମାନଙ୍କ ଅପରେସନ୍‌ ଚଳାଇଛନ୍ତି, ସେହି ସବୁ ଅଞ୍ଚଳରେ ପୁଲିସ କେବି ବି ବ୍ଲକିଂ ଓ ଚେକିଂ କରୁନାହିଁ। ଧଉଳି, ଏୟାରଫିଲଡ୍‌, ମଞ୍ଚେଶ୍ବର, ଖଣ୍ଡଗିରି, ତମାଣ୍ଡୋ ଭଳି ଥାନା ଅଞ୍ଚଳରେ ଚୋରି, ସିନ୍ଧିଚୋରି, ଡକାୟତି ଭଳି ମାମଲା ବଢ଼ି ବଢ଼ି ଚାଲିଛି। ରାତିରେ ଯେଉଁମାନେ ପାଟ୍ରୋଲିଂ କରୁଛନ୍ତି, ସେମାନେ ପିସିଆର୍‌ ଭ୍ୟାନ୍‌ ଗୋଟିଏ ସ୍ଥାନରେ ରଖି ଶୋଇ ପଡ଼ୁଛନ୍ତି। ଆଶ୍ଚର୍ଯ୍ୟ କଥା ହେଉଛି, ରାତ୍ରିକାଳୀନ ପାଟ୍ରୋଲିଂ ପାଇଁ ପୁଲିସ ପିସିଆର୍‌ ଭ୍ୟାନ୍‌ ଉପରେ ନିର୍ଭର କରୁଛି। ଥାନା ଗାଡ଼ିଗୁଡ଼ିକ ରାତିରେ ପାଟ୍ରୋଲିଂ କରୁଥିବା କ୍ବଚିତ ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର