ଆଦିବାସୀ କଳାକୃତି ପାଇଁ ପ୍ରୋତ୍ସାହନ ପ୍ରୟୋଜନ

ଭୁବନେଶ୍ବର: ଆଦିବାସୀ କଳାକୃତିର ପ୍ରୋତ୍ସାହନ ପାଇଁ ପ୍ରଚାର ସହ ବାଣିଜ୍ୟିକ ସହଯୋଗ ଆବଶ୍ୟକ। ସେମାନଙ୍କ ମୌଳିକ ସ୍ବାତନ୍ତ୍ରୢର ସୁରକ୍ଷା ସହ ଆବଶ୍ୟକ ପୃଷ୍ଠପୋଷକତା ଯୋଗାଇଦେଲେ ସେମାନେ ଉପକୃତ ହୋଇପାରିବେ। ନ୍ୟାସ୍‌ନାଲ୍‌ ସ୍କୁଲ୍‌ ଅଫ୍‌ ଡ୍ରାମା ପକ୍ଷରୁ ଛତିଶଗଡ଼ର ଖଇରାଗଡ଼ ଇନ୍ଦିରା କଳା ସଂଗୀତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ୩ ଦିନିଆ ‘ଆଦିରଙ୍ଗ ମହୋତ୍ସବ’ର ଉଦ୍‌ଯାପନୀ ଉତ୍ସବରେ ବୁଦ୍ଧିଜୀବୀମାନେ ଏପରି ମତବ୍ୟକ୍ତ କରିଛନ୍ତି। ଏହି ଅବସରରେ ‘ବର୍ତମାନ ପରିପ୍ରେକ୍ଷୀରେ ଜନଜାତି କଳାକୃତିର ସାର୍ଥକତା’ ଶୀର୍ଷକ ଏକ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ପ୍ରଫେସର୍‌ ଇନ୍ଦ୍ରଦେବ ତିୱାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ପ୍ରଫେସର ଜି.ଏଲ୍‌. ଚାବେଲ୍‌, ଉତ୍କଳ ବିଶ୍ବବିଦ୍ୟାଳୟ ମାନବ ବିଜ୍ଞାନ ବିଭାଗର ପ୍ରଫେସର ଜଗନ୍ନାଥ ଦାଶ ଏବଂ ସୋମାକ୍‌ର ଅଧ୍ୟକ୍ଷ ଡ. ଗୌରହରି ଦାସ ପ୍ରମୁଖ ସନ୍ଦର୍ଭ ପାଠ କରିଥିଲେ। ଡ. ଦାସ ସଉରା ଚିତ୍ର, ଢୋକ୍ରା ଓ ରାୟଗଡ଼ାର କପଡ଼ାଗଣ୍ଡା ଶାଲ୍‌ର ପୃଷ୍ଠପୋଷକତା ଆବଶ୍ୟକ ବୋଲି କହିଥିଲେ। ଜନଜାତିର ଲୋକେ ଆଧୁନିକ ମଣିଷ ଅପେକ୍ଷା ଅଧିକ ଲୋକପ୍ରିୟ ବୋଲି ପ୍ରଫେସର ଦାଶ କହିଥିଲେ। ନାଟକ ବିଭାଗର ପ୍ରଫେସର ଯୋଗେନ୍ଦ୍ର ଚୌବେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ନେସ୍‌ନାଲ୍‌ ସ୍କୁଲ୍‌ ଅଫ୍ ଡ୍ରାମାର କୁଳସଚିବ ପ୍ରଦୀପ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ଯୋଗଦେଇ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର